କରୋନା ବଢ଼ାଉଛି ନ୍ୟୁଜ୍ ଦର୍ଶକ, ବିଶ୍ଵାସ ହରାଇଛି ନ୍ୟୁଜ୍ ସେଭେନ୍, ଓଟିଭି ଅପ୍ରତିଦ୍ଵନ୍ଦ୍ଵୀ
ଭୁବନେଶ୍ଵର, (ଓଟି): ରାଜ୍ୟ ଟେଲିଭିଜନ୍ ନ୍ୟଜ୍ ଦର୍ଶକ ସଂଖ୍ୟାରେ ଅଭୁତପୂର୍ବ ବୃଦ୍ଧି ଘଟିଛି। ଯେଉଁ ପରିମାଣର ଦର୍ଶକ କେବେ ଓଡ଼ିଆ ନ୍ୟୁଜ୍ ଟିଭି ଦୁନିଆ ଦେଖି ନଥିଲା ତାହା ହୋଇଛି। ଟେଲିଭିଜନ୍ ଦର୍ଶକ ଆକଳନ କରୁଥିବା ବ୍ରଡ୍କାଷ୍ଟ ଅଡିଏନ୍ସ ରିସର୍ଚ କାଉନ୍ସିଲ ( ବାର୍କ) ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୁଏ। ଆଉ ଏହି ଦର୍ଶକ ସଂଖ୍ୟାର ଅଭିବୃଦ୍ଧି ପରୋକ୍ଷରେ ଟେଲିଭଜନ୍ ନ୍ୟୁଜ୍ କ୍ଷେତ୍ରରେ କାମ କରୁଥିବା ସାମ୍ବାଦିକ ଓ ଅନ୍ୟ କର୍ମଚାରୀଙ୍କୁ ଉତ୍ସାହିତ କରିଛି। ଅପରପକ୍ଷେ କିଛି ନ୍ୟୁଜ୍ ଚ୍ୟାନେଲ୍ଙ୍କୁ ତାଙ୍କ ପୂର୍ବ ସଫଳତାକୁ ଫେରାଇ ଆଣିବା ଲାଗି ଏହା ଏକ ସୁଯୋଗ ପ୍ରଦାନ କରିଛି।
ବର୍ଷର ୧୧ତମ ଏବଂ ୧୨ ତମ ସପ୍ତାହ ଅର୍ଥାତ୍ ମାର୍ଚ ମାସର ୧୪ ତାରିଖରୁ ୨୦ ତାରିଖ ଏବଂ ୨୧ ତାରିଖରୁ ୨୭ ତାରିଖ ଯାଏ ବାର୍କ ହିସାବକୁ ଏଠାରେ ଏହି ପରିପ୍ରେକ୍ଷୀରେ ଉପସ୍ଥାପନ କରାଯାଇପାରେ। ଏଠାରେ ପ୍ରଥମେ ପାଠକଙ୍କୁ ସୂଚନା ଦିଆଯାଇପାରେ ଯେ, ରାଜ୍ୟରେ ସମୁଦାୟ ୭ଟି ଟେଲିଭିଜନ୍ ସଂସ୍ଥା ନ୍ୟୁଜ୍ ପ୍ରସାରଣ ବର୍ଗରେ ବାର୍କ ତାଲିକାଭୁକ୍ତ। ଏହି ଚ୍ୟାନେଲ୍ଗୁଡ଼ିକର ଦର୍ଶକ ହିସାବ ଆକଳନକୁ ଏଠାରେ ଉପସ୍ଥାପନ କରାଯାଉଛି।
ଦ୍ଵାଦଶ(୧୨) ସପ୍ତାହ ରିପୋର୍ଟରେ ରାଜ୍ୟର ସବୁ ନ୍ୟୁଜ୍ଟିଭି ଚୃାନେଲ୍ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି। ପୁଣି ସବୁଦିନିଆ ଘଟଣା ଭଳି ଓଟିଭି ସବୁଠାରୁ ଅଧିକ ଦର୍ଶକଙ୍କୁ ଆକଷ୍ଟ କରି ୪୧୪.୦୯ ରେଟିଂ ହାସଲ କରିଛି। ସହରାଞ୍ଚଳରେ ଏହି ରେଟିଂ ୪୭୧ ଥିବା ବେଳେ ଗ୍ରାମା୍ୟ୍ଚଳରେ ୩୫୨.୩୧ ରହିଥିବା ବାର୍କ ଦର୍ଶାଇଛନ୍ତି। ପୂର୍ବ ସପ୍ତାହରେ ଏହି ରେଟିଂ ୨୦୨.୯୯ ଥିଲା।
ଏହି ଦର୍ଶକ ଆକର୍ଷଣ କରିବାରେ ଦ୍ଵିତୀୟ ସ୍ଥାନରେ ରହିଛି କନକ ନ୍ୟୁଜ୍। ଏହାର ରେଟିଂ ରହିଛି ୧୩୧.୦୮। ଅନେକ ଦିନ ହେଲା ଲୋକଙ୍କ ନଜରରୁ ତଳକୁ ଖସିଥିବା ନ୍ୟୁଜ୍୧୮ ଓଡ଼ିଆ ଏହି ବିପର୍ଯ୍ୟୟ ସମୟରେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ଏହାର ଦର୍ଶକ ରେଟିଂରେ ତିନିଗୁଣାରୁ ଅଧିକ ବୃଦ୍ଧି ହୋଇଛି। ପୂର୍ବ ସପ୍ତାହରେ ଏହାର ରେଟିଂ ୩୫.୮୦ ରହିଥିଲ। ଦୀର୍ଘ ସମୟ ଧରି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ଦ୍ଵିତୀୟ ସ୍ଥାନରେ ଥିବା କଳିଙ୍ଗ ଟିଭି ଗଲା କିଛି ସପ୍ତାହ ହେଲା ତୃତୀୟ ସ୍ଥାନକୁ ଖସିଥିଲା। କିନ୍ତୁ ଏହି ବିପର୍ଯ୍ୟୟ ସମୟର ବ୍ରେକିଂ ନ୍ୟୁଜ୍ ରେସ୍ରୁ ବାଦ୍ ପଡ଼ିଥିବାରୁ ଏହାର ଦର୍ଶକ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଛି। ବିଗତ ସପ୍ତାରେ ଏହାର ରେଟିଂ ୪୪.୨୨ ଥିଲା ଏବେ ତାହା ୬୯.୫୮ ରହିଛି। ଗ୍ରାମାଞ୍ଚଳରେ କଳିଙ୍ଗ ଟିଭି ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି। ଏହାର ରେଟିଂ ଗ୍ରାମାଞ୍ଚଳରେ ୬୮.୬୭ ରହିଛି।
କେବେ ୩ ରେଟିଂଠୁ ଉପରକୁ ଉଠୁ ନଥିବା ବା ରେଟିଂ ତାଲିକାରୁ ହଜି ଯାଇଥିବା ନକ୍ଷତ୍ର ନ୍ୟୁଜ୍କୁ ବି ଏହି ବିପର୍ଯ୍ୟୟ ସମୟରେ ଅଧିକ ଦର୍ଶକ ମିଳିଛନ୍ତି। ରେଟିଂ ୧୨.୮୩ରେ ପହଞ୍ଚିଛି। ଗତ ସପ୍ତାହରେ ତାହା ୫.୫୭ ଥିଲା।
ଜୀ ଓଡ଼ିଶାର ବାର୍କ ରେଟିଂ ଏହି ସପ୍ତାହରେ ୬୭.୪୩ ରହିଥିବା ବେଳେ ନ୍ୟୁଜ୍ ସେଭେନ୍ର ବାର୍କ ରେଟିଂ ୨୯.୪୧ ରହିଛି।
ରାଜ୍ୟର ସବୁ ଚ୍ୟାନେଲ୍ ରେଟିଂ ହାସଲ କରୁଥିବା ବେଳେ ନ୍ୟୁଜ୍ ସେଭନ୍ର ଆଖି ଦୃଶିଆ ଅଗ୍ରଗତି ନହେବା ଏହା ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଉଛି। ଦୀର୍ଘ ବର୍ଷ ହେଲା ଏହି ଚ୍ୟାନେଲ୍ ଦ୍ଵିତୀୟ ସର୍ବାଧିକ ଦର୍ଶକ ଆକର୍ଷଣ କରୁଥିବା ଚ୍ୟାନେଲ୍ ବୋଲି କହି ଆସୁଥିଲା। ସେହି ଅନୁସାରେ ବଜାରରୁ ବିଜ୍ଞାପନ ବି ସଂଗ୍ରହ କରୁଥିଲା। କିନ୍ତୁ ଗତ କିଛିମାସ ହେଲା ସେଥିରେ ରୋକ୍ ଲାଗିଛି। ଏହା ନିଜର ରେଟିଂ ଟ୍ୟାମ୍ପିଂ କରୁଥିବା ମଧ୍ୟ ଅତୀତରେ ଅଭିଯୋଗ ହୋଇଥିଲା।
ଅବଶ୍ୟ ଲକ୍ଡାଉନ୍ ହେତୁ ଅଧିକାଂଶ ଲୋକ ଘର ଭିତରେ ରହିବା ଏବଂ ମନୋରଞ୍ଜନ ଭିତ୍ତିକ ଟେଲିଭିଜନ୍ ଚ୍ୟାନେଲ୍ରେ କଣ୍ଟେଣ୍ଟ ଅପ୍ଡେଟ୍ ନହେବା ଦ୍ଵାରା ନ୍ୟୁଜ୍ଆଡ଼କୁ ଲୋକ ମୁହାଁଇଛନ୍ତି ବୋଲି ଚର୍ଚା ହେଉଛି ହେଲେ ଏ ପରିସ୍ଥିତିରେ ଅନେକ ମୋବାଇଲ୍ ଆପ୍ ଓ ଓ୍ବେ୍ସିରିଜ୍ ସହ ଷ୍ଟ୍ରିମିଂ କଣ୍ଟେଣ୍ଟ ବି ଲୋକଙ୍କ ପାଇଁ ସମୟ ବିତାଇବା ଲାଗି ଅବସର ସୃଷ୍ଟି କରୁଛି। ଏଣୁ ଏହି ରେଟିଂକୁ ନିଜ ସଫଳତା ବଜାୟ ରଖିବାର ଏକ ମାପ କାଠି ବୋଲି ଧରି ଚାଲିବାକୁ ହେବ। ଲୋକଙ୍କୁ ଆବଶ୍ୟକ କଣ୍ଟେଣ୍ଟ ଯୋଗାଇ ତାଙ୍କୁ ନିଜର କରି ରଖିବା ଲାଗି ଏହା ଏକ ଆଶା ସୃଷ୍ତଟି କରିଛି। ଭରସା ଯୋଗ୍ୟ ଏବଂ ବିଶ୍ଵସନୀୟ ତଥ୍ୟ ଆଗରେ ସବୁ କିଛି ହାର ମାନିଯାଏ ତାହା ଏହି ରେଟିଂ ପ୍ରମାଣିତ କରୁଛି।