‘ଫୋନି’ ପ୍ରଭାବିତ ଅଞ୍ଚଳରେ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ ଫାଉଣ୍ଡେସନ୍‍

ଭୁବନେଶ୍ୱର, (ଓଟି): ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍‍ ସହାୟତାର ହାତ ବଢ଼ାଇଛି । ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣୀ ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, ବୈଷୟିକ ସହାୟତା, ପ୍ରକ୍ରିୟାକରଣ ସହାୟତା ସମେତ ନଥିକରଣ ପ୍ରକ୍ରିୟାରେ ଫାଉଣ୍ଡେସନ୍‍ ସହାୟକ ହୋଇଛି । ପ୍ରଭାବିତ ଲୋକମାନେ କିପରି ଉଦ୍ଦିଷ୍ଟ ସରକାରୀ ସହାୟତା ପାଇପାରିବେ ସେ ନେଇ ବିଭିନ୍ନ ସରକାରୀ କଳ ଓ ବିଭାଗ ସହ ମଧ୍ୟ ସଂଯୋଜନା ସ୍ଥାପନ କରୁଛି ।

ଅତିଶୟ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ, ଗ୍ରସରୀ, ପରିମଳ ଓ ଅତ୍ୟାବଶ୍ୟକ ଜିନିଷଗୁଡ଼ିକୁ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛି ଫାଉଣ୍ଡେସନ । ପୁରୀ ଜିଲ୍ଲାର ପାଖାପାଖି ୧୨ ହଜାର ୩୦୦ ପ୍ରଭାବିତ ପରିବାରକୁ ଏହିପରି ସହାୟତା ତଥା କିଟ୍‍ ପହଞ୍ଚାଯିବ । ଏହାବାଦ୍‍ ବିଭିନ୍ନ ସ୍ଥାନରେ ଚାଲିଥିବା ପୁନଃଥଇଥାନ କାର୍ଯ୍ୟରେ ମଧ୍ୟ ସିଧାସଳଖ ସରକାରୀ ଏଜେନ୍ସୀକୁ ସହାୟକ ହେଉଛି ଫାଉଣ୍ଡେସନ୍‍ ।

ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥରୁ ପଣପଣା ରାସ୍ତାକୁ ସଂଯୋଗ କରୁଥିବା ବାଜିପୁର ଗାଁ ରାସ୍ତାକୁ ସଫା କରିବା ତଥା ପଞ୍ଚୁବିସା ବାତ୍ୟା ଆଶ୍ରୟସ୍ଥଳୀକୁ ସଂଯୋଗ କରୁଥିବା ପଞ୍ଚୁବିସା ଗାଁ ରାସ୍ତାକୁ ସଫା କରିବାରେ ଓଡ୍ରାଫ୍‍ ଟିମ୍‍କୁ ରିଲାଏନ୍ସ ଫାଉଣ୍ଡେସନ୍‍ ସହାୟକ ହୋଇଛି ।

ବାତ୍ୟା ପରବର୍ତ୍ତୀ ସମୟରେ ଚାଷ କାର୍ଯ୍ୟ କିପରି ପରିଚାଳନା କରାଯିବ ସେ ନେଇ ରିଲାଏନ୍ସ ଫାଉଣ୍ଡେସନ୍‍ ଧାନ, ଚିନାବାଦାମ, ସୂର୍ଯ୍ୟମୁଖୀ, ପନିପରିବା ପ୍ରଭୃତି ଚାଷ ସମ୍ପର୍କରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ବାଣ୍ଟୁଛି । ଜିଲ୍ଲା କୃଷି ଅଧିକାରୀମାନଙ୍କ ସହ ମିଶି ଫାଉଣ୍ଡେସନ୍‍ ଏପରି କାର୍ଯ୍ୟ ହାତକୁ ନେଇଛନ୍ତି । ଫଟୋଗ୍ରାଫ୍‍, ଅଡିଓ ଏବଂ ଲିଖିତ ବାର୍ତ୍ତା ପ୍ରଭୃତିକୁ ହ୍ୱାଟ୍ସଆପ୍‍, ଜିଓ ଚାଟ୍‍ ପ୍ଳାଟ୍‍ଫର୍ମ ମାଧ୍ୟମରେ ଲୋକଙ୍କ ପାଖରେ ଆବଶ୍ୟକ ବାର୍ତ୍ତା ପହଞ୍ଚାଯାଉଛି । କୃଷି ସହ ରିଲାଏନ୍ସ ଫାଉଣ୍ଡେସନ୍‍ ବାତ୍ୟା ପରବର୍ତ୍ତୀ ସମୟରେ ପ୍ରାଣୀ ସମ୍ପଦର ଯତ୍ନ ଏବଂ ପରିଚାଳନା ବାବଦରେ ମଧ୍ୟ ଆବଶ୍ୟକ ଜ୍ଞାନ ବିତରଣ କରୁଛନ୍ତି । ପ୍ରାଣୀମାନଙ୍କ ଦେହାବଶେଷକୁ କିପରି ପରିଚାଳନା କରାଯିବ, ସୁରକ୍ଷିତ ଥିବା ପ୍ରାଣୀଙ୍କୁ କିପରି ଟୀକାକରଣ କରାଯିବ, ପ୍ରାଣୀପାଳକମାନେ ସରକାରୀ ସହାୟତା କିପରି ସେମାନେ ଲାଭ କରିବେ ଏ ସମ୍ପର୍କରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ ଆବଶ୍ୟକ ବାର୍ତ୍ତା ଅଡିଓ ଓ ଲିଖିତ ବାର୍ତ୍ତା ସେମାନଙ୍କ ମୋବାଇଲ୍‍କୁ ପହଞ୍ଚାଯାଉଛି ।

କେବଳ ବାତ୍ୟା ପରବର୍ତ୍ତୀ ସମୟରେ ନୁହେଁ, ବାତ୍ୟା ପୂର୍ବରୁ ମଧ୍ୟ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣ ସହ ମିଶି ଫାଉଣ୍ଡେସନ୍‍ ପକ୍ଷରୁ ଏପ୍ରିଲ୍‍ ୨୭ ତାରିଖରୁ ବିଭିନ୍ନ ପ୍ରତିଶେଧକମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ଏହିକ୍ରମରେ ଉପକୂଳବର୍ତ୍ତୀ ଅଞ୍ଚଳର ବିପଦରେ ଥିବା ସମୁଦାୟଙ୍କ ପାଖରେ ଜିଓ ତାହାର ଡିଜିଟାଲ୍‍ ପ୍ଳାଟଫର୍ମ ମାଧ୍ୟମରେ ଆବଶ୍ୟକ ଜରୁରୀକାଳୀନ ସୂଚନା ପହଞ୍ଚାଇବା ଜାରି ରଖିଛି । ଏହି ପ୍ରକ୍ରିୟାରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲ୍‍ନାଡ଼ୁ, କେରଳ, ପଶ୍ଚିମବଙ୍ଗର ୬ ଲକ୍ଷ ମତ୍ସ୍ୟଜୀବୀ ତଥା ଚାଷୀଙ୍କ ପାଖରେ ଆବଶ୍ୟକ ବାର୍ତ୍ତା ପହଞ୍ଚାଇ ପାରିଛି ଫାଉଣ୍ଡେସନ୍‍ । ହ୍ୱାଟ୍ସଆପ୍‍, ଜିଓ ଚ୍ୟାଟ ଚ୍ୟାନେଲ, ସ୍ଥାନୀୟ କେବଲ୍‍ ଟିଭି ଏବଂ ପ୍ରିଣ୍ଟ ମିଡିଆ, ମୋବାଇଲ୍‍ କଲ୍‍ ଦ୍ୱାରା ଏହିସବୁ ସତର୍କ ଓ ଜରୁରୀ ସୂଚନା ବିତରଣ କରାଯାଇଛି ।

ସମ୍ବେଦନଶୀଳ ଅଞ୍ଚଳରେ ଆସନ୍ନ ବିପଦରୁ ଉଦ୍ଧାର କରିବା ଲାଗି ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଆବଶ୍ୟକ ହୋଇଥାଏ । ଏହି କାର୍ଯ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍‍ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା ପ୍ରଶାସନକୁ ସହାୟକ ହୋଇଛି । ମେ୨ ତାରିଖରେ ପୁରୀ ଜିଲ୍ଲା ମିତ୍ସ୍ୟ ବିଭାଗ ସହାୟତାରେ ଫାଉଣ୍ଡେସନ ପକ୍ଷରୁ ପେଣ୍ଠକଟାର ୩୧ଟି ସାହିର ୨୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା ।

ବାଲେଶ୍ୱର ଜିଲ୍ଲାପାଳଙ୍କ ଦ୍ୱାରା ଆହୂତ ବିପର୍ଯ୍ୟୟ ପ୍ରସ୍ତୁତି ଓ ସଂଯୋଜନା ବୈଠଳରେ ମଧ୍ୟ ରିଲାଏନ୍ସ ଫାଉଣ୍ଡେସନ୍‍ ଯୋଗଦେଇ ଡିଜିଟାଲ୍‍ ପ୍ଳାଟଫର୍ମ କିପରି ଭାବେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ପୁନଃଥଇଥାନ ପାଇଁ ସହାୟକ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *