ରୋଷେଇ – ବ୍ରେଡ୍ ରସଗୋଲା
ଆବଶ୍ୟକୀୟ ଜିନିଷ – ଗୋଟିଏ ଛୋଟ ପ୍ୟାକେଟ୍ ତାଜା ବ୍ରେଡ୍, ଗୋଟିଏ ବାଉଲ୍ ଖିର, ୨ ବଡ଼ ଚାମଚ ଚିନି ପାଉଡର୍, ୫୦ ଗ୍ରାମ୍ ଦାନା ଚିନି ଓ ଅଳ୍ପ ପାଣି ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବ୍ରେଡର ଚାରିପଟେ ଥିବା ପୋଡ଼ା ଅଂଶକୁ ବାହାର କରିନିଅନ୍ତୁ । ଏହାପରେ ସେହି ବ୍ରେଡଗୁଡ଼ିକୁ ହାତରେ ଛୋଟ ଛୋଟ ଖଣ୍ଡ କରିନିଅନ୍ତୁ । ଏହାପରେ ଗୋଟିଏ ବଡ଼ ବାଉଲରେ ପାଉଁରୁଟି ଖଣ୍ଡଗୁଡ଼ିକ ସହିତ ଖିର ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ଚିନି ପାଉଡର୍ ପକାଇ ପୁଣିଥରେ ଭଲ ଭାବେ ଦଳି ଦିଅନ୍ତୁ । ଏହାକୁ ଗୋଟିଏ ଘୋଡ଼ଣୀ ଦେଇ ୧୦ ମିନିଟ୍ ରଖିଦିଅନ୍ତୁ । ଏହାପରେ ଚିନି ସିରା ପ୍ରସ୍ତୁତ କରନ୍ତୁ । ଚିନି ସିରା ପାଇଁ କରେଇ ବସାଇ ପାଣି ଦିଅନ୍ତୁ । ଏହାପରେ ଚିନି ପକାନ୍ତୁ । ଏହାକୁ ଅଧିକ ମୋଟା କରନ୍ତୁ ନାହିଁ । ଚିନି ସିରା ପତଳା ରହିଲେ ଭଲ । ସିରା ପ୍ରସ୍ତୁତ ହେବା ଭିତରେ ଚକଟା ପାଉଁରୁଟିରୁ ଅଳ୍ପ ନେଇ ବଲସ୍ ବନାନ୍ତୁ । ଆପଣଙ୍କ ମନ ପସନ୍ଦର ବଡ଼ କିମ୍ବା ଛୋଟ ରସଗୋଲା ଅନୁଯାୟୀ ଆପଣ ପାଉଁରୁଟି ବଲସ୍ ବନାଇ ପାରିବେ । ସବୁଗୁଡ଼ିକ ବଲସ୍ ପ୍ରସ୍ତୁତ ହେବା ପରେ ଚିନି ସିରାରେ ପକାଇ ଭଲ ଭାବେ ଫୁଟାନ୍ତୁ । ୪-୫ ମିନିଟ୍ କୁକ୍ ହେବା ପରେ ବଲସଗୁଡ଼ିକୁ ଆରପଟକୁ ଓଲଟାଇ ଦିଅନ୍ତୁ । ଚିନି ସିରାରେ ଭଲ ଭାବେ ରହିବା ପରେ ଗ୍ୟାସକୁ ବନ୍ଦ କରିଦିଅନ୍ତୁ । କରେଇକୁ ବାହାର କରି ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ । ପୁରା ଥଣ୍ଡା ହେବା ପରେ ରସଗୋଲାଗୁଡ଼ିକୁ ଚିନିସିରାରୁ ବାହାରକୁ ଆଣନ୍ତୁ । ଖୁବ୍ ସହଜରେ ଓ କମ୍ ଖର୍ଚ୍ଚରେ ପ୍ରସ୍ତୁତ ହୋଇଗଲା ରସଗୋଲା ।