ରୋଷେଇ – ପାଚିଲା କାକୁଡ଼ି କାକରା
ଆବଶ୍ୟକୀୟ ଜିନିଷ – ୨୫୦ ଗ୍ରାମ୍ ବା ୨ କପ୍ ବତୁରା ଅରୁଆ ଚାଉଳ, ବଡ଼ ପାଚିଲା କାକୁଡ଼ିର ଅଧା ଭାଗ,୧୦୦ ଗ୍ରାମ୍ ଗୁଡ, ଛାଣିବା ପାଇଁ ତେଲ ଓ ୩ ଚୁଟକି ଲୁଣ ।
(ମାର୍କେଟରୁ ଏଭଳି କାକୁଡ଼ି ଆଣନ୍ତୁ ଯାହାକି ସମ୍ପୂର୍ଣ୍ଣ ଭାବେ ପାଚିଲା ପରେ ଫାଟି ଯାଇଥିବ । ଯଦି କାକୁଡ଼ି ଟିକେ ଟାଣ ଥିବ ତାହେଲେ ଏହାକୁ ଆପଣ ଗୋଟିଏ କପଡ଼ାରେ ଗୁଡ଼ାଇ ରୁମ୍ ଟେମ୍ପରେଚରରେ ରଖିଦିଅନ୍ତୁ । ଏହା ପାଚିକରି ଫାଟିବା ପରେ ବ୍ୟବହାର କରନ୍ତୁ । କାରଣ ଏହା ଅଧିକ ସ୍ୱାଦ ଆଣିଥାଏ । ଆପଣ ଯେତିକି ମିଠା ଖାଇବାକୁ ପସନ୍ଦ କରୁଥିବେ ସେହି ଅନୁଯାୟୀ ଗୁଡ଼ର ପରିମାଣ କମ୍ କିମ୍ବା ବେଶି କରିପାରିବେ) ।
ପ୍ରସ୍ତୁତି ପ୍ରଣାଳୀ – ବତୁରା ଚାଉଳକୁ ଭଲ ଭାବେ ଧୋଇ ଚିକ୍କଣ କରି ଗ୍ରାଇଣ୍ଡ୍ କରନ୍ତୁ । ଏହା ଅଧିକ ବହଳିଆ କିମ୍ବା ଅଧିକ ପାଣି ହେବା ଉଚିତ୍ ନୁହେଁ । ତେଣୁ ଏହାକୁ ସମାନ ଭାବରେ ପାଣି ଦେଇ ଗ୍ରାଇଣ୍ଡ୍ କରି ନିଅନ୍ତୁ । ଏହା ପରେ କାକୁଡ଼ିରୁ ଚୋପା ଛଡ଼ାଇନିଅନ୍ତୁ ଏବଂ ଭିତରର ମଞ୍ଜିକୁ ବାହାର କରି ଛୋଟ ଛୋଟ ଖଣ୍ଡ କରି କାଟିନିଅନ୍ତୁ । କାକୁଡ଼ି ଖଣ୍ଡଗୁଡ଼ିକୁ ସେହି ଚାଉଳ ବଟାରେ ପକାଇ ଭଲ ଭାବେ ଚକଟି ନିଅନ୍ତୁ । ଏହାପରେ କରେଇ ବସାଇ ସେଥିରେ ଅଧାକପ୍ ପାଣି ଦିଅନ୍ତୁ । ପାଣି ଫୁଟିବା ପରେ ସେଥିରେ କାକୁଡ଼ି ଓ ଚାଉଳ ପେଷ୍ଟ୍, ଗୁଡ଼ ଓ ଲୁଣ ଦେଇ କୁକ୍ ହେବାକୁ ଦିଅନ୍ତୁ । କରେଇରେ ଏହା ନ ଲାଗିବା ପାଇଁ ମଝିରେ ମଝିରେ ଘୋଡ଼ଣୀ ବାହାର କରି ଚଲାନ୍ତୁ । ଏହା ସମ୍ପୂର୍ଣ୍ଣ ସିଝିବା ପରେ ଗୋଟିଏ ପ୍ଲେଟକୁ ବାହାର କରି ଭଲ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହୋଇଯିବା ପରେ ହାତରେ ଘିଅ ଲଗାଇ ଏହାକୁ ଭଲ ଭାବେ ଦଳି ଦିଅନ୍ତୁ । ଏହାପରେ କାକରା କରିବା ଭଳି ଅଳ୍ପ ଅଳ୍ପ ନେଇ ପିଠା ଗଢ଼ନ୍ତୁ । କରେଇରେ ତେଲ ଗରମ କରନ୍ତୁ ଏବଂ ଗ୍ୟାସକୁ ମିଡିୟମ୍ ଆଂଚରେ ରଖି ପିଠାଗୁଡ଼ିକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ପାଚିଲା କାକୁଡ଼ି କାକରା । କିଛି ଡ୍ରାଏଫୁଡସକୁ ଉପରେ ରଖି ସର୍ଭ କରନ୍ତୁ ।