ଜାତୀୟସ୍ତରରେ ଆଇଜିଏଚ୍ ଡାକ୍ତର ପୁରସ୍କୃତ
ରାଉରକେଲା(ଓଟି): ସର୍ବଭାରତୀୟ ସ୍ତରରେ ଓଡ଼ିଶାକୁ ପୁଣି ଗୌରବ ମିଳିଛି। ଆର୍ଏସ୍ପି ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ପୁରସ୍କାର ଲାଭ କରି ଏଭଳି ଗୌରବ ଅର୍ଜନ ଆଣିପାରିଛନ୍ତି। ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟସ୍ଥିତ ବିଶାଖା ଷ୍ଟିଲ୍ ଜେନେରାଲ ହସ୍ପିଟାଲରେ ଗତ ୭ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ୪୧ତମ ସର୍ବଭାରତୀୟ ଇସ୍ପାତ ଚିକିତ୍ସା ଅଧିକାରୀ ସମ୍ମିଳନୀରେ ଆଇଜିଏଚ୍ ଡାକ୍ତରବୃନ୍ଦ ୪ଟି ପୁରସ୍କାର ଲାଭ କରିଥିଲେ।
ସୂଚନା ଅନୁସାରେ ଉକ୍ତ ସମ୍ମିଳନୀରେ ଦେଶର ବିଭିନ୍ନ ଇସ୍ପାତ କାରଖାନା ଦ୍ଵାରା ପରିଚାଳିତ ହସ୍ପିଟାଲର ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ। ତବେ ଆଇଜିଏଚ୍ ପକ୍ଷରୁ ବରିଷ୍ଠ ଡାକ୍ତର ପୁଷ୍ପା କୁମାରୀ ଟିକ୍ୟୁଏମ୍ ପେପରରେ ଏବଂ ଡାକ୍ତର ଏସ୍. ପାଣିଗ୍ରାହୀ ଲଙ୍ଗ ପେପରରେ ପୁରସ୍କାର ଲାଭ କରିଥିଲେ । ସେହିଭଳି ଡାକ୍ତର ଏମ୍. ପାଣିଗ୍ରାହୀ ପିଜି ପୋଷ୍ଟର୍ ଏବଂ ମେଡିକାଲ ଅଫିସର ଡାକ୍ତର ପିକେ ରାୟ ଓ ଡାକ୍ତର ସୁପ୍ରଭା ଏମ୍ବିବିଏସ୍ କୁଇଜରେ ପୁରସ୍କୃତ ହୋଇଥିଲେ। ଅନ୍ୟପକ୍ଷରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗ ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଏସ୍ଏସ୍ ପତି ଷ୍ଟିଲ୍ ଓରେଣ୍ଟେସନ ଉପସ୍ଥାପନ କରିଥିଲେ। ଏନେଇ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଥିବାବେଳେ ଆଇଜିଏଚ୍ ପରିସରରେ ଗତ ୧୧ରେ ଆର୍ଏସ୍ପି ସିଇଓ ଦୀପକ ଚଟ୍ଟରାଜ ପୁରସ୍କୃତ ଡାକ୍ତରବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଏସ୍ପି ପାଇଁ ଗୌରବ ଆଣିଥିବାରୁ ଅଭିନନ୍ଦନ ଜ୍ଞାପନ କରିଥିଲେ।