ରୋଷେଇ – ଟମାଟ ପରଟା

ଆବଶ୍ୟକୀୟ ଜିନିଷ – ୩-୪ଟି ଟମାଟ, ଦେଢ଼ କପ୍ ଅଟା, ୮-୯ଟି ରସୁଣ କୋଲା, ଖଣ୍ଡେ ଅଦା, ଗୋଟିଏ କଂଚା ଲଙ୍କା, ୧ ଚାମଚ ଜିରା, ଅଳ୍ପ ଘିଅ ଓ ସ୍ୱାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ – ଟମାଟକୁ କାଟି ଗ୍ରାଇଣ୍ଡ୍ ଜାରରେ ପକାଇ ସେଥିରେ ରସୁଣ ଓ ଲଙ୍କା, ଜିରା, ଲୁଣ ଓ ଅଦାକୁ ପକାଇ ହାଲକା ଗ୍ରାଇଣ୍ଡ୍ କରନ୍ତୁ । ଏହାପରେ ଦରଦରା ବଟା ଟମାଟକୁ ବାଉଳରେ ବାହାର କରନ୍ତୁ ଏବଂ ସେଥିରେ ଅଟା ପକାଇ ଚକଟି ଦିଅନ୍ତୁ । ସେଥିରେ ଆଦୌ ପାଣି ଦିଅନ୍ତୁ ନାହିଁ । ଅଟା ଦଳିବା ପରେ ୧୦ ମିନିଟ୍ ଘୋଡ଼ଣୀ ଦେଇ ରଖନ୍ତୁ । ଏହାପରେ ଅଟାରୁ ଅଳ୍ପ ନେଇ ରୁଟି ଭଳି ବେଲନ୍ତୁ । ଏହାପରେ ତାୱା ବସାଇ ପରଟାକୁ ଭାଜନ୍ତୁ । ପ୍ରଥମେ ଘିଅ ଦିଅନ୍ତୁ ନାହିଁ । ପରଟାର ଦୁଇପଟ ହାଲକା ଭାଜିହେବା ପରେ ସେଥିରେ ଅଳ୍ପ ଘିଅ ଦେଇ ଭଲ ଭାବେ ଭାଜନ୍ତୁ । ପରଟାର ଅନ୍ୟପଟେ ମଧ୍ୟ ଘିଅ ଦିଅନ୍ତୁ । ଏହି ପରଟା ଭାଜି ହୋଇଯିବା ପରେ ଲାଲ୍ ରଙ୍ଗ ହୋଇଯାଏ । ତେଣୁ ଏହା ଦେଖିବା ପାଇଁ ସୁନ୍ଦର ଲାଗିଥାଏ । ବଳକା ଅଟାରେ ମଧ୍ୟ ଏଭଳି ପରଟା ପ୍ରସ୍ତୁତ କରନ୍ତୁ ଏବଂ ଗରମ ଗରମ ପରଟାକୁ ରାଇତା କିମ୍ବା ପୁଦିନା ଚଟଣୀ ସହିତ ପରଷନ୍ତୁ ।

Leave a Reply

Your email address will not be published. Required fields are marked *