ଋଷିଙ୍କ ପାଇଁ ନ୍ୟୁୟର୍କରେ ବାଜିଲା ‘ମେ ସାୟର୍ ତୋ ନେହିଁ…’
ବିଗତ କିଛି ମାସ ଧରି କ୍ୟାନ୍ସର ଚିକିତ୍ସା ପାଇଁ ଋଷି କପୁର୍ ନ୍ୟୁୟର୍କରେ ଅଛନ୍ତି । ଋଷି ଏବେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଡାକ୍ତରମାନେ କହିଛନ୍ତି ଏବଂ ସେ ଖୁବ୍ ଶିଘ୍ର ଭାରତ ଫେରିବେ । ନ୍ୟୁୟର୍କ ରହଣୀ ସମ୍ପର୍କରେ ଋଷି ଅନେକ ଫଟୋ ଓ ଭିଡିଓ ସେୟାର୍ କରି ଆସୁଛନ୍ତି । ଏବେ ଏହି ଧାରାରେ ଋଷିଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଋଷି ଏକ ସେଲୁନକୁ ଯାଇଛନ୍ତି । ସେଠାରେ ଥିବା ଜଣେ ରୁଷ୍ ଯୁବକ ଋଷିଙ୍କୁ ଚିହ୍ନିପାରି ସଙ୍ଗେ ସଙ୍ଗେ ‘ମେ ସାୟର୍ ତୋ ନେହିଁ…’ ଗୀତଟିକୁ ସ୍ପିକରରେ ବଜାଇଥିଲେ । ଏଭଳି ଏକ ରଙ୍ଗୀନ ପରିବେଶ ଋଷିଙ୍କୁ ବେଶ୍ ପସନ୍ଦ ଆସିଥିଲା ଏବଂ ସେ ଏହାର ଏକ ରେକର୍ଡ଼ିଂ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ସହ ସେହି ରୁଷୀୟ ଯୁବକଙ୍କୁ ଧନ୍ୟବାଦ ଜଣାଇଥିଲେ । ଋଷିଙ୍କ ପ୍ରଶଂସକଙ୍କ ସହିତ ବଲିଉଡର ଅନେକ ତାରକା ମଧ୍ୟ ଭିଡିଓକୁ ଖୁବ୍ ଲାଇକ୍ ଓ ସେୟାର୍ କରୁଛନ୍ତି ।
ଏହି ଭିଡିଓ ଦେଖିବା ପରେ ଏହି ଗୀତକୁ ନେଇ ନିର୍ଦ୍ଦେଶକ ମହେଶ୍ ଭଟ୍ଟ ତାଙ୍କର ଅନୁଭୂତି ସେୟାର୍ କରିଥିଲେ । ମହେଶ୍ ଟ୍ୱିଟ୍ କରିଛନ୍ତି ଯେ – ‘ଏହି ଭିଡିଓ ଓ ଗୀତ ମୋର କିଛି ପୂର୍ବ ସ୍ମୃତକୁ ଉଜାଗର କରିଛି । ମୋର ମନେ ଅଛି ମୁଁ ମସ୍କୋରେ ଥିବା ସମୟରେ ଜଣେ ରୁଷିଆନ୍ କ୍ୟାବ୍ ଡ୍ରାଇଭର୍ ଏହି ଗୀତ ଗୁଣୁଗୁଣାଇ ଥିଲେ ଏବଂ ତାହା ବେଶ୍ ଶ୍ରୁତିମଧୁର ଥିଲା । ଏଭଳି ଏକ ଭିଡିଓ ପାଇଁ ଋଷି ଜୀଙ୍କୁ ଧନ୍ୟବାଦ’ । ଏହା ପୂର୍ବରୁ ବିଦେଶରେ ଭାରତର ସ୍ୱାଧୀନତା ଦିବସ ଉତ୍ସବ ପାଳନର ଭିଡିଓ ମଧ୍ୟ ଋଷି ସୋସିଆଲ୍ ମିଡିଆରେ ସେୟାର୍ କରି ଚର୍ଚ୍ଚାରେ ଥିଲେ ।