ନିୟମ ମାନୁ ନାହାନ୍ତି ଫେରନ୍ତା ଶ୍ରମିକ; ଜିଲ୍ଲା ନିର୍ବାସନ ଦଣ୍ଡ ଭୋଗିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ): ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ଲୋକଙ୍କ ଭିତରୁ କିଛି ଅମାନିଆ ହେଉଛନ୍ତି। ସରକାରୀ ନିୟମକୁ ଭାଙ୍ଗୁଛନ୍ତି ଏବଂ କ୍ଵାରେଣ୍ଟାଇନ୍ ହୋମ୍ରୁ ବାହାରି ଯିବାର ପ୍ରୟାସ କରୁଛନ୍ତି। ଏମାନଙ୍କ ପାଇଁ ଏବେ ସରକାର ଅଧିକ କଠୋର ହୋଇଛନ୍ତି। ଆସନ୍ତା ଦିନରେ ଏମିତି ଆଚରଣ କରୁଥିବା ବ୍ୟକ୍ତିଙ୍କୁ ସିଧା ଜିଲ୍ଲାରୁ ବାହାର କରାଯିବ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଵାରେଣ୍ଟୀନ ବା ଏକାନ୍ତବାସ ନିୟମକୁ ଆହୁରି ଅଧିକ ବଢ଼ାଯିବା ସହ ସେମାନଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ସଚିବ।
ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ଏବଂ ସରପଞ୍ଚଙ୍କୁ କଠୋର ପଦକ୍ଷେପ ନେବାକୁ ଆଦେଶ ଦିଆଯାଇଛି। ମୁଖ୍ୟ ସଚିବ କହିଛନ୍ତି ଯେ, ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲୋକେ କ୍ଵାରେଣ୍ଟୀନ୍ ହୋମ୍ରେ ରହିବାକୁ ଚାହୁଁ ନାହାନ୍ତି। କିନ୍ତୁ ଏହା ଏକ ଆଇନଗତ ଦିଗ। ଯେତେବେଳେ ପ୍ରବାସୀ ଫେରିବାକୁ ଉଦ୍ୟମ କରିଥିଲେ ସେମାନେ ଏଥିଲାଗି ସହମତ ହୋଇ ପଞ୍ଜିକରଣ କରିଛନ୍ତି। ୧୪ ଦିନ କ୍ଵାରେଣ୍ଟୀନରେ ରହିବାକୁ ସେମାନେ ବାଧ୍ୟ। ଏଣୁ ଆଇନ ଉଲ୍ଲଙ୍ଘନ କରି ସେମାନେ ଅନ୍ୟ ଲୋକଙ୍କ ଭିତରେ ସଂକ୍ରମଣକୁ ସମ୍ପ୍ରସାରଣ ନ କରନ୍ତୁ ବୋଲି ମୁଖ୍ୟସଚିବ ଅସିତ ତ୍ରିପାଠୀ କହିଛନ୍ତି।
ଶ୍ରୀ ତ୍ରିପାଠୀ ଏହା ବାଦ୍ ରାଜ୍ୟକୁ ବିନା ଅନୁମତିରେ ଆସୁଥିବା ବସ୍ଗୁଡ଼ିକ ସମ୍ବନ୍ଧରେ ବି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିନା ପାସ୍ରେ କିଛି ବସ୍ ପଳାଇ ଆସିଛନ୍ତି। ଆମର ୧୨ଟି ଚେକ୍ ପଏଣ୍ଟ ରହିଛି। ଏଣିକି ସେଠାରେ ଯାଞ୍ଚ କଡ଼ା କଡ଼ି କରାଯିବ। ଯେଉଁମାନେ ପାସ୍ ନେଇ ଆସିବେ ନାହିଁ ବା ପାସ୍ ନେଇ ଧାର୍ଯ୍ୟ ସଂଖ୍ୟା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଆସିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ରାଜ୍ୟ ଭିତରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଅପରପକ୍ଷେ ଯେଉର୍ମାନେ ଏ ଭିତରେ ରଜ୍ୟରେ ବିନା କୌଣସି ଅନୁମତିରେ ପ୍ରବେଶ କରିଛନ୍ତି ସେମାନଙ୍କ ବାବଦରେ ନୀତିଗତ ନିଷ୍ପତ୍ତି ନିଆଯିବ।
ରାଜ୍ୟ ସରକାର ଫେରନ୍ତାମାଧ୍ୟ ଉଚିତ ଧ୍ୟାନ ନେଉଛନ୍ତି। ସେମାନଙ୍କୁ ଶୃଙ୍ଖଳିତ ଢଙ୍ଗରେ ଆଇନଗତ ଭାବେ ନିର୍ଦ୍ଧାରିତ ଜିଲ୍ଲାର କ୍ଵାରେଣ୍ଟୀନ୍ ହୋମ୍କୁ ନିଆଯାଉଛି। ଟ୍ରେନ୍ରେ ଆସୁଥିବା ଯାତ୍ରୀଙ୍କ ବାବଦରେ ଆବଶ୍ୟକ ସୁବିଧା ଆଗୁଆ ସମ୍ଭବ ହୋଇପାରୁଛି। ଗତକାଲି ଓଡ଼ିଶା ଆସିଥିବା ଯାତଅୀଙ୍କୁ ଗୋଟିଏ ପଏଣ୍ଟରୁ ୨୦ଟି ଭିନ୍ନ ଭିନ୍ନ ଜିଲ୍ଲାକୁ ବସ୍ଯୋଗେ ପଠାଯାଇଛି। ଏଣୁ ରାଜ୍ୟ ସରକାର ଓଡ଼ିଶାକୁ ଫେରିଥିବା ଓ ଫେରିବାକୁ ଥିବା ଲୋକଙ୍କ ପାଇଁ ଅନେକ ସୁବିଧା କରିଛନ୍ତି। ଯେହେତୁ ଲୋକଙ୍କ ସ୍ଵାସ୍ଥ୍ୟକୁ ପ୍ରାଧାନ୍ୟ ଦିଆଯାଉଛି, ଯେଉଁମାନେ ଫେରୁଛନ୍ତି ସେମାନଙ୍କୁ ଉଦ୍ଦିଷ୍ଟ ନିୟମ ଭିତରେ ରହିବା ଲାଗି କୁହାଯାଇଛି।
ଆଗାମୀ ଦିନରେ ଅନେକ ଓଡ଼ିଆ ଲୋକ ବାହାରେ ରହିଥିଲେ ଏବଂ ଆସିବକୁ ଚାହୁଁଛନ୍ତି ସେମାନଙ୍କୁ ସ୍ଵାଗତ। ଆପଣ ରାଜ୍ୟକୁ ଆସିବା ପାଇଁ ପଞ୍ଜିକରଣ କରିବା ବେଳେ କ୍ଵାରେଣ୍ଟାଇନ୍ ନିୟମକୁ ପାଳନ କରିବା ଲାଗିରାଜି ହୋଇଛନ୍ତି । ଏହା ଆଇନଗତ ବିଷୟ। ଏଣୁ ଯେଉଁମାନେ ଏକାନ୍ତବାସକୁ ଉଲ୍ଲଙ୍ଘନ କରିବେ ସେମାନଙ୍କ ପ୍ରତି ଦଣ୍ଡ ବିଧାନ ହେବ।
– ଅସିତ ତ୍ରିପାଠୀ, ମୁଖ୍ୟ ସଚିବ