ହିନ୍ଦୁ ସମାଜର ଆକ୍ରୋଶ ବଢ଼ାଉଛି ସୁପ୍ରିମ୍କୋର୍ଟ: ଆର୍ଏସ୍ଏସ୍
ସମ୍ବଲପୁର, (ପ୍ରଫୁଲ୍ଲ କୁମାର ଦାଶ): ଭେଦଭାବ ଓ ବୈଷମ୍ୟ ହେତୁ ଦେଶ ଦୁର୍ବଳ ହେଉଛି। ଭାରତ ବର୍ଷ ଗୋଟିଏ ରାଷ୍ଟ୍ର, ଦେଶରେ ଜନ୍ମ ନେଇଥିବା ସମସ୍ତ ନାଗରିକ ହିନ୍ଦୁ। କିନ୍ତୁ ଏହି ହିନ୍ଦୁଙ୍କ ଅଧିକାର କ୍ଷେତ୍ରରେ ସୁପ୍ରମି୍କୋର୍ଟ ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆର୍ଏସ୍ଏସ୍ର ଦ୍ଵିତୀୟ ପ୍ରମୁଖ ନେତୃତ୍ଵ ତଥା ସରସଙ୍ଘ କାର୍ଯ୍ୟବାହ ଭୈୟାଜୀ ଜୋଶୀ।
ସମ୍ବଲପୁରଠାରେ ଆୟୋଜିତ ସ୍ଵତନ୍ତ୍ର ମକର ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି, ‘ଦେଶର ହିନ୍ଦୁ ଅଧିକାର ବଦଳରେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ରାମ ମନ୍ଦିର ନିର୍ମାଣ ପ୍ରତ୍ୟକ ହିନ୍ଦୁଙ୍କ ଧ୍ୟେୟ। ମାତ୍ର ସୁପ୍ରିମ୍କୋର୍ଟ ଏହି ପ୍ରସଙ୍ଗରେ ଅଯଥା ହସ୍ତକ୍ଷେପ କରି ହିନ୍ଦୁ ସମାଜକୁ ଅପମାନିତ କରୁଛନ୍ତି। କୋର୍ଟଙ୍କ ଏହି ପ୍ରକାର ହସ୍ତକ୍ଷେପ ହିନ୍ଦୁମାନଙ୍କ ମଧ୍ୟ ଆକ୍ରୋଶ ବୃଦ୍ଧି କରାଉଛି ବୋଲି ସେ କହିଛନ୍ତି।
ଭୈୟାଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପଶ୍ଚିମପ୍ରାନ୍ତରେ ଶାଖାର କାର୍ଯ୍ୟ ସମନ୍ବୟର ପର୍ଯ୍ୟାଲୋଚନା କରିଛନ୍ତି। ଏହାଛଡ଼ା ସମାଜର ବିଭିନ୍ନ ବର୍ଗ ନେତୃତ୍ଵଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ସମ୍ବଲପୁରରେ ଏକ ମକର ସଂକ୍ରାନ୍ତି ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ସେ ପାଖାପାଖି ୪୫ ମିନିଟ୍ କାଳ ଭାରତୀୟ ସଂସ୍କୃତି, ବୈଦିକ ରୀତି ନୀତି ଓ ଜୀବନପ୍ରଣାଳୀ ବାବଦରେ ଆଲୋଚନା କରିଥିଲେ। ଦେଶର ଇତିହାସ, ଅଖଣ୍ଡତା ଓ ସଂସ୍କୃତି ବାବଦରେ ସେ ଉଦ୍ବୋଧନଦେଇଥିଲେ। ସେ କହିଥିଲେ ଯେ ହିନ୍ଦୁଙ୍କ ଅଧିକାରରେ କୋର୍ଟ ହସ୍ତକ୍ଷେପ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଙ୍ଘଚାଳକ ବିପିନ ବିହାରୀ ନନ୍ଦ, ପ୍ରଫେସର ଶଙ୍କର ପ୍ରସାଦ ପତି ପ୍ରମୁଖ ଯୋଗ ଦେଇଥିଲେ।
