ରୋଷେଇ – ସୁଜି ପରଟା
ଆବଶ୍ୟକୀୟ ଜିନିଷ – ୧ କପ୍ ସୁଜି, ୨ ଚାମଚ ରିଫାଇନ୍ ତେଲ, ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦୀ ଗୁଣ୍ଡ, ପିଆଜ କଟା ୧ କପ୍, ଗୋଟିଏ କଂଚା ଲଙ୍କା, ୧ ଚାମଚ ଧନିଆ ପାଉଡର୍, ୧/୨ ଚାମଚ ଜିରା, ଦେଢ କପ୍ ହାଲକା ଗରମ ପାଣି, ଅଧା କପ୍ ଧନିଆ ପତ୍ର, କିଛି ଶୁଖିଲା ଅଟା ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଏକ ବଡ଼ ବାଉଲରେ ସୁଜି ସହିତ ଅନ୍ୟ ସବୁ ସାମଗ୍ରୀ ଓ ଅଳ୍ପ ଉଷୁମ ପାଣି ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାକୁ ଏକ ଡାଙ୍କୁଣୀ ଦେଇ ପ୍ରାୟ ଅଧଘଣ୍ଟା କିମ୍ବା ୪୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ୪୫ ମିନିଟ୍ ପରେ ସୁଜିରେ ଆଉ ୨ ଚାମଚ ତେଲ ଦେଇ ଭଲ ଭାବେ ଚକଟି ଦିଅନ୍ତୁ । ଏହାପରେ ସେଥିରୁ ଅଳ୍ପ ନେଇ ଏକ ଛୋଟ ଗୁଳା ବନାନ୍ତୁ ଏବଂ ସେଥିରେ ଅଟା ଲଗାଇ ରୁଟି ବେଲିବା ଭଳି ବେଲଣା ପଟାରେ ହାଲକା ବେଲି ଦିଅନ୍ତୁ । କିନ୍ତୁ ମନେ ରଖିବେ ଏହାକୁ ଅଧିକ ପତଳା କରି ବେଲିବେ ନାହିଁ । କାରଣ ସୁଜି ଚକଟା ନରମ ଥିବାରୁ ଭାଙ୍ଗିଯିବାର ଆଶଙ୍କା ଥାଏ । ଏହାପରେ ଗ୍ୟାସର ଫ୍ଲେମକୁ ଲୋ ରଖି ତାୱା ଗରମ କରନ୍ତୁ । ତାୱା ଗରମ ହେବା ପରେ ସେଥିରେ ୧ ଚାମଚ ତେଲ ଦେଇ ପରଟାକୁ ଭାଜନ୍ତୁ । ପରଟାର ଦୁଇପଟ ଲାଲ୍ ହେବା ପରେ ପରଟାକୁ ବାହାର କରନ୍ତୁ । ଏକା ସାଙ୍ଗରେ ସବୁ ପରଟା କରି ଭାଜନ୍ତୁ ନାହିଁ । ଗୋଟିଏ କିମ୍ବା ୨ଟି ପରଟା ପ୍ରସ୍ତୁତ କରି ଭାଜିବା ପରେ ଆଉ ଦୁଇଟି ପରଟା ପ୍ରସ୍ତୁତ କରନ୍ତୁ । ଏହି ସୁଜି ପରଟା ଆପଣ ଦହି, ପୁଦିନା ଚଟଣୀ କିମ୍ବା ଆଚାର ସହିତ ଖାଇପାରିବେ । ପିଲାମାନଙ୍କ ଟିଫିନ୍ ପାଇଁ ଏହାକୁ ଦେଇପାରିବେ ।