ମୋଦିଙ୍କ ରାସ୍ତାରେ ସଂଘ

ଦିନ ଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ‌୍‍ଏସ‌୍‍)ର ପ୍ରତ୍ୟେକ କଥାକୁ ବେଦଭଳି ବିଜେପି ନେତାମାନେ ମାନିବା ସହିତ ତାହାକୁ ନିଜ ଜୀବନରେ ପ୍ରୟୋଗ କରୁଥିଲେ। ଏବେ ସମୟ ବଦଳିଛି। ସମୟ ସହିତ ଆରଏସ‌୍‍ଏସ‌୍‍ର ଚିନ୍ତାଧାରା ମଧ୍ୟ ବଦଳିଛି। ଏହି ବଦଳିବା ପ୍ରକ୍ରିୟାରେ ଏବେ ବିଜେପି ନେତା ନୁହଁନ୍ତି, ବରଂ ବିଜେପି ନେତା ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟେକଟି ପଦକ୍ଷେପକୁ ସଂଘ ଆପଣାଇଛି।

ପୂର୍ବରୁ ଆରଏସ‌୍‍ଏସ‌୍‍ର ପ୍ରତ୍ୟେକଟି କାମ ଅତି ଗୋପନୀୟ ଥିଲା। କିନ୍ତୁ ଏବେ ଆରଏସ‌୍‍ଏସ‌୍‍ର ନେତାମାନେ ଏହି ଗୋପନୀୟ ଚିନ୍ତାଧାରାରୁ ବାହାରି ଆସିଛନ୍ତି। ଆରଏସ‌୍‍ଏସ‌୍‍ର ପ୍ରତ୍ୟେକଟି କାମକୁ କିପରି ଅଧିକରୁ ଅଧିକ ପ୍ରଚାର ପ୍ରସାର ମିଳିବା ସହିତ ତାହା ଲୋକମାନଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ସେମାନେ ଏବେ ଗୁରୁତ୍ୱ ଦେଉଛନ୍ତି।

ବିଜେପି ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରେ ନିଜର ଚିନ୍ତାଧାରାକୁ ‘ମନ‌୍‍ କି ବାତ‌୍‍’ ଜରିଆରେ ଲୋକମାନଙ୍କ ନିକଟରେ ପହଞ୍ଚାଉଛନ୍ତି। ମୋଦିଙ୍କର ଏହି ଯୋଜନା ଗତ ୪ବର୍ଷ ଭିତରେ ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ବିଜେପି ନେତା ମୋଦିଙ୍କର ଏହି ଚିନ୍ତାଧାରାକୁ ଏବେ ଆରଏସ‌୍‍ଏସ‌୍‍ ଗ୍ରହଣ କରିଛି। ଆରଏସ‌୍‍ଏସ‌୍‍ ନିଜର କାର୍ଯ୍ୟକ୍ରମକୁ ଲୋକମାନଙ୍କ ନିକଟରେ ପହଞ୍ଚାଇ ନିଜର ସଂଗଠନକୁ ବୃଦ୍ଧି କରିବା ପାଇଁ ‘ମନ‌୍‍ କି ବାତ’ ଭଳି ‘ଜ୍ଞାନ ଶୃଙ୍ଖଳା’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଆରଏସ‌୍‍ଏସ‌୍‍ର ଗଣମାଧ୍ୟମ ପ୍ରଭାରୀ ରାଜୀବ ତୁଲିଙ୍କ କହିବା ଅନୁସାରେ ଏହି ଜ୍ଞାନ ଶୃଙ୍ଖଳା କାର୍ଯ୍ୟକ୍ରମକୁ ଜନସାଧାରଣ ବହୁତ ପସନ୍ଦ କରୁଛନ୍ତି। ଏହି ଯୋଜନାରେ ଆରଏସ‌୍‍ଏସ‌୍‍ ପକ୍ଷରୁ ୧୨ମିନିଟ‌୍‍ର ଭିଡିଓ କାର୍ଯ୍ୟକ୍ରମ ୟୁଟ୍ୟୁବରେ ଛଡାଯାଉଛି। ଏଥିରେ ଆରଏସ‌୍‍ଏସ‌୍‍ର ମହାସଚିବ କୃଷ୍ଣଗୋପାଳ ଓ ମନମୋହନ ବୈଦ୍ୟ ଦେଶର ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନା କରୁଛନ୍ତି।

Leave a Reply

Your email address will not be published. Required fields are marked *