ନିର୍ବାଚନ ହାରିବାରେ କରିଲେଣି ରେକର୍ଡ
ଜିତିବା ପାଇଁ ଲୋକେ ନିର୍ବାଚନ ଲଢିଥାଆନ୍ତି, ଏହା ସମସ୍ତେ ଜାଣନ୍ତି। ମାତ୍ର ଭାରତରେ ଏପରି ଅନେକ ଅଛନ୍ତି ଯେଉଁମାନେ ନିର୍ବାଚନ ଲଢନ୍ତି ହାରିବା ପାଇଁ। ସେମାନଙ୍କୁ ଧରତି ପକଡ଼ ବୋଲି କୁହାଯାଇଥାଏ। ଏମାନଙ୍କ ମଧ୍ୟରୁ ଅନେକ ମନୋରଞ୍ଜନ ପାଇଁ ନିର୍ବାଚନ ମଇଦାନକୁ ଲଣ୍ଠ ପ୍ରଦାନ କରିଥିଲା ବେଳେ ଅନେକ ରାଷ୍ଟ୍ରବାଦ ଭାବନାକୁ ଜାଗ୍ରତ କରିବା ପାଇଁ ନିର୍ବାଚନ ଲଢିଥାଆନ୍ତି। ଏଭଳି ୫ଜଣ ବ୍ୟକ୍ତି ନିର୍ବାଚନ ହାରିବାରେ ଦେଶରେ ରେକର୍ଡ କରିଛନ୍ତି।
କାକା ଯୋଗିନ୍ଦର ସିଂ

ବରେଲିରେ ରହୁଥିବା କାକା ଯୋଗିନ୍ଦର ସିଂଙ୍କ ପରଲୋକ ୨୩ ଡିସେମ୍ୱର ୧୯୯୮ରେ ହୋଇସାରିଛି। ତେବେ ମୃତ୍ୟୁ ପୂର୍ବରୁ ସେ ନିର୍ବାଚନ ଲଢିବାରେ ଏକ ବିରଳ ରେକର୍ଡ ହାସଲ କରିଛନ୍ତି। ୱାର୍ଡ ସଭ୍ୟଠାରୁ ଆରମ୍ଭ କରି ରାଷ୍ଟ୍ରପତି ପଦ ପାଇଁ ସେ ନିର୍ବାଚନ ଲଢିଛନ୍ତି। ଗୋଟିଏ ସମୟରେ ଜବାହାରଲାଲ ନେହେରୁ ତାଙ୍କୁ ବିଧାନସଭା ଟିକେଟ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର କାକା ଏହାକୁ ମନା କରିଦେଇଥିଲେ। ନିଜ ସାମର୍ଥ୍ୟରେ ନିର୍ବାଚନ ଲଢିବାର ଯୁକ୍ତି ରଖୁଥିବା କାକା କୁହନ୍ତି ଯେ, ମୁଁ ଜାଣିଛି ହାରିବି, ତଥାପି ଲଢୁଛି। ଅମାନତରାଶି ଜବତ ହେବା ନେଇ ସେ କୁହନ୍ତି ଯେ, ଦେଶର ପାଣ୍ଠିରେ ମୁଁ ମୋ ଯୋଗଦାନ କରୁଛି।
ନାଗରମଲ ବାଜୋରିଆ

ଭାଗଲପୁରରେ ରହୁଥିବା ନାଗରମଲଙ୍କ ବୟସ ୯୪। ବର୍ତ୍ତମାନ ସୁଦ୍ଧା ସେ ପ୍ରତି ରାଜ୍ୟରେ ନିର୍ବାଚନ ଲଢିସାରିଛନ୍ତି। ୨୦୦ରୁ ଅଧିକ ନିର୍ବାଚନ ଲଢିଥିବା ନାଗରମଲ ଏଥର ଦିଲ୍ଲୀ ଏବଂ ପାଟନାରୁ ନିର୍ବାଚନ ଲଢୁଛନ୍ତି। ପ୍ରତିଥର ନାମାଙ୍କନ ପତ୍ର ଦାଖଲ ସମୟରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଗଧରେ ଯାଇଥାନ୍ତି। ତାଙ୍କର କହିବା କଥା ହେଉଛି ଯେ, ମୁଁ ଗଧରେ ଏଥିପାଇଁ ଯାଏ ଯେ, ଲୋକଙ୍କୁ ଜଣାଇବାକୁ ଚାହୁଁଛି କିପରି ନେତାମାନେ ଲୋକଙ୍କୁ ମୁର୍ଖ ବନାଉଛନ୍ତି।
ପଦ୍ମାରାଜନ

ତାମିଲନାଡୁରେ ରହୁଥିବା ପଦ୍ମାରାଜନ ଇଲେକସନ କିଙ୍ଗ ଭାବେ ବେଶ ଜଣାଶୁଣା। ଗିନିଜବୁକରେ ହାରିବାର ରେକର୍ଡ ହାସଲ ପାଇଁ ସେ ଯୋଜନାରେ ଅଛନ୍ତି। ବୟସ ୬୦ ହୋଇଥିଲା ବେଳେ ଅଦ୍ୟାବଧି ୨୦୦ ରୁ ଅଧିକ ନିର୍ବାଚନ ସେ ହାରିସାରିଲେଣି। ଏଥର ସେ ଧର୍ମପୁରି ଆସନରୁ ନିର୍ବାଚନ ଲଢୁଛନ୍ତି।
ଶ୍ୟାମବାବୁ ସୁବିଦ୍ଧି

ବୟସ ୮୪। ଓଡ଼ିଶାରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ସୁଦ୍ଧା ୩୨ରୁ ଅଧିକ ନିର୍ବାଚନ ହାରିସାରିଲେଣି। ପି.ଭି ନରସିଂହରାଓ, ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢିଥିବା ଶ୍ୟାମବାବୁ ଚଳିତ ନିର୍ବାଚନରେ ବହ୍ମପୁର ଏବଂ ଆସ୍କା ଆସନରୁ ପ୍ରାର୍ଥୀ ରହିଛନ୍ତି।
ନରେନ୍ଦ୍ରନାଥ ଦୁବେ

୪୦ ରୁ ଅଧିକ ନିର୍ବାଚନ ହାରିସାରିଥିବା ନରେନ୍ଦ୍ରନାଥ ଦୁବେଙ୍କ ବୟସ ହେଉଛି ୫୩। ତାଙ୍କ ଘର ବାରାଣସି। ଚଳିତ ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଭଗବାନ ରାମଙ୍କ ଭଳି ପୋଷାକ ପିନ୍ଧି ଏଥର ନରେନ୍ଦ୍ରନାଥ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିଲେ।