ରୋଷେଇ – ମଖମଲି ମସାଲା ପାସ୍ତା

ଆବଶ୍ୟକୀୟ ଜିନିଷ – ୩ କପ୍ ସୁଜି ପାସ୍ତା, ୩ ଚାମଚ ଲହୁଣୀ, ଗୋଟିଏ ବଡ଼ ପିଆଜ, ଦୁଇଟି ଟମାଟ, ୯-୧୦ଟି ରସୁଣ କୋଲା, ଖଣ୍ଡେ ଅଦା, ଗୋଟିଏ କଂଚା ଲଙ୍କା, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦୀ ଗୁଣ୍ଡ, ୧/୨ ଚାମଚ ଗୋଲମରିଚ ଗୁଣ୍ଡ, ୧/୨ ଚାମଚ ଗରମ ମସଲା, ଅଧା କପ୍ କଟା ଧନିଆପତ୍ର ଓ ସ୍ୱାଦ ଅନୁଯାୟୀ ଲୁଣ ।


ପ୍ରସ୍ତୁତି ପ୍ରଣାଳୀ –
ପ୍ରଥମେ ଏକ ପ୍ୟାନରେ ପାଣି ଗରମ କରନ୍ତୁ । ପାଣି ଫୁଟିବା ପରେ ସେଥିରେ ଅଳ୍ପ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ । ଏହାପରେ ସେଥିରେ ପାସ୍ତା ପକାଇ ଲୋ ଫ୍ଲେମରେ ସିଝିବାକୁ ଦିଅନ୍ତୁ । ପାସ୍ତା ସିଝିବା ଭିତରେ ପିଆଜ, ଅଦା, ରସୁଣ ଓ ଲଙ୍କାକୁ ସମ୍ପୂର୍ଣ୍ଣ ଛୋଟ ଛୋଟ (ଗୁଣ୍ଡ ହେବା ଭଳି) କରି କାଟନ୍ତୁ । ମନେ ରଖନ୍ତୁ ଅଦା-ରସୁଣ ପେଷ୍ଟ ଦେବେ ନାହିଁ । କାରଣ ଏହା ଦ୍ୱାରା ପାସ୍ତାର ସ୍ୱାଦ ବଦଳି ଯାଇଥାଏ । ଟମାଟକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ୍ ବନାନ୍ତୁ । ଏସବୁ ସରିବା ପରେ ଏକ କରେଇ ବସାଇ ସେଥିରେ ଲହୁଣୀ ଦିଅନ୍ତୁ । ଲହୁଣୀ ଗରମ ହେବା ପରେ ସେଥିରେ ପିଆଜ, ଅଦା, ରସୁଣ ଓ କଂଚା ଲଙ୍କା ଓ ଗ୍ରାଇଣ୍ଡ ହୋଇଥିବା ଟମାଟ ପକାଇ ଭଲ ଭାବେ କୁକ୍ କରନ୍ତୁ । ଏହାପରେ ସେଥିରେ ଲଙ୍କା ପାଉଡର୍, ହଳଦୀ, ଗରମ ମସଲା ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଘୋଡ଼ଣୀ ଦେଇ ଦିଅନ୍ତୁ । ମନେ ରଖନ୍ତୁ ଏଥିରେ କମ୍ ଲୁଣ ଦେବେ । କାରଣ ପାସ୍ତା ସିଝାଇବା ସମୟରେ ସେଥିରେ ଲୁଣ ପକାଯାଇଥିଲା । ଏହାପରେ ପାସ୍ତାକୁ ବାହାରକୁ ଆଣି ଛାଣି ଦିଅନ୍ତୁ । ଛାଣିବା ପରେ ତାହାକୁ ନେଇ ସେହି ଟମାଟ ମସଲାରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଆଉ ୧୦-୧୫ ମିନିଟ୍ କୁକ୍ ହେବା ପାଇଁ ଘୋଡ଼ଣୀ ଦେଇଦିଅନ୍ତୁ । ଏହା ଯେପରି କରେଇରେ ଲାଗି ନଯାଏ, ସେଥିପାଇଁ ଗ୍ୟାସକୁ ଲୋ ଫ୍ଲେମରେ ରଖନ୍ତୁ ଏବଂ କିଛି ସମୟ ବ୍ୟବଧାନରେ ପାସ୍ତାକୁ ଚଲାନ୍ତୁ । ୧୫ -୨୦ ମିନିଟ୍ ଏଭଳି କରିବା ପରେ ସେଥିରେ କିଛି ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।

Leave a Reply

Your email address will not be published. Required fields are marked *