ପାଟକୁରାରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ

ପାଟକୁରା ଆସନ ପାଇଁ ବିଜୁ ଜନତା ଦଳ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏଠାରୁ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ ।

ଉଲ୍ଲେଖନୀୟ ଯେ ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦ ପ୍ରକାଶ ଅଗ୍ରୱାଲାଙ୍କର ଗତ ୨୦ ତାରିଖରେ ଅକାଳ ବିୟୋଗ ପରେ ପାଟକୁରା ବିଧାନସଭା ଆସନପାଇଁ ୨୯ ତାରିଖରେ ହେବାକୁ ଥିବା ନିର୍ବାଚନ ବାତିଲ ହୋଇଥିଲା । ଆସନ୍ତା ୧୯ ତାରିଖରେ ଏହି ଆନରେ ମତଦାନ ହେବ ।

ପାଟକୁରା ଆସନରେ ମୋଟ୍‍ ୧୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଏବେ ବେଦ ପ୍ରକାଶଙ୍କ ସ୍ଥାନରେ ବିଜେଡି ପ୍ରାର୍ଥୀଭାବେ କେବଳ ସାବିତ୍ରୀ ହିଁ ନୂତନ ଭାବେ ନାମାଙ୍କନପତ୍ର ଦାଖଲ କରିବେ । ଅନ୍ୟମାନଙ୍କ ପ୍ରାର୍ଥୀପତ୍ର ପୂର୍ବଭଳି କାଏମ ରହିବ ।

ଏହି ଆସନରେ ବିଜେପି ପ୍ରାର୍ଥୀ ଭାବେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦିତା କରୁଥିବାରୁ ଆରମ୍ଭରୁ ଏହି ଆସନଟି ଚର୍ଚ୍ଚାରେ ରହିଆସିଛି । ଏବେ ବେଦୁଙ୍କ ଆବର୍ତ୍ତମାନରେ ବିଜେଡି ଏଠାରେ କିଭଳି ବିଜୟଙ୍କୁ ମୁକାବିଲା କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡି ମଧ୍ୟ ଏଠାରେ ତାହାର ବିଜେପୁର ଅନୁକମ୍ପା ଭୋଟ ଫର୍ମୁଲାକୁ ଦୋହରାଇବାକୁ ଚାହୁଁଛି । ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ସେଠାରୁ ପ୍ରାର୍ଥୀ କରି ସଫଳତା ପାଇଥିଲା । ବିଜେଡି ପ୍ରାର୍ଥୀ ଭାବେ ରୀତା ସାହୁ ୪୨ହଜାରରୁ ଅଧିକ ଭୋଟ ପାଇଥିଲେ । ତେବେ ପାଟକୁରାରେ ସାବିତ୍ରୀଙ୍କୁ କେତେ ଅନୁକମ୍ପା ଓ ଦଳୀୟ ଭୋଟ ମିଳିବ ତାହା ଆସନ୍ତା ୨୩ ତାରିଖରେ ହିଁ ଜଣାପଡିବ ।

Leave a Reply

Your email address will not be published.