ଆଞ୍ଚଳିକ ଦଳ, ଯାହା କରିବେ ରାଜ୍ୟ ସ୍ବାର୍ଥ ପାଇଁ : ନବୀନ
ଆଜି କୋଲକୋତାରେ ମମତା ବାନାର୍ଜୀ ଡାକିଛନ୍ତି ବିଜେପି ବିରୋଧୀ ସମାବେଶ। ଏହି ସମାବେଶରେ ଦେଶର ବିଜେପି ବିରୋଧୀ ବହୁ ଶକ୍ତି ଯୋଗଦେଇନ୍ତି। ଯୋଗଦେଇନାହାଁନ୍ତି ବିଜେଡି, ଟିଆରଏସ, ଏଆଇଏଡିଏମକେ ଭଳି କିଛି ଦଳ। ବିଜେଡି ଏହି ସମାବେଶରେ କାହିଁକି ଯୋଗ ଦେଲାନି ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୀତି ଆଦର୍ଶ ଓ ଆଭିମୁଖ୍ୟକୁ ସ୍ପଷ୍ଟ କରିଦେଇଛନ୍ତି।
ସେ କହିଛନ୍ତି ଯେ, ବିଜେଡି ଏକ ଆଞ୍ଚଳିକ ଦଳ। କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ଆଭିମୁଖ୍ୟରେ ବିଜେଡି ଗତ ରାଜ୍ୟରେ ଶାସନ କରୁଛି। ଏହି ଆଭିମୁଖ୍ୟ ନେଇ ଦଳ ଆଗକୁ ମଧ୍ୟ ରାଜନୀତି କରିବ। ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ଯାହ କରିବ ତାହା ରାଜ୍ୟ ସ୍ବାର୍ଥ ପାଇଁ ବୋଲି ସେ କହିଛନ୍ତି।
ମମତାଙ୍କ ଦ୍ବାରା ଆୟୋଜିତ ଏହି ସମାବେଶରେ ବିଜେଡିର ଯୋଗଦାନକୁ ନେଇ ପୂର୍ବରୁ ଚର୍ଚ୍ଚା ଲାଗି ରହିଥିଲା। ଯଦିଓ ବିଜେଡି ଏହି ସମାବେଶରେ ଯୋଗ ଦେବନି ବୋଲି ପୂର୍ବରୁ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା, ବିଜେପି ଓ କଂଗ୍ରେସ କିନ୍ତୁ ବିଜେଡିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିଲା। ଏପରିକି ବାରମ୍ବାର ବିଜେପି କଂଗ୍ରେସ-ବିଜେଡି ସଂପର୍କ ଏବଂ କଂଗ୍ରେସ ବିଜେପି-ବିଜେଡି ମଧ୍ୟରେ ଭିତିରି ସଂପର୍କ ରହିଛି ବୋଲି ଆକ୍ଷେପ କରୁଛନ୍ତି। ଏହି ସମାବେଶରେ ଯୋଗ ନଦେଇ ବିଜେଡି ସ୍ପଷ୍ଟ କରିଦେଇଛି ଯେ, ଏହା ଏବେ ବି ଦୁଇ ଜାତୀୟ ଦଳ ଠାରୁ ସମଦୂରତା ନୀତିରେ ବିଶ୍ବାସ କରୁଛି।