ରୋଷେଇ – କୋବି ମଲାଇ
ଆବଶ୍ୟକୀୟ ଜିନିଷ – ୨ କପ୍ କଟା ଫୁଲ କୋବି, ୧/୪ କପ୍ ଖିର, ୨-୩ ଟି ରସୁଣ କୋଲା, ୨ଟି କଂଚା ଲଙ୍କା, ଗୋଟିଏ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ, ୧ ବଡ଼ ଚାମଚ ତେଲ, କିଛି କାଜୁ, ଗୋଟିଏ କଟା ପିଆଜ, ଖଣ୍ଡେ ଅଦା, ୨-୩ଟି ଲବଙ୍ଗ, ଗୋଟିଏ ଛୋଟ ଚାମଚ ଗରମ ମସଲା, ଛୋଟ ଚାମଚ ଅଳେଇଚ ଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ମିକ୍ସର ଜାରରେ କାଜୁ ନେଇ, ସେଥିର ଅଳ୍ପ ପାଣି ଦେଇ ତାହାକୁ ଗ୍ରାଇଣ୍ଡ କରି ପେଷ୍ଟ୍ ବନାନ୍ତୁ । ପିଆଜ, ଅଦା, ରସୁଣ ଓ ପାଣି ନେଇ ଭଲ ଭାବେ ଗ୍ରାଇଣ୍ଡ କରି ତାହାର ଏକ ପେଷ୍ଟ୍ ବନାନ୍ତୁ । ଗୋଟିଏ ପ୍ୟାନ୍ ଗରମ କରି ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ଲବଙ୍ଗ ଭାଜି ଅଦା-ରସୁଣ ପେଷ୍ଟକୁ ପକାଇ ଭଲ ଭାବେ କଷିଦିଅନ୍ତୁ । ଏହାପରେ ଛୋଟ ଛୋଟ କଟା ହୋଇଥିବା କୋବିକୁ ସେଥିରେ ପକାଇ କିଛି ସମୟ ଭାଜନ୍ତୁ । କୋବିଗୁଡ଼ିକ ହାଲକା ଲାଲ୍ ହେବା ପରେ ସେଥିରେ ଗରମ ମସଲା, ଅଳେଇଚ ପାଉଡର୍, ଗୋଲମରିଚ ଗୁଣ୍ଡ ଓ ଅଳ୍ପ ପାଣି ଦେଇ ଭଲ ଭାବେ କୁକ୍ କରନ୍ତୁ । ୧୦ ମିନିଟ୍ କୁକ୍ ହେବା ପରେ ସେଥିରେ କାଜୁ ପେଷ୍ଟ୍ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଢ଼ାଙ୍କୁଣୀ ଦେଇ ୨-୩ ମିନିଟ୍ କୁକ୍ କରନ୍ତୁ । ଏହାପରେ ସେଥିରେ ଖିର ଓ ଅଳ୍ପ ଆଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଏବଂ ଗ୍ୟାସ୍ ବନ୍ଦ କରନ୍ତୁ । ପ୍ରସ୍ତୁତ ହୋଇଗଲା କୋବି ମଲାଇ । ଏହାକୁ ଗରମ ଭାତ କିମ୍ବା ରୁଟି ସହିତ ପରଷନ୍ତୁ ।