କେମ୍ୱ୍ରିଜ ଏନାଲିଟିକା ମଡେଲକୁ ନେଇ ଶାସକଦଳରେ ଆତଙ୍କ ଓ ଅସନ୍ତୋଷ

ନିର୍ବାଚନରେ ବିଜୟକୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି କୌଣସି ଦଳ ବେଶି ଆଶଙ୍କା ଓ ଆତଙ୍କରେ ଅଛି, ତେବେ ସେଇଟି ହେଉଛି ବିଜୁ ଜନତା ଦଳ। ଏହା ପୂର୍ବରୁ ୪ଟି ନିର୍ବାଚନ ସ୍ୱଚ୍ଛନ୍ଦରେ ଏବଂ ଅନାୟସରେ ବିଜେଡି ଜିତିଛି। ଶେଷ ଦୁଇଟି ନିର୍ବାଚନ ଏକାକୀ ଲଢି ବିଜେଡି ଏକପାଖିଆ ବିଜୟ ହାସଲ କରିଥିଲା। କିନ୍ତୁ ଏବେ ସେ ପରିସ୍ଥିତି ନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଡ଼ ସମ୍ଭାଳିବା ନିମନ୍ତେ ପଶ୍ଚିମ ଓଡ଼ିଶାରୁ ଲଢିବା କଥା ମଧ୍ୟ କହିଲେଣି। ସେହି କାରଣରୁ ଭୟଦ୍ୱାରା ଶାସକ ଦଳ କେତେ ଆକ୍ରାନ୍ତ ତାହା ସ୍ପଷ୍ଟ ହୋଇଯାଉଛି। ଏଭଳି ଆତଙ୍କର ମୂଳ କାରଣଟି ହେଲା ସର୍ଭେ।

ସର୍ଭେ ରିପୋର୍ଟ ଆଧାରରେ ବହୁ ବିଧାୟକଙ୍କ ଟିକଟ କାଟିବା ଲାଗି ଯେଉଁ ବିରାଟ ଯୋଜନା ହୋଇଛି ତାହା ଚାରିଆଡେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ବିଜୁ ଜନତା ଦଳ ପକ୍ଷରୁ ଚାରିଟି ସର୍ଭେ କରାଯାଇଥିଲା। ଏହି ସର୍ଭେ କରିବା ପାଇଁ ନବୀନ ନିଷ୍ପତ୍ତି ନେଇଥିଲେ ହେଁ ଯେଉଁ ଗୋଷ୍ଠୀ ସର୍ଭେ କରିବା ପାଇଁ କାହାକୁ ଦିଆଯିବ ନିଷ୍ପତ୍ତି ନେଲେ, ସେହି ଗୋଷ୍ଠୀ ଯେଉଁ ଯେଉଁ ବିଧାୟକଙ୍କୁ କାଟିବା ପାଇଁ ଚାହିଁଛନ୍ତି, ସେହି ସେହି ବିଧାୟକଙ୍କ ସମ୍ପର୍କରେ ପ୍ରତିକୂଳ ରିପୋର୍ଟ ଆସିଛି। ଏହି ରିପୋର୍ଟ ଆଧାରରେ ଟିକଟ କାଟିବା ଲାଗି ଏକ ବିରାଟ ଯୋଜନା ତିଆରି ହୋଇସାରିଛି।

ରିପୋର୍ଟ କହୁଛି ତୁମ ଚାନ୍ସ ଭଲ ନାହିଁ। ଏକଥା ୧୯୮୫ରେ ମୁଖ୍ୟମନ୍ତ୍ରୀ ଜେବି ପଟନାୟକଙ୍କ ମସ୍ତିଷ୍କରୁ ଜାତ ହୋଇଥିବା କମ୍ପ୍ୟୁଟର କଥା ମନେପକାଇ ଦେଉଛି। ସେତେବେଳେ ବସନ୍ତ ବିଶ୍ୱାଳ, ଗୁରୁପଦ ନନ୍ଦଙ୍କ ଭଳି ଯେଉଁ ବିଧାୟକମାନଙ୍କର ଟିକଟ କଟାଗଲା, ସେତେବେଳେ କୁହାଗଲା ଯେ, କମ୍ପ୍ୟୁଟର ଭାବମୂର୍ତ୍ତୀ ଆଧାରରେ ରାଜୀବ ଗାନ୍ଧୀଙ୍କୁ ରିପୋର୍ଟ ଦେବାରୁ ଟିକଟ ମିଳିଲା ନାହିଁ। ଯେହେତୁ ସେତେବେଳେ କମ୍ପ୍ୟୁଟର ସମ୍ପର୍କରେ ବିଶେଷ ଧାରଣା କାହାର ନଥିଲା, ସେତେବେଳେ ସମସ୍ତେ ଧରିନେଲେ ଯେ, କମ୍ପ୍ୟୁଟର ଦିବ୍ୟଦ୍ରଷ୍ଟା ଏବଂ ଭଲମନ୍ଦ ଜାଣିପାରେ। ତେଣୁ କେହି ବିଦ୍ରୋହ କଲେନାହିଁ।

ଏବେ ବିଜୁ ଜନତା ଦଳରେ କେମ୍ୱ୍ରିଜ ଏନାଲିଟିକା ମଡେଲ ଅଫ ସର୍ଭେ ଢାଞ୍ଚାରେ ସର୍ଭେ କରିଛି। କିନ୍ତୁ ଏହି ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି, ଯାହା ପ୍ରମାଣିତ କରୁଛି ଯେ, ଏହା ପ୍ରାୟୋଜିତ ସର୍ଭେ। ଏହାର ଦୁଇ/ତିନିଟି ଉଦାହରଣ ଦିଆଯାଇପାରେ।

କୋରାପୁଟ ସାଂସଦ ଝିନ ହିକା। ତାଙ୍କ ସମ୍ପର୍କରେ ସର୍ଭେରେ ଅନୁକୂଳ ରିପୋର୍ଟ ଆସିନାହିଁ, ସେଥିପାଇଁ ଟିକଟ ନଦେବା ପାଇଁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଲେ। କିନ୍ତୁ ତାଙ୍କ ସ୍ତ୍ରୀ ଶକୁନ୍ତଳା ବାବଦରେ ସର୍ଭେ କରୁଥିବା ସଂସ୍ଥା କିଭଳି ଜାଣିଲା? ସେତେବେଳେ ଶକୁନ୍ତଳା ସରକାରୀ ପଦବୀରେ ଥିଲେ।

ସେହିପରି, ଯାଜପୁର ସାଂସଦ ହେଲେ ରୀତା ତରାଇ। ତାଙ୍କ ସମ୍ପର୍କରେ ସର୍ଭେ ରିପୋର୍ଟରେ ପ୍ରତିକୂଳ ତଥ୍ୟ ଆସିଥିବା କୁହାଯାଉଛି। କିନ୍ତୁ ରଶ୍ମିତା ସେଠୀ ଯୋଗ୍ୟ ବୋଲି କେଉଁ ଆଧାରରେ ସର୍ଭେ କରିଥିବା ସଂସ୍ଥା ଜାଣିବାକୁ ପାଇଲା? ରଶ୍ମିତା ନିକଟରେ ଚାକିରିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ନାମ ସର୍ଭେ ତାଲିକାରେ ପୁରାଇଥିଲା କିଏ?

ସେହିପରି ଚିଟଫଣ୍ଡ ମାମଲାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ଉଠିଥିଲା ଶଶିକୁମାର ସାହୁଙ୍କ ବିରୋଧରେ। ସେ ବିଜେପିର ପ୍ରାର୍ଥୀ ଥିଲେ। କିନ୍ତୁ ସିମୁଳିଆରେ ବିପୁଳ ଭୋଟ ବ୍ୟବଧାନରେ ଜିଣିଥିବା ବିଜେଡି ପ୍ରାର୍ଥୀ ଜ୍ୟୋତି ପାଣିଗ୍ରାହୀ ଅଯୋଗ୍ୟ ଏବଂ ଶଶି ଯୋଗ୍ୟ ବୋଲି ସର୍ଭେ ସଂସ୍ଥା କେମିତି ଜାଣିଲା?

ସବୁଠୁ ଚମତ୍କାର ବା ମଜାଦାର ତଥ୍ୟ ଆସିଛି ବଡମ୍ୱା ଓ ଆଠଗଡରୁ। ସର୍ଭେ ରିପୋର୍ଟରେ କୁଆଡେ ବଡମ୍ୱା ବିଧାୟକ ଦେବୀ ମିଶ୍ରଙ୍କର ଜିତିବା ସମ୍ଭାବନା ନାହିଁ ବୋଲି ଉଲ୍ଲେଖ ଅଛି। ଆଠଗଡରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅବସ୍ଥା ମଧ୍ୟ ସମାନ। ତେବେ ରଣେନ୍ଦ୍ର ବଡ଼ମ୍ୱାରୁ ଠିଆ ହେଲେ ଜିତିବେ ବୋଲି ସର୍ଭେ ସଂସ୍ଥା କିଭଳି ଆକଳନ କଲା?

ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମ୍ପର୍କରେ ସର୍ଭେ ରିପୋର୍ଟରେ ପ୍ରତିକୂଳ ମନ୍ତବ୍ୟ ଦେଇଥିବା ଯେଉଁ ନାମ ଗୁଡିଏ ଅଛି, ସେଥିମଧ୍ୟରୁ ଅନେକ ବିଧାୟକଙ୍କ ସମ୍ପର୍କୀୟ ଏବଂ ତାଙ୍କର ଦୃଢ ଶୁଭେଚ୍ଛୁ। ସେମାନେ କଂଗ୍ରେସ ସପକ୍ଷରେ କିଭଳି ମତ ଦେଇଛନ୍ତି?

ଏହାର ଅର୍ଥ ହେଲା ଏହି ରିପୋର୍ଟ ତଥ୍ୟ ଆଧାରିତ ନୁହେଁ, ଚକ୍ରାନ୍ତ ଆଧାରିତ। ଏହି ରିପୋର୍ଟକୁ ଆଳ କରି ବରି ବିଧାୟକ ଦେବାଶିଷ ନାୟକଙ୍କ ଟିକଟ କାଟିବାକୁ ଯୋଜନା ହୋଇଛି। କାରଣ ଦେବାଶିଷଙ୍କୁ ସେହି ଜିଲାର ପ୍ରଭାବଶାଳୀ ବିଧାୟକ ବିରୋଧ କରୁଥିବା ଚର୍ଚ୍ଚା ଜୋର ଧରିଛି। ତେଣୁ ମୋଟାମୋଟି ଭାବେ କେମ୍ୱ୍ରିଜ ଏନାଲିଟିକା ମଡେଲ ଅଫ ସର୍ଭେ ଢାଞ୍ଚାରେ ସୁନିୟୋଜିତ ଭାବେ ବିଧାୟକମାନଙ୍କର ଟିକଟ କାଟିବା ପାଇଁ ଯୋଜନା ହୋଇଛି।

କିନ୍ତୁ ଯେଉଁ ଧରଣର ପ୍ରତିକ୍ରିୟା ଚାରିଆଡେ ସୃଷ୍ଟି ହେଲାଣି ତାହାକୁ ଥମାଇବା ଏତେ ସହଜ ନୁହେଁ। ଏବେ ଆଉ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଲାଣି। ଟିକଟ ପାଇବା ପାଇଁ ନେତା ଯେତିକି ସମର୍ଥକ ନବୀନ ନିବାସ ଆଗରେ ଜୁଟାଉଛନ୍ତି, ତା’ଠୁ ଅଧିକ କର୍ମୀ ଆସୁଛନ୍ତି ବିଧାୟକଙ୍କ ଟିକଟ କାଟିବା ପାଇଁ। ଏହା ପ୍ରାୟୋଜିତ ନାଁ େସ୍ୱଚ୍ଛାକୃତ, ତାହା ବୁଝିବା ମୁସକିଲ।

ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ବୋଲି ଚୂଡାନ୍ତ ହୋଇଛି। କିନ୍ତୁ ଏହା ଆଶଙ୍କା ଭିତରେ ଥିବା ବିଧାୟକମାନଙ୍କୁ କେମିତି ସନ୍ତୁଷ୍ଟ କରିବ? ସର୍ଭେ ରିପୋର୍ଟ ଯେଉଁ ଆତଙ୍କ ସୃଷ୍ଟି କରିଛି ଏହା ବିଧାୟକମାନଙ୍କର ମନୋବଳକୁ ଭାଙ୍ଗି ଦେଇସାରିଲାଣି। ସେପଟେ ଭାରତୀୟ ଜନତା ପାର୍ଟି ଦ୍ରୁତ ଶକ୍ତି ସଂଚୟ କରୁଛି। କଂଗ୍ରେସ ମଧ୍ୟ ଆଉ ଦୁର୍ବଳ ନୁହେଁ। ସେଥିପାଇଁ କୁହାଯାଇପାରେ ଯେ, ୨୦୧୯ ଭଳି ନିର୍ବାଚନ ଏହି ଦୁଇ ଦଶନ୍ଧି ଭିତରେ କେବେ ଓଡ଼ିଶାବାସୀ ଦେଖିନଥିଲେ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ କ୍ଲିକ କରନ୍ତୁ:

Leave a Reply

Your email address will not be published.