ରୋଷେଇ – ରାଗ ଖେଚୁଡ଼ି (ସାଉଥ୍ ଇଣ୍ଡିଆନ୍ ଡିସ୍)
ଆବଶ୍ୟକୀୟ ଜିନିଷ – ରନ୍ଧା ଭାତ ୩ ବଡ଼ କପ୍, ଛୁଙ୍କ ପାଇଁ ତେଲ, ପଞ୍ଚଫୁଟଣ, ଗୋଟିଏ ଶୁଖିଲା ଲଙ୍କା, ୧/୨ ଚାମଚ ହଳଦି, ଭଜା ବାଦାମ୍ ୧ କପ୍, ୧/୨ କପ୍ ବୁଟଡାଲି, ୧/୨ କପ୍ ବିରିଡାଲି, ଭୃସଙ୍ଗ ପତ୍ର ଅଧା କପ୍, କଟା ପିଆଜ ୧ କପ୍, ଟମାଟ କଟା ୧ କପ୍, ଗ୍ରୀନ୍ ମଟର ୧ କପ୍, ଗୋଟିଏ କଟା କଂଚା ଲଙ୍କା, ୧/୨ କପ୍ ତେନ୍ତୁଳି ମଣ୍ଡ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗୋଟିଏ କରେଇ ବସାଇ ସେଥିରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ପଞ୍ଚଫୁଟଣ, ଶୁଖିଲା ଲଙ୍କା, ବିରି ଡାଲି ବୁଟ ଡାଲି ଓ ପିଆଜ ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ସେଥିରେ ଟମାଟ, ଗ୍ରୀନ୍ ମଟର, ହଳଦି, ଭୃସଙ୍ଗ ପତ୍ର, ଲୁଣ ଓ କଂଚା ଲଙ୍କା ଦେଇ ଅଳ୍ପ ସମୟ ଭାଜିବା ପରେ ଘୋଡଣୀ ଦେଇ ଭଲ ଭାବେ କୁକ୍ ହେବା ପାଇଁ ଛାଡ଼ିଦିଅନ୍ତୁ । ୧୦ ମିନିଟ୍ କୁକ୍ ହେବା ପରେ ସେଥିରେ ଭାତ ଓ ତେନ୍ତୁଳି ମଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ଭାତ କରେଇର ନ ଲାଗିବା ପାଇଁ ଅଳ୍ପ ପାଣି ଦିଅନ୍ତୁ ଏବଂ ଧିମା ଆଂଚରେ ଆଉ ୫ ମିନିଟ୍ କୁକ୍ ହେବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ରାଗ ଖେଚୁଡ଼ି । ଏହାକୁ ଆପଣ ରାତିର ବଳକା ଭାତରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଯଦି ଆପଣ ଏହାକୁ ରାତିର ଭାତରେ ପ୍ରସ୍ତୁତ କରୁଥାନ୍ତି, ତେବେ ତେନ୍ତୁଳି ମଣ୍ଡ ଦେବେ ନାହିଁ । କାରଣ ଏହା ଅଧିକ ଖଟା ହୋଇଯାଏ ।