ରୋଷେଇ – ଚଟପଟା ମସରୁମ୍
ଆବଶ୍ୟକୀୟ ଜିନିଷ – ୪୦୦ ଗ୍ରାମ ଛତୁ, ୧ ଟି ବଡ଼ କଟା ପିଆଜ, ୨ଟି ମିଡିୟମ୍ ସାଇଜର୍ କଟା ଆଳୁ, ୧ କପ୍ କଟା ଟମାଟ, ୧ ବଡ଼ ଚାମଚ ରସୁଣ-ଅଦା ପେଷ୍ଟ୍ , ୧/୨ ଚାମଚ ହଳଦୀ, ୧/୨ କପ୍ କଟା ଧନିଆ ପତ୍ର, ଅଧା ଲେମ୍ବୁ, ୧ଟି କଟା କଂଚା ଲଙ୍କା, ୨ ଟେବୁଲ୍ ସ୍ପୁନ୍ ତେଲ, ୧ ଚାମଚ ପଞ୍ଚ ଫୁଟଣ, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଧନିଆ ପାଉଡର୍, ୧/୨ ଚାମଚ ଜିରା ପାଉଡର୍, ୧ ଚାମଚ ଗରମ ମସଲା ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ । ଏହାପରେ କରେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଖୁବ୍ ଛୋଟ ଛୋଟ ଖଣ୍ଡ ହୋଇଥିବା ଆଳୁକୁ ପକାଇ ଭାଜି ନିଅନ୍ତୁ । ଆଳୁ ଭାଜି ହୋଇଯିବା ପରେ ତାହାକୁ ଏକ ପ୍ଲେଟରେ ବାହାର କରି ଆଣନ୍ତୁ । କରେଇରେ ତେଲ ଦେଇ ପଞ୍ଚ ଫୁଟଣ, ପିଆଜ, କଟା କଂଚା ଲଙ୍କା, ଟମାଟ, ଅଦା-ରସୁଣ ପେଷ୍ଟ, ହଳଦୀ ପକାଇ ମସଲାକୁ ଭଲ ଭାବେ କସି ଦିଅନ୍ତୁ । ଏହାପରେ ସେଥିରେ କଟା ହୋଇଥିବା ଛତୁକୁ ପକାଇ ଭଲ ଭାବେ ଗୋଳାଇ ଦେଇ ଗ୍ୟାସର ଆଂଚକୁ ମିଡିୟମରେ ରଖି ଏକ ଘୋଡଣୀ ଦେଇ ଛତୁକୁ କୁକ୍ ହେବାକୁ ଦିଅନ୍ତୁ । ୧୦ ମିନିଟ କୁକ୍ ହେବା ପରେ ସେଥିରୁ ପାଣି ବାହାରି ଆସିବ । ଏହାକୁ ପୁଣିଥରେ ଭଲ ଭାବେ ଗୋଳାଇ ପୁଣି ଥରେ ଘୋଡଣୀ ଦେଇଦିଅନ୍ତୁ । ଏଭଳି କିଛି ସମୟ ଛତୁରୁ ପାଣି ହାଲକା ଶୁଖିବା ପରେ ଘୋଡଣୀ ବାହାର କରି ସେଥିରେ ଭଜା ଆଳୁ, ଲୁଣ, ଜିରା ପାଉଡର୍, ଧନିଆ ପାଉଡର୍, କଟା ଧନିଆ ଓ ଗରମ ମସଲା ପକାଇ ଭଲ ଭାବେ ଘାଣ୍ଟିଦିଅନ୍ତୁ ଏବଂ ଘୋଡଣୀ ଦିଅନ୍ତୁ । କରେଇରେ ଏହା ନ ଲାଗିବା ପାଇଁ କିଛି ସମୟ ବ୍ୟବଧାନରେ ଘୋଡଣୀ ବାହାର କରି ଏହାକୁ ଚଲାନ୍ତୁ । ଛତୁ ସମ୍ପୂର୍ଣ୍ଣ ସିଝିବା ପରେ ସେଥିରେ ଲେମ୍ବୁ ରସ ପକାନ୍ତୁ ଏବଂ ଭଲ କରି ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚଟପଟା ଛତୁ । ଏହାକୁ ପରଟା କିମ୍ବା ଗରମ ଭାତ ସହିତ ଖାଆନ୍ତୁ ।