ରୋଷେଇ – ହ୍ୱାଇଟ୍ ସସ୍ ପାସ୍ତା
ଆବଶ୍ୟକୀୟ ଜିନିଷ – ୪୦୦ଗ୍ରାମ୍ ସିଝା ପାସ୍ତା, ଗୋଟିଏ ମିଡିୟମ୍ ଆକାରର ଚିଜ୍ କ୍ୟୁବ୍, ୧ ବଡ଼ ଚାମଚ ଜୁଆଣୀ, ୧କପ୍ ସିଝା ସୁଇଟ୍ କର୍ଣ୍ଣ୍, ଗୋଟିଏ ବଡ଼ ଚାମଚ ଲହୁଣୀ, ଅଧା ଛୋଟ ଚାମଚ ଗୋଲମରିଚ ଗୁଣ୍ଡ, ୪କପ୍ ପାଣି, ୨ ଚାମଚ କର୍ଣ୍ଣଫ୍ଲୋର୍ ପାଉଡର୍, ଗୋଟିଏ ଲାଲ୍ ସିମଲା ଲଙ୍କାର ପାଉଡର୍, ୨୦୦ ଗ୍ରାମ୍ ସିଝା ବ୍ରେକୋଲି, ଗୋଟିଏ ବଡ଼ ଗ୍ରୀନ୍ କଟା ସିମଲା ଲଙ୍କା, ଗୋଟିଏ ବଡ଼ ଚାମଚ ରସୁଣ ପେଷ୍ଟ, ୨ କପ୍ ଖିର ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସର ଆଚଂକୁ ମିଡିୟମ୍ ରଖି କରେଇ ବସାନ୍ତୁ । କରେଇରେ ପାଣି, ଲୁଣ, ସୁଇଟ୍ କର୍ଣ୍ଣ୍, ବ୍ରେକୋଲି ଓ କଟା ସିମଲା ଲଙ୍କା ପକାଇ ହାଲକା ସିଝାନ୍ତୁ । ଏହାପରେ କରେଇକୁ ଓହ୍ଲାଇ ଆଣନ୍ତୁ । ହ୍ୱାଇଟ୍ ସସ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଲୋ ଆଂଚରେ ଆଉ ଏକ କରେଇ ବସାଇ ଲହୁଣୀକୁ ଗରମ କରନ୍ତୁ । ଲହୁଣୀ ଗରମ ହେବା ପରେ ସେଥିରେ ରସୁଣ ପେଷ୍ଟକୁ ପକାଇ ୨-୩ ମିନିଟ୍ ଅଳ୍ପ ସମୟ ଭାଜନ୍ତୁ । ଏହାପରେ କର୍ଣ୍ଣଫ୍ଲୋର୍ ଓ ଖିର ପକାଇ କିଛି ସମୟ ଭଲ ଭାବେ ଗୋଳାନ୍ତୁ । ଏହି ମିଶ୍ରଣ ଗାଢ଼ା ହୋଇଯିବା ପରେ ସେଥିରେ ଜୁଆଣି, ଲାଲ୍ ସିମଲା ଲଙ୍କା ପାଉଡର୍, ଗୋଲମରିଚ ଗୁଣ୍ଡ ଓ ଅଳ୍ପ ଲୁଣ ଦେଇ ଭଲ ଭାବେ ମିଶାନ୍ତୁ । ଏହାପରେ ସେଥିରେ ଚିଜ୍ କ୍ୟୁବକୁ କୋରି କରି ପକାନ୍ତୁ । କିଛି ସମୟ ଏହା କୁକ୍ ହେବାପରେ କରେଇକୁ ଓହ୍ଲାଇ ଆଣନ୍ତୁ । ପାସ୍ତା ସର୍ଭ କରିବା ପାଇଁ ପ୍ୟାନକୁ ଗ୍ୟାସ ଉପରେ ରଖି ସେଥିରେ ସିଝା ପରିବା ଓ ପାସ୍ତା ଓ ହ୍ୱାଇଟ୍ ସସକୁ ପକାଇ ଭଲ ଭାବେ ଗୋଳାନ୍ତୁ । ସର୍ଭ ଥାଳିରେ ଏହାକୁ ରଖି ଏହା ଉପରେ ଆଉ କିଛି ଚିଜ୍ କୋରା ପକାଇ ଗରମ ଗରମ ପରଷନ୍ତୁ ।