ଆମାଜନକୁ ଟକ୍କର ଦେଇପାରିବ ରିଲାଏନ୍ସ
ମୁମ୍ବାଇ(ଓଟି): ଆମେରିକାର ପ୍ରମୁଖ କମ୍ପାନୀ ଏକ୍ସନ, ଏଟି ଆଣ୍ଡ୍ ଟି ଏବଂ ଆମାଜନ୍ ଭଳି କମ୍ପାନୀଗୁଡିକୁ ବ୍ୟବସାୟିକ ଟକ୍କର ଦେଇପାରିବ ଭାରତର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍। ଆନ୍ତର୍ଜାତିକ ଗବେଷଣାକାରୀ ସଂସ୍ଥା ବର୍ଣ୍ଣଷ୍ଟେନ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି । ପେଟ୍ରୋଲିୟମ କ୍ଷେତ୍ରରୁ ବ୍ୟବସାୟ ଆରମ୍ଭ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବେ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ସଫଳତା ହାସଲ କରିପାରିଥିବା ବେଳେ ଆଗାମୀ ଦିନରେ ଭାରତୀୟ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ଆମେରିକୀୟ କମ୍ପାନୀ ଏକ୍ସନ ପେଟ୍ରୋଲିୟମ କ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିଥିବା ବେଳେ ରିଲାଏନ୍ସ ପେଟ୍ରୋଲିୟମ ମଧ୍ୟ ଭାରତରେ ଏହି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତୀୟ ପେଟ୍ରୋଲିୟମ ଏବଂ ଶକ୍ତି କ୍ଷେତ୍ର ବିଶ୍ୱର ଅଦ୍ୱିତୀୟ ବଜାର ଭାବେ ପରିଗଣିତ ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ପକ୍ଷରୁ ଏହି କ୍ଷେତ୍ରରେ ସମ୍ପ୍ରସାରଣ ଜାରି ରହିଛି। ବିଶେଷକରି ବ୍ରିଟିସ୍ ପେଟ୍ରୋଲିୟମ ଏବଂ ସାଉଦି ଆରାମ୍କୋ ସହ ରିଲାଏନ୍ସର ସହବନ୍ଧନ ଏହି କ୍ଷେତ୍ରକୁ ସଂପ୍ରସାରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣଷ୍ଟେନ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି । ସମ୍ପ୍ରତି କମ୍ପାନୀର ସର୍ବବୃହତ ଏକକ ରିଫାଇନାରୀ ପ୍ରକଳ୍ପ ରହିଥିଲା ବେଳେ ବିଭିନ୍ନ ସ୍ଥାନରେ ରହିଥିବା ପେଟ୍ରୋ ପ୍ରକଳ୍ପ ଏହି ଶିଳ୍ପଗୋଷ୍ଠୀକୁ ଆହୁରି ଅଗ୍ରାଧିକାର ଦେବ । ସେହପରି ଫିନ୍ଟେକ୍ ଏବଂ ଟେଲିକମ୍ କ୍ଷେତ୍ରରେ ଅଗ୍ରାଧିକାର ଲାଭ କରିଥିବା ଆମେରିକାର ଏଟି ଆଣ୍ଡଟି ସହ ମଧ୍ୟ ସକ୍ଷମ ହେବାକୁ ରିଲାଏନ୍ସ ପଥ ପ୍ରସ୍ତୁତ କରିଛି । ମାତ୍ର ୩ ବର୍ଷ ତଳେ ଏହି କ୍ଷେତ୍ରରେ ପ୍ରବେଶ କରିଥିବା ରିଲାଏନ୍ସ ଜିଓ ଏବେ ଭାରତୀୟ ଟେଲିକମ୍ ବଜାରର ୩୪ ପ୍ରତିଶତ ଦଖଲ କରିଛି । ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କଲେ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି କମ୍ପାନୀ ୪୪ ପ୍ରତିଶତ ବଜାର ଅଂଶ ଅକ୍ତିଆର କରିନେବ ବୋଲି ବର୍ଣ୍ଣଷ୍ଟେନ୍ ରିସର୍ଚ୍ଚ ପକ୍ଷରୁ କୁହାଯାଇଛି । ଆମାଜନ୍ ଭଳି ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀକୁ ଟକ୍କର ଦେବା ନେଇ ମଧ୍ୟ ରିଲାଏନ୍ସ ନିକଟରେ ସମ୍ଭାବନା ରହିଛି । ବର୍ତ୍ତମାନ ରିଲାଏନ୍ସ କମ୍ପାନୀର ୧୧୦୦୦ ପ୍ଲସ୍ ଷ୍ଟୋର ରହିଥିବା ବେଳେ ଏଥିରୁ ହେଉଥିବା ଆୟ ପରିମାଣ ୧୮୫୦ କୋଟି ଡଲାର ରହିଛି । ଏହାବ୍ୟତୀତ ଅନ୍ଲାଇନ୍ ବ୍ୟବସାୟରେ ପ୍ରବେଶ ପାଇଁ ରିଲାଏନ୍ସ ପ୍ରସ୍ତୁତି ଜାରି ରଖିଥିବା ବେଳେ ଆଗାମୀ ଦିନରେ ଆମାଜନ୍ ସହ ମଧ୍ୟ ଏହି କମ୍ପାନୀ ଟକ୍କର ଦେବ ବୋଲି ବର୍ଣ୍ଣଷ୍ଟେନ୍ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ।











