ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଜ୍ଞା ସିଂ ଠାକୁର
ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସାଧ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ମନ୍ତ୍ରୀ ଉମା ଶଙ୍କର ପ୍ରସ୍ତାବକ ସାଜିଥିଲେ। ସେ କହିଛନ୍ତି, ସାଧ୍ୱୀ ସମୁଦାୟ ୪ଟି ସେଟ୍ର ତଥ୍ୟ ଦେବେ। ଆଜି ୨ଟି ସେଟ୍ ଦାଖଲ ହୋଇଥିବା ବେଳେ ଆସନ୍ତାକାଲି ଆଉ ୨ଟି ସେଟ୍ ତଥ୍ୟ ସମ୍ବଳିତ ଦସ୍ତାବିଜ ଦାଖଲ କରାଯିବ।
ଜିଲ୍ଲାପାଳଙ୍କ ଅଫିସର ତଳ ମହଲାରେ ସାଧ୍ୱୀ ତାଙ୍କ ନାମାଙ୍କନ ଦାଖଲ କରିଥିଲେ। କାରଣ ସେ ଉପର ମହଲାକୁ ଚଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଜିଲ୍ଲାପାଳଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆସନ୍ତାକାଲି ସାଧ୍ୱୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଥିଲା। କିନ୍ତୁ ସାଧ୍ୱୀଙ୍କ ବେଳା ବର୍ତ୍ତମାନ ନାମାଙ୍କନ ପାଇଁ ଅଧିକ ସୁହାଇବାରୁ ସେ ଆଜି ହିଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସାଧ୍ୱୀ ଏକ ବିଶାଳ ରୋଡ୍ ଶୋ’ କରିଥିଲେ।
ସେ ବିଜେପି ପକ୍ଷରୁ ଏହି ନିର୍ବାଚନ ଲଢୁଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ଏହି ଆସନରୁ ଛିଡା କରିଛି । କିଛି ଦିନ ତଳେ ପ୍ରଜ୍ଞା ସିଂ ୨୬/୧୧ ସହିଦ ହେମନ୍ତ କରକରେଙ୍କ ବିରୋଧରେ ବିବାାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ବିରୋଧରେ ନିର୍ବାଚନ ଆୟୋଗ ନୋଟିସ ଜାରି କରିଥିଲା । ଏହା ପରେ ସେ ନିଜର ବୟାନକୁ ପତ୍ୟାହାର କରିବା ସହ କ୍ଷମା ମାଗିଥିଲେ । ସେପ୍ଟେମ୍ବର ୨୯, ୨୦୦୮ରେ ମହାରାଷ୍ଟ୍ରରେ ମାଲେଗାଁଓରେ ହୋଇଥିବା ଏକ ଆଇଇଡି ବିସ୍ଫୋରଣରେ ୬ ଜଣ ବ୍ୟକ୍ତି ନିହତ ହେବା ସହ ୧୦୧ ଜଣ ଆହତ ହୋଇଥିଲେ । ଏହି ଘଟଣାରେ ପ୍ରଜ୍ଞା ସିଂ ଗିରଫ ହୋଇଥିଲେ ।
ସାଧ୍ୱୀଙ୍କୁ ଟକ୍କର ଦେବେ କଂଗ୍ରେସର ଦିଗ୍ବିଜୟ

୨୦୦୮ ମସିହା ମେଲଗାଓଁ ବିସ୍ଫୋଣର ଅଭିଯୁକ୍ତ ତଥା ଏଥର ବିଜେପି ପକ୍ଷରୁ ଲୋକସଭା ଆସନ ପ୍ରାର୍ଥୀ ସାଜିଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ବିରୋଧରେ ଭୋପାଳରୁ ନିର୍ବାଚନ ଲଢ଼ିବେ କଂଗ୍ରେସର ଟାଣୁଆ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ବିଜୟ ସିଂହ। ଗତ ୧୭ ତାରିଖରେ ସାଧ୍ୱୀ ପ୍ରଜ୍ଞା ବିଜେପରେ ମିଶିବାର ମାତ୍ର କେତେ ଘଣ୍ଟା ମଧ୍ୟରେ ଲୋକସଭା ପ୍ରାର୍ଥୀ ଭାବେ ଦଳ ପକ୍ଷରୁ ଟିକେଟ୍ ପାଇଥିଲେ।
ସାଧ୍ୱୀ ପ୍ରଜ୍ଞାଙ୍କ ଓକିଲାତି କଲେ ଶାହ ଓ ଶିବରାଜ

ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ତଥା ଲଗାମଛଡ଼ା ବୟାନ ପାଇଁ ବିବାଦରେ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଓକିଲାତି କରିଛନ୍ତି। ଶ୍ରୀ ଶାହ କହିଛନ୍ତି, ସାଧ୍ୱୀଙ୍କୁ ମଧ୍ୟପ୍ରଦେଶର ଭୋପାଲ ଆସନରୁ ପ୍ରାର୍ଥୀ କରି ଦଳ ଉପଯୁକ୍ତ ନିଷ୍ପତ୍ତି ନେଇଛି। ତାଙ୍କୁ ମାଲେଗାଓଁ ବିସ୍ଫୋରଣ ଘଟଣାରେ ଫସାଇ ଦିଆଯାଇଛି। ତାଙ୍କ ନାଁରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସାଧ୍ୱୀ ଓ ସ୍ୱାମୀ ଅସୀମାନନ୍ଦଙ୍କ ବିରୋଧରେ ଆସିଥିବା ଅଭିଯୋଗ ଗୁଡ଼ିକ ଏଯାଏ ପ୍ରମାଣ ହୋଇନାହିଁ। ଏହି ଘଟଣାର ମୁଖ୍ୟ ଅପରାଧୀମାନଙ୍କୁ ଛାଡ଼ି ନିରୀହ ଲୋକଙ୍କୁ ଗିରଫ କରାଯାଇଥିଲା। ତେଣୁ ସାଧ୍ୱୀଙ୍କୁ ଭୋପାଲ ଆସନରୁ ଟିକେଟ୍ମିଳିଛି।
ଶିବରାଜ ସିଂହ ମଧ୍ୟ ସାଧ୍ୱୀଙ୍କ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସାଧ୍ୱୀ ହେଉଛନ୍ତି ଭାରତବର୍ଷର ନିରୀହ ଝିଅ। ସେ ନିର୍ଦ୍ଦୋଷ। ସେ ଜଣେ ଦେଶଭକ୍ତ। ତେଣୁ ସେ ଭୋପାଲରେ ବିପୁଳ ସଂଖ୍ୟାରେ ଭୋଟ ପାଇ ସେ ବିଜୟୀ ହେବେ। ଆଇନ୍ର ଅପବ୍ୟବହାର କରି ତାଙ୍କୁ ଗିରଫ କରାଯାଇଛି। ହିନ୍ଦୁ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ଯେଉଁ ଅପପ୍ରଚାର କରାଯାଉଥିଲା, ତାଗ୍ଦର ପର୍ଦ୍ଦାଫାସ ହୋଇଛି। ଏସବୁ ପଛରେ କଂଗ୍ରେସ ନେତା ଦିଗବିଜୟ ସିଂହ ହିଁ ରହିଥିଲେ।
୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଥିବା ସାଧ୍ୱୀ ପ୍ରଜ୍ଞା ୯ ବର୍ଷ ଜେଲ୍ରେ ରହିବା ପରେ ଅସୁସ୍ଥ ଥିବା ଦର୍ଶାଇ ଜାମିନ୍ରେ ଆସିଛନ୍ତି। ଏବେ ବିଜେପି ତାଙ୍କୁ ଭୋପାଲରୁ ପ୍ରାର୍ଥୀ କରିଛି।