ରୋଷେଇ – କ୍ରିସପି ଚଟପଟା ଅଟା ଖଜା
ଆବଶ୍ୟକୀୟ ଜିନିଷ – ୧ କପ୍ ଅଟା, ୩ଟି ସିଝା ଆଳୁ, ୧/୨ ଚାମଚ ଚାଟ୍ ମସଲା, ୧/୪ ଚାମଚ ଗରମ ମସଲା, ୧/୪ ଲଙ୍କା ପାଉଡର୍, ୧ ଚୁଟକି ହଳଦି, ୧ ଟି କଂଚା ଲଙ୍କା, ଅଧା କପ କଟା ଧନିଆ ପତ୍ର, ଗୋଟିଏ ଟି ସ୍ପୁନ୍ ଜୁଆଣୀ, ୩ ଟେବୁଲ୍ ସ୍ପୁନ୍ ତେଲ, ଛାଣିବା ପାଇଁ ତେଲ, ଅଳ୍ପ ପାଣି ଓ ଲୁଣ ସ୍ୱାଦ ଅନୁଯାୟୀ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଅଟାରେ ଅଳ୍ପ ଲୁଣ, ୨ ଚାମଚ ତେଲ ଓ ଅଳ୍ପ ପାଣି ପକାଇ ଭଲ ଭାବେ ଚକଟି ଦିଅନ୍ତୁ । ଅଟା ଚକଟି (ରୁଟି ଭଳି) ସାରିବା ପରେ ସେଥିରେ ଆଉ ଏକ ଚାମଚ ତେଲ ଦେଇ ଏକ ଘୋଡ଼ଣୀ ସାହାଯ୍ୟରେ କଭର୍ କରିଦିଅନ୍ତୁ । ଏହାକୁ ପ୍ରାୟ ୨୦ ମିନିଟ୍ ରଖନ୍ତୁ । ଏହାପରେ ଗୋଟିଏ ବାଉଲରେ ଆଳୁ ଚକଟାକୁ ନେଇ ସେଥିରେ ଚାଟ୍ ମସଲା, ଗରମ ମସଲା, ଲଙ୍କା ପାଉଡର୍, ହଳଦି, କଟା କଂଚା ଲଙ୍କା, ଧନିଆ ପତ୍ର ଓ ଜୁଆଣୀ ପକାଇ ଭଲ ଭାବେ ଗୋଳାଇ ଚକଟି ଦିଅନ୍ତୁ । ୨୦ ମିନିଟ୍ ପରେ ଅଟାକୁ ପୁଣିଥରେ ଚକଟି ସଫ୍ଟ କରିଦିଅନ୍ତୁ । ଏହାପରେ ଅଟାରୁ ଗୋଟିଏ ବଡ଼ ଗୁଳା ନେଇ ବେଲନ୍ତୁ । ଧ୍ୟାନ ରଖନ୍ତୁ ରୁଟିକୁ ଅଧିକ ପତଳା କରିବେ ନାହିଁ କିମ୍ବା ଗୋଟିଏ ପାଖ ମୋଟା ପତଳା ହେବ ନାହିଁ । ଏହାପରେ ସେହି ରୁଟି ଉପରେ ଚାରିଆଡକୁ ଆଳୁ ପୁରକୁ ରଖି ଟାଇଟ୍ କରି ରୋଲ୍ ବନାନ୍ତୁ । ଏହି ରୋଲକୁ ଛୁରି ସାହାଯ୍ୟରେ ସମାନ ଖଣ୍ଡ କରି କାଟନ୍ତୁ । ଗୋଟିଏ ରୋଲରୁ ୫ରୁ ୬ଟି ଖଣ୍ଡ ହେବ । ଗୋଟିଏ ଖଣ୍ଡ ନେଇ ହାଲ୍କା ହାତରେ ଦବାଇ ଦେଇ ହାଲକା ବେଲନ୍ତୁ । ଆଳୁ ପୁର ନ ବାହାରିବା ଭଳି ହାଲ୍କା ବେଲନ୍ତୁ । ସବୁ ଖଣ୍ଡଗୁଡ଼ିକୁ ଏଭଳି କରନ୍ତୁ । ଏହାପରେ କରେଇ ବସାଇ ତେଲ ଗରମ କରନ୍ତୁ । ତେଲ ଭଲ ଭାବେ ଗରମ ହେବା ପରେ ଏହି ଖଣ୍ଡଗୁଡ଼ିକୁ ସେଥିରେ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା କ୍ରିସପି ଚଟପଟା ଅଟା ଖଜା । ଏହାକୁ ପୁଦିନା ଚଟଣୀ ସହିତ ଗରମ ଗରମ ପରଷନ୍ତୁ ।