ରୋଷେଇ – ଅଣ୍ଡା-ବାଇଗଣ
ଆବଶ୍ୟକୀୟ ଜିନିଷ – ଗୋଟିଏ ବଡ଼ ବାଇଗଣ, ୨ଟି ଅଣ୍ଡା, ୧ଟି ବଡ଼ ଟମାଟ କଟା, ଗୋଟିଏ ବଡ଼ ପିଆଜ, ଅଧା କପ୍ ଧନିଆ ପତ୍ର, ଅଧା ଚାମଚ ହଳଦୀ ଗୁଣ୍ଡ, ଗୋଟିଏ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ କର୍ଣ୍ଣଫ୍ଲୋର୍ ପାଉଡର୍, ଅଳ୍ପ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବାଇଗଣକୁ ଧୋଇ ଗୋଲ ଗୋଲ ଆକାରରେ ମୋଟା ଭାବେ କାଟି ନିଅନ୍ତୁ । ଏହାପରେ ବାଇଗଣ ଚାରିପଟରୁ ଛାଡ଼ି କେବଳ ମଝି ଅଂଶକୁ ଗୋଲ ଆକାରରେ କାଟି ନିଅନ୍ତୁ । ଏହାପରେ ଗୋଟିଏ ବାଉଲରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଫେଣ୍ଟିନିଅନ୍ତୁ । ସେଥିରେ କଟା ପିଆଜ, କଟା ଟମାଟ, ଧନିଆ ପତ୍ର, ହଳଦି, ଲଙ୍କା ଗୁଣ୍ଡ, କର୍ଣ୍ଣଫ୍ଲୋର୍ ପାଉଡର୍ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ତାୱା କିମ୍ବା ପ୍ୟାନ୍ ବସାଇ ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ୩-୪ଟି ବାଇଗଣକୁ ପକାନ୍ତୁ । ବାଇଗଣର ମଝି ଅଂଶରେ ଅଣ୍ଡାର ପୁରକୁ ଦେଇ କିଛି ସମୟ ଭାଜନ୍ତୁ । ବାଇଗଣର ଦୁଇପଟକୁ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ବଳକା ବାଇଗଣକୁ ମଧ୍ୟ ଏଭଳି କରନ୍ତୁ । ପ୍ରସ୍ତୁତ ହୋଇଗଲା ଏକ ନିଆରା ରେସିପି ଅଣ୍ଡା ବାଇଗଣ । ଏହାକୁ ଆପଣ ସ୍ନାକସ୍ ଭଳି ଖାଇପାରିବେ ।











