#ଲକ୍‌ଡାଉନ୍‌ରେ ପଡ଼ିଲା ହାତଗଣ୍ଠି

ନୂଆଦିଲ୍ଲୀ (ଓଟି): ମାତିଛି ମହାମାରୀ ଭୂତାଣୁ। ସେଥିପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁଦୃଷ୍ଟିରୁ ସତର୍କ ରହିବା ସହ ସାମାଜିକ ଦୂରତ୍ଵକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ତେବେ ଏହାରି ମଧ୍ୟରେ ଏକ ପ୍ରେମୀଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ଏପରିକି ସେଥିପାଇଁ ରାତିରେ କୋର୍ଟ ଖୋଲା ଯାଇଥିଲା। ଏଭଳି ନିଆରା ବାହାଘର ହୋଇଛି ହରିୟାଣାରେ।

ସୂଚନା ଅନୁସାରେ ହରିୟାଣାର ରୋହତକ ଅଞ୍ଚଳ ବାସିନ୍ଦା ନିରଞ୍ଜନ କଶ୍ୟପଙ୍କ ସହ ମେକ୍ସିକୋର ନାଗରିକ ଡାନାଙ୍କ ବିବାହ ହୋଇଛି। ସ୍ୱତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ବାହାଘର ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ତେବେ କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲକଡାଉନ୍‌ ଜାରି ଥିବାବେଳେ ଏଭଳି ନିଆରା ବାହାଘର ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏଥିପାଇଁ ରାତିରେ କୋର୍ଟ ଖୋଲିଥିବା ଜଣାପଡ଼ିଛି। ପୂର୍ଣ୍ଣ ବିବରଣୀ ଅନୁସାରେ ୩ବର୍ଷ ପୂର୍ବେ ମେକ୍ସିକାନ୍‌ ଝିଅ ଡାନା ଜୋହେରି ଓଲିଭରୋସ କ୍ରୁଜଙ୍କ ସହ ନିରଞ୍ଜନଙ୍କ ଅନ୍‌ଲାଇନରେ ବନ୍ଧୁତା ସୃଷ୍ଟି ହୋଇଥିଲା। ସେତେବେଳେ ସେମାନେ ଅନ୍‌ଲାଇନରେ ସ୍ପେନିଶ ଲାଙ୍ଗୁଏଜ୍‌ କୋର୍ସ କରୁଥିଲେ। ତେବେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଏବଂ ନିରଞ୍ଜନ ଡାନାଙ୍କୁ ଭେଟିବାକୁ ମେକ୍ସିକୋ ଯାଇଥିଲେ।

୨୦୧୮ ନଭେମ୍ୱରରେ ଡାନା ଓ ତାଙ୍କ ମା’ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ। ସେତେବେଳେ ନିରଞ୍ଜନଙ୍କ ଜନ୍ମଦିନରେ ଉଭୟଙ୍କର ନିର୍ବନ୍ଧ କରାଯାଇଥିଲା। କିନ୍ତୁ ବିବାହ ପାଇଁ ଡୋନାଙ୍କ ନାଗରିକତ୍ୱ ପ୍ରତିବନ୍ଧକ ହୋଇଥିଲା। ଫଳରେ ଗତ ଫେବ୍ରୁଆରୀ ୧୧ରେ ମା’ଙ୍କୁ ନେଇ ପୁଣି ରୋହତକ ଆସିଥିଲେ ଡାନା। ମାସକ ମଧ୍ୟରେ ସବୁ କାମ ସରିଯିବ ବୋଲି ଆଶା କରାଯାଇଥିଲା ଏବଂ ବିବାହକୁ ମଞ୍ଜୁରି ଦେବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ଠିକ୍‌ ବେଳାରେ ଦେଶରେ ଲକଡାଉନ୍‌ ଜାରି ହେବାରୁ ସବୁକିଛି ଅଟକି ଯାଇଥିଲା। ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଗତ ସୋମବାର ରାତି ୮ଟାରେ କୋର୍ଟ ଖୋଲିଥିଲେ ଏବଂ ବିବାହ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published.