ରୋଷେଇ – ପୁରଦିଆ କଖାରୁ ଫୁଲ

ଆବଶ୍ୟକୀୟ ଜିନିଷ – ୧୦ଟି କଖାରୁ ଫୁଲ, ମିଡିୟମ୍ ସାଇଜର ୩ଟି ସିଝା ଆଳୁ, ୩ ଚାମଚ ବେସନ, ୫ ଚାମଚ ଚାଉଳ ଚୁନା, ଗୋଟିଏ ବଡ଼ ପିଆଜ କଟା, ଗୋଟିଏ କଟା କଂଚା ଲଙ୍କା, ୧ଚାମଚ ଅଦା-ରସୁଣ ପେଷ୍ଟ୍, ହଳଦୀ ୧/୨ ଚାମଚ, ଲଙ୍କା ଗୁଣ୍ଡ ୧/୨ ଚାମଚ ଓ ଆବଶ୍ୟକ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଖାରୁ ଫୁଲକୁ ଧୋଇ ତା’ର ଡେମ୍ଫ ବାହାର କରନ୍ତୁ । ଏହାପରେ କଖାରୁ ଫୁଲକୁ ଗୋଟିଏ ସାଇଡରୁ ଚିରି ଖୋଲି ରଖନ୍ତୁ । ସବୁଗୁଡ଼ିକ ଫୁଲକୁ ଏଭଳି କରନ୍ତୁ । ଏହାପରେ ଆଳୁଗୁଡ଼ିକୁ ଏକ ବାଉଲରେ ପକାଇ ଚକଟି ଦିଅନ୍ତୁ । ସେଥିରେ କଟା ପିଆଜ, କଂଚା ଲଙ୍କା ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ଦୁଇଟି ଫୁଲକୁ ସାଇଜରେ ରଖନ୍ତୁ (ଗୋଟିଏ ଫୁଲ ଉପରେ ଆଉ ଗୋଟିଏ ଫୁଲ)ଏବଂ ସେଥିରେ ଆଳୁ ପୁର ଦେଇ ଭଲ ଭାବେ ରୋଲ୍ କରିଦିଅନ୍ତୁ । ଏହାପରେ ଗୋଟିଏ ବାଉଲରେ ବେସନ, ଚାଉଳ ଚୁନା, ହଳଦୀ, ଲଙ୍କା ଗୁଣ୍ଡ, ଅଦା ରସୁଣ ପେଷ୍ଟ୍, ଅଳ୍ପ ଲୁଣ ଓ ପାଣି ଦେଇ ଆଣ ପ୍ରସ୍ତୁତ କରନ୍ତୁ । ଅଳ୍ପ ତେଲରେ କୁକ୍ କରିବାକୁ ଚାହୁଁଥିଲେ ଏକ ପ୍ୟାନ୍ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ କଖାରୁ ଫୁଲକୁ ଆଣରେ ଭଲ ଭାବେ ଡିପ୍ କରି ପ୍ୟାନରେ ପକାନ୍ତୁ । (ଏହାକୁ ଆପଣ ଅଧିକ ତେଲରେ ଛାଣି ପାରିବେ) । ପ୍ୟାନରେ ଥିବା କଖାରୁ ଫୁଲର ଗୋଟିଏ ସାଇଡ୍ ହାଲକା ବାଦାମୀ ରଙ୍ଗର ହେଲେ ଏହାକୁ ଓଲାଟାଇ ଦିଅନ୍ତୁ । ଲୋ ଫ୍ଲେମରେ କଖାରୁ ଫୁଲକୁ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ପୁରଦିଆ କଖାରୁ ଫୁଲ । ଏହାକୁ ବର୍ଷାଦିନରେ ଟମାଟ ସସ୍ ସହିତ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *