ରୋଷେଇ – ଛେନା ମୁଡ଼କି
ଆବଶ୍ୟକୀୟ ଜିନିଷ – ଦେଢ଼ ଲିଟର୍ ଫୁଲ୍ ଫ୍ୟାଟ୍ ଖିର, ୧ ବଡ଼ କପ୍ ଚିନି, ଏହାର ୩ଗୁଣା ଅଧିକ ପାଣି, ୪-୫ଟି ଗୁଜରାତି ଗୁଣ୍ଡ, ୨ ଚାମଚ ଭିନେଗାର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଖିରକୁ ଭଲ ଭାବେ ଗରମ କରନ୍ତୁ । ଏହି ଫୁଟିବା ଖିରରେ ଭିନେଗାର ପକାନ୍ତୁ ଓ ଭଲ ଭାବେ ଗୋଳାନ୍ତୁ । ଖିରରୁ ଛେନା ଓ ପାଣି ଅଲଗା ହେବା ପାଇଁ ୨-୩ ମିନିଟ୍ ଭଲ ଭାବେ କୁକ୍ ହେବାକୁ ଦିଅନ୍ତୁ । ଅଧିକ ସମୟ ଫୁଟାଇବେ ନାହିଁ । କାରଣ ଛେନା ଟାଣ ହୋଇଯିବ । ଛେନା ହୋଇଗଲା ପରେ ତାହାକୁ ଗୋଟିଏ ପତଳା କପଡ଼ା ମାଧ୍ୟମରେ ଛାଣିନିଅନ୍ତୁ । ଏହାପରେ ଛେନାରେ ଥିବା ଭିନେଗାରର ଖଟା ବାସ୍ନା ଯିବା ପାଇଁ ଛେନାକୁ ଖାଲି ପାଣିରେ ଧୋଇ ଦିଅନ୍ତୁ । ଛେନାକୁ ଚିପୁଡ଼ି ଦିଅନ୍ତୁ । ଏହାପରେ ଛେନାକୁ ହାତରେ ଚକଟି ସମ୍ପୂର୍ଣ୍ଣ ସଫ୍ଟ କରନ୍ତୁ, ଏହା ଯେପରି ବାଉଲରେ ଲାଗିବ ନାହିଁ । ଏହା ଅଟା ଚକଟା ଭଳି ସପ୍ଟ ହୋଇଯିବା ପରେ ଛେନାକୁ ଛୋଟ ଛୋଟ ବଲସ୍ କରି ଗଢ଼ନ୍ତୁ ଏବଂ ଏହାକୁ ଚେପଟା କରି କ୍ୟୁବସ୍ ଭାବେ ସେପ୍ କରନ୍ତୁ । ଏହାପରେ କରେଇ ବସାଇ ଚିନି ପକାନ୍ତୁ । ଚିନି ପରେ ପାଣି ମିଶାଇ ସିରା ପ୍ରସ୍ତୁତ କରନ୍ତୁ । ଏହା ହାଲକା ବ୍ରାଉନ୍ ରଙ୍ଗର ହେବା ପରେ ଗୁଜରାତି ଗୁଣ୍ଡ ପକାଇ ୧-୨ ମିନିଟ୍ ଫୁଟିବାକୁ ଛାଡ଼ନ୍ତୁ । ଏହା ଫୁଟିବା ପରେ ସେଥିରେ ଛେନା କ୍ୟୁବସଗୁଡ଼ିକ ପକାନ୍ତୁ ଏବଂ ଏହାକୁ ଘୋଡ଼ଣୀ ଦେଇ ଭଲ ଭାବେ କୁକ୍ ହେବାକୁ ଦିଅନ୍ତୁ । ଏହି ଛେନା କ୍ୟୁବସ୍ଗୁଡ଼ିକ ଫୁଲିବା ପରେ ଘୋଡ଼ଣୀ ବାହାର କରି ଛେନା କ୍ୟୁବସର ଆରପଟକୁ ଓଲଟାଇ ଦିଅନ୍ତୁ । କାରଣ ଚିନି ସିରା ଛେନା କ୍ୟୁବସ୍ ଭିତରେ ଭଲ ଭାବେ ରହିବା ଦରକାର । ଏହାକୁ ଲୋ ମିଡିୟମରେ କୁକ୍ କରନ୍ତୁ । ଏହା କୁକ୍ ହୋଇଯାଇ ଲାଲ୍ ହେବା ପରେ ଚିନି ସିରାରୁ ବାହାର କରି ଆଣନ୍ତୁ । ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ପରଷନ୍ତୁ ।