ଦୁର୍ଘଟଣା : ୧୧ ବର୍ଷରେ ୪୧ ହଜାର ମୃତ

ରାଜ୍ୟରେ ଏବେ ସଡକ ଦୁର୍ଘଟଣା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଘରୁ ବାହାରିଲେ ପାଦେ ପାଦେ ବିପଦ। ବିଶେଷ କରି ଟ୍ରାଫିକ ସମସ୍ୟା, ଦ୍ରୁତ ବେଗରେ ଗାଡିଚାଳନା, ମଦ୍ୟପାନ କରି ଗାଡି ଚାଳନା ଯୋଗଁୁ ନିରୀହ ବ୍ୟକ୍ତିଙ୍କ ଜବନହାନୀ ଘଟୁଛି। ୨୦୦୮ ମସିହାରୁ ୨୦୧୮ ଅଥାର୍ତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ୪୦ ହଜାର ୯ଶହ ୭୩ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ଏ କଥା ପୁଲିସ‌୍‍ ରିପୋର୍ଟରୁ ପ୍ରମାଣ ମିଳିଛି। ରେର୍କଡ କହୁଛି ଦେଶରେ ସଡ଼କ ଦୁର୍ଘଟଣାରେ ଦୈନିକ ୫୧୦ ଜଣ ଲୋକଙ୍କ ଜୀବନ ଯାଉଛି। ସେହି ଅନୁପାତରେ ଯଦି ଓଡ଼ିଶାକୁ ଦେଖାଯାଏ ରାଜ୍ୟରେ ୧୪ ଜଣ କେଉଁଠି ନା କେଉଁଠି ଏହି ଦୁର୍ଘଟଣାର ଶିକାର ହୋଇ ଆଖି ବୁଜୁଛନ୍ତି। ୨୦୧୮ରେ ଓଡ଼ିଶାରେ ୧୧ ହଜାର୨୬୨ ଟି ଦୁର୍ଘଟଣା ଘଟିଥିଲା। ସେଥିରେ ୫୩୧୫ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଦୁର୍ଘଟଣା କମାଇବା ପାଇଁ କ୍ରାଇମ‌୍‍ବ୍ରାଞ୍ଚ ଅଣ୍ଟା ଭିଡ଼ିଛି। ଏନେଇ ମଙ୍ଗଳବାର ଓଡ଼ିଶା ପୁଲିସ‌୍‍ ଭବନରେ ଏକ କର୍ମଶାଳା ଆୟୋଜନ କରିଥିଲା କ୍ରାଇମ‌୍‍ବ୍ରାଞ୍ଚ। ଟ୍ରାଫିକ ସମସ୍ୟାର ସମାଧାନ ଲାଗି କାହିଁ କେତେ ସ୍ତରରେ ଚେଷ୍ଟା ଚାଲିଛି। କେଉଁଠି ନୂଆ ପୋଷ୍ଟ ତ’ପୁଣି କେଉଁଠି ଯାତାୟତରେ ସୁବିଧା ଲାଗି ଓଭରବ୍ରିଜ‌୍‍ ଛିଡ଼ା ହେଉଛି। ଦୁର୍ଘଟଣାର ମାତ୍ରାକୁ ଅନୁଧ୍ୟାନ କଲେ ତଥାପି କିଛି ଫରକ‌୍‍ ପଡୁନଥିବା ମନେ ହେଉଛି।

ବେପରୁଆ ଗାଡି ଚାଳନା ଯୋଗୁଁ ହିଁ ଏସବୁ ଘଟୁଥିବା ପୁଲିସ ରେକର୍ଡ ଦର୍ଶାଉଛି। ପୁଲିସ ରେର୍କଡ ଅନୁସାରେ, ପ୍ରତ୍ୟେକ ଦୁର୍ଘଟଣା ପଛରେ ମଦ୍ୟପାନ ନଚେତ‌୍‍ ଟ୍ରାଫିକ‌୍‍ ନିୟମ ଉଲ୍ଲଙ୍ଘନ ହିଁ ମୁଖ୍ୟ କାରଣ। ଯାହାଲାଗି ଡ୍ରାଇଭର ହେଉ କିମ୍ୱା ତାଙ୍କ ସହ ଯାଉଥିବା ଲୋକଙ୍କର ଅକାଳରେ ଜୀବନ ଯାଉଛି। ବଡ଼କଥା ହେଲା ଦୁର୍ଘଟଣାରେ ପରେ ପୁଲିସ‌୍‍ ମାମଲା ରୁଜୁ କରି ଚୁପ‌୍‍ ରହି ଯାଉଛି। ହେଲେ କ’ଣ ପାଇଁ ଦୁର୍ଘଟଣା ଘଟିଲା ସେ ବିଷୟରେ ପୁଲିସ‌୍‍ କିଛି ତନାଘନା କରୁନି। ଉପର ଠାଉରିଆ ତଦନ୍ତ କରି ଚୁପ‌୍‍ ରହି ଯାଉଛି।

ପୁଲିସ‍୍‌ ମହାନିର୍ଦ୍ଦେଶକ ଡ଼ା ରାଜେନ୍ଦ୍ର ଶର୍ମା କହିଛନ୍ତି, ୨୦୧୮ରେ ଓଡ଼ିଶାରେ ୧୧ ହଜାର ୨୬୨ଟି ଦୁର୍ଘଟଣା ଘଟିଥିଲା। ସେଥିରେ ୫୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୭ ମୃତ୍ୟୁ ସଂଖ୍ୟା ୪୭୯୦ ଥିଲା। ଏବେ ଠାରେ ଲାଗିବାକୁ ପଡ଼ିବ ଯେମିତି ପ୍ରତି ବର୍ଷ ୧୦ ପ୍ରତିଶତ ଦୁର୍ଘଟଣା ଆମେ କମ‌୍‍ କରିବ। ବେପରୁଆ ଗାଡି ଚାଳନା ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ହିଁ ଏସବୁ ଘଟୁଛି। କ୍ରାଇମ‌୍‍ବ୍ରାଞ୍ଚରେ ଖୋଲା ଯାଇଥିବା ‘ରୋଡ‌୍‍ ସେଫ୍ଟି ସେଲ‌୍‍’ ତରୁଫରୁ ଏହି କର୍ମଶାଳାରେ ଆୟୋଜିତ ହୋଇଥିଲା। ଏଥିରେ ଉପସ୍ଥିତ ପୁଲିସ‌୍‍ ଅଫିସରଙ୍କୁ ଦୁର୍ଘଟଣା କମାଇବା ଉପରେ ଶିକ୍ଷା ଦିଆଯାଇଥିଲା।

ପରିବହନ ବିଭାଗର ପ୍ରମୁଖ ସଚିବ ଜି. ଶ୍ରୀନିବାସ କହିଛନ୍ତି, ରାଜ୍ୟରେ ଘଟୁଥିବା ଦୁର୍ଘଟଣାରରୁ ୫୬ ପ୍ରତିଶତ ଦୁର୍ଘଟଣା ଗ୍ରାମାଞ୍ଚଳରେ ହୋଇଥିବା ବେଳେ୪୪ ପ୍ରତିଶତ ସହରାଞ୍ଚଳ ହୋଇଛି। ମୋଟ ଦୁର୍ଘଟଣାର ୪୪ ପ୍ରତିଶତ ଦୁଇଚକିଆ ଯାନ ଯୋଗୁ ହୋଇଥିବା ବେଳେ ୧୮ ପ୍ରତିଶତ ଛୋଟ ଯାତ୍ରୀବାହୀ ଯାନ ଯୋଗୁ ଏବଂ ଟ୍ରକ ଯୋଗୁ ୨୩ ପ୍ରତିଶତ ଦୁର୍ଘଟଣା ହୋଇଛି। ମାତ୍ର ୭ ପ୍ରତିଶତ ବସ‌୍‍ ଯୋଗୁଁ ହୋଇଛି। ଦୁର୍ଘଟଣା ଘଟାଉଥିବା ଗାଡ଼ି ଚାଳକଙ୍କ ମଧ୍ୟରୁ ୯୬ ପ୍ରତିଶତ ଚାଳକଙ୍କର ତ୍ରୁଟି ଯୋଗୁ ହେଉଛି। ୨୦ରୁ ୪୦ ବର୍ଷର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଛି।

Leave a Reply

Your email address will not be published.