ରୋଷେଇ: ସୋୟାବିନ୍-ଆଳୁ କଷା
ଆବଶ୍ୟକୀୟ ଜିନିଷ – ୪ଟି ସିଝା ଆଳୁ, ୧ କପ୍ ସୋୟାବିନ୍, ଅଧାକପ୍ କଟା ଧନିଆପତ୍ର, ୨ଟି କଟା ଟମାଟ, ଜିରା ଅଧା ଚାମଚ, ତେଜପତ୍ର ୨ଟି, ୨ଟି ଶୁଖିଲା ଲଙ୍କା, ଅଦା-ରସୁଣ ପେଷ୍ଟ ଗୋଟିଏ ବଡ଼ ଚାମଚ, ଅଧା ଚାମଚ ଲଙ୍କା ଗୁଣ୍ଡ. ଅଧା ଚାମଚ ହଳଦୀ ଗୁଣ୍ଡ, ୧ ଛୋଟ ଚାମଚ ଗରମ ମସଲା, ୧ ଚାମଚ ଜିରାଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସୋୟାବିନକୁ ଭଲ ଭାବେ ଧୋଇ ଛାଣି ରଖନ୍ତୁ । ଏହାପରେ କରେଇରେ ତେଲ ଗରମ କରି ସୋୟାବିନକୁ ପକାନ୍ତୁ । ସେଥିରେ ଅଳ୍ପ ଲୁଣ ଓ ଳଙ୍କା ଗୁଣ୍ଡ ଦେଇ ସୋୟାବିନଗୁଡ଼ିକୁ ଲାଲ୍ ହେବା ପର୍ଯ୍ୟନ୍ତ ଭାଜିନିଅନ୍ତୁ । ତାହାକୁ ଗୋଟିଏ ଥାଲିରେ ବାହାର କରିଦିଅନ୍ତୁ । ସେହି କରେଇରେ ଆଉ ଅଳ୍ପ ତେଲ ଦେଇ ସେଥିରେ ଜିରା, ଶୁଖିଲା ଲଙ୍କା ଓ ତେଜପତ୍ର ଓ କଟା ପିଆଜକୁ ପକାଇ ହାଲକା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା-ରସୁଣ ପେଷ୍ଟ, ଅଳ୍ପ ଲୁଣ, ଲଙ୍କା ଗୁଣ୍ଡ, ହଳଦୀ, ଧନିଆ ଗୁଣ୍ଡ ଓ ଜିରାଗୁଣ୍ଡକୁ ପକାଇ ଅଳ୍ପ ସମୟ କଷିନିଅନ୍ତୁ । ସେଥିରେ କଟା ଟମାଟ ପକାଇ କୁକ୍ କରନ୍ତୁ । ଟମାଟ ଭଲ ଭାବେ ସିଝିବା ପରେ ସେଥିରେ ଅଳ୍ପ ପାଣି ପକାନ୍ତୁ ଏବଂ ସେଥିରେ ସିଝା ଆଳୁକୁ ଖଣ୍ଡ କରି ପକାନ୍ତୁ । ଏହାପରେ ସେଥିରେ ଭଜା ସୋୟାବିନ୍ ଓ ଗରମ ମସଲାକୁ ପକାଇ ଭଲ ଭାବେ ମସଲା ସହିତ ଗୋଳାଇ ଦିଅନ୍ତୁ । ଏହାପରେ ଢ଼ାଙ୍କୁଣୀ ଦେଇ ପ୍ରାୟ ୧୦ ମିନିଟ୍ କୁକ୍ କରନ୍ତୁ । ୧୦ ମିନିଟ୍ ପରେ ଦେଖିବେ ମସଲାପାଣି ସୋୟାବିନରେ ସମ୍ପୂର୍ଣ୍ଣ ଭାବେ ଅବଜରଭ୍ କରିସାରିଥିବ । ତେବେ ପ୍ରସ୍ତୁତ ହୋଇଗଲା ସୋୟା-ଆଳୁ କଷା । ପରଷିବା ସମୟରେ ଏହା ଉପରେ କଟା ଧନିଆ ପତ୍ର ପକାନ୍ତୁ ।











