ଅଗଷ୍ଟ ୧୫ରେ ରିଲିଜ୍ ହେବନି ‘ସାହୋ’
ପ୍ରଭାସ ଓ ଶ୍ରଦ୍ଧା ଷ୍ଟାରର୍ ‘ସାହୋ’ ଦେଖିବା ପାଇଁ ଦର୍ଶକଙ୍କୁ ଆହୁରି ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ । ୨ଟି କାରଣ ପାଇଁ ଏହାର ରିଲିଜ୍ ତାରିଖରେ ପରିବର୍ତ୍ତନ କରାଯାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ଫିଲ୍ମ ସିନେମାଘରକୁ ଆସିବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଏହି ଗୋଟିଏ ଦିନରେ ଅକ୍ଷୟଙ୍କ ‘ମିଶନ୍ ମଙ୍ଗଲ୍’ ଓ ଜନଙ୍କ ‘ବାଟଲା ହାଉସ୍’ ରିଲିଜ୍ ହେଉଛି । ତେଣୁ ଏହି ଗୋଟିଏ ଦିନରେ ‘ସାହୋ’ ରିଲିଜ୍ କରାଗଲେ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ପ୍ରଭାବ ପକାଇବ । ତେଣୁ ‘ସାହୋ’ର ବ୍ୟବସାୟ କ୍ଷତିକୁ ରୋକିବା ପାଇଁ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ରିଲିଜ୍ ଡେଟ୍ ବଦଳାଇବା ପାଇଁ ନିଷ୍ପତି ନିଆଯାଇଛି । ଏ ତ ଗଲା ପ୍ରଥମ କାରଣ ।
ଏହାର ଦ୍ୱିତୀୟ କାରଣ ହେଉଛି – ‘ସାହୋ’ରେ ଅଧିକରୁ ଅଧିକ ହାଇ କ୍ୱାଲିଟି ଭିଏଫଏକ୍ସର ବ୍ୟବହାର କରାଯାଇଛି । ତେଣୁ ଏବେ ପର୍ଯ୍ୟନ୍ତ ଏହାର ଏଡିଟିଙ୍ଗ୍ ଓ ପ୍ରି ପ୍ରଡକସନ୍ କାମ ଚାଲୁରହିଛି । ଏହିସବୁ କାମ ଅଗଷ୍ଟ ୧୫ ଭିତରେ ସରିଯିବ ବୋଲି ଫିଲ୍ମଟିମ୍ ପକ୍ଷରୁ ଆଶା କରାଯାଇଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଲାଗୁଛି ଏହା ଆସନ୍ତା ସେପ୍ଟେମ୍ବର ମାସରେ ସରିବ । ତେଣୁ ‘ସାହୋ’ର ରିଲିଜ୍ ଡେଟରେ ପରିବର୍ତ୍ତନ କରାଯାଇଛି । ଏହାର ଆଗାମୀ ରିଲିଜ୍ ଡେଟ୍ ଆସନ୍ତା ଅଗଷ୍ଟ ୩୦ ତାରିଖ ରଖାଯାଇଥିଲେ ମଧ୍ୟ ଏଥିରେ କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ସୂଚନା ମିଳିଛି ।