ଦେଶରେ ତ୍ରିଭାଷୀ ଶିକ୍ଷାକୁ ଆରଏସଏସର ବିରୋଧ

ମୋଦି ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତିକୁ ଆରଏସଏସ ସମଥିର୍ତ ଭାରତୀୟ ଶିକ୍ଷକ ମଣ୍ଡଳ (ବିଏସଏମ) ସମର୍ଥନ କରିବା ସହିତ ତ୍ରିଭାଷୀ ଶିକ୍ଷାକୁ ବିରୋଧ କରିଛି। ବିଏସଏମର କହିବା ଅନୁସାରେ ତ୍ରିଭାଷୀ ଶିକ୍ଷା ଛାତ୍ରଛାତ୍ରୀମାନଙ୍କର କ୍ଷତି ହେବା ସହିତ ସଂସ୍କୃତ ଶିକ୍ଷାର ବ୍ୟାପକ କ୍ଷତି ସାଧନ ହେବ। ତେଣୁ ସଂସ୍କୃତ ଶିକ୍ଷାକୁ ପ୍ରାଥମିକ ସ୍ତରରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବାଧ୍ୟମୂଳକ କରିବା ପାଇଁ ଯୁକ୍ତି ଦର୍ଶାଇଛି।

ନୂତନ ଶିକ୍ଷାନୀତି ସମ୍ପର୍କରେ ବିଏସଏମ ପକ୍ଷରୁ ସମସ୍ତ ହିତାଧିକାରୀଙ୍କୁ ପଠାଯାଇଥିବା ନୋଟ‍୍‌ରେ କୁହାଯାଇଛି ଯେ ସଂସ୍କୃତ ଭାଷା ବିଜ୍ଞାନର ମୂଳଢ଼ାଞ୍ଚା ବିଚାର କରାଯିବା ଉଚିତ। ତେଣୁ ଯୋଗଭଳି ଏହାକୁ ପ୍ରାଥମିକ ସ୍ତରରୁ ବାଧ୍ୟମୂଳକଭାବେ ଶିକ୍ଷା ଦିଆଯିବା ଆବଶ୍ୟକ। କାରଣ ସ୍କୁଲରେ ସ୍ଥାନୀୟ ଭାଷା ଓ ଇଂରାଜୀକୁ ବାଧ୍ୟତାମୂଳକ କରାଯାଇଛି। ଅଣ ହିନ୍ଦୀ ରାଜ୍ୟରେ ହିନ୍ଦୀକୁ ତୃତୀୟ ଭାଷା ରୂପେ ବାଛିବା ଦ୍ୱାରା ସବୁଠାରୁ ଅଧିକ କ୍ଷତି ସଂସ୍କୃତ ଭାଷାର ହେଉଛି ବୋଲି ବିଏସଏମ ମତବ୍ୟକ୍ତ କରିଛି।

କେବଳ ସ୍କୁଲ ଶିକ୍ଷା ନୁହେଁ, ଉଚ୍ଚଶିକ୍ଷାରେ ମଧ୍ୟ ସମସ୍ତ ଭାରତୀୟ ଭାଷାରେ ଶିକ୍ଷାଦାନ କରାଯିବା ଆବଶ୍ୟକ। ଇଞ୍ଜିନିରିଂ, ମେଡ଼ିକାଲ ଓ ଅନ୍ୟ ବ୍ୟବସାୟିକ ପାଠ୍ୟକ୍ରମରେ ଭାରତୀୟ ଭାଷାରେ ପାଠ ପଢ଼ାଇବା ପାଇଁ ବିଏସଏମ ନୋଟ‍୍‌ରେ ଉଲ୍ଲେଖ କରାଯାଇଛି। ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ତାର ଶାଖା ଖୋଲିବା ପ୍ରସ୍ତାବକୁ ବିଏସଏମ ସ୍ୱାଗତ କରିଛି। ଏହି ବିଦେଶୀ ପାଠ୍ୟ ସଂସ୍ଥାନକୁ କୌଣସି ରିହାତି ନ ଦେବାକୁ ବିଏସଏମ ମତବ୍ୟକ୍ତ କରିଛି।

Leave a Reply

Your email address will not be published.