ରୋଷେଇ – ପୋଇପତ୍ର ତାୱା ବରା
ଆବଶ୍ୟକୀୟ ଜିନିଷ – ପୋଇପତ୍ର କଟା୨ ବଡ଼କପ୍, ଅଦା ରସୁଣ ପେଷ୍ଟ୍ ୧ ବଡ଼ ଚାମଚ, ଜିରା ୧/୨ ଚାମଚ, ୧/୨ ଚାମଚ ହଳଦି ଗୁଣ୍ଡ, ବେସନ ୨ ଚାମଚ, ଗୋଟିଏ ଛୋଟ ପିଆଜ କଟା, ୨ ଚାମଚ ଚାଉଳ ଗୁଣ୍ଡ, ୨ଟି କଂଚା ଲଙ୍କା, ସ୍ୱାଦ ଅନୁଯାୟୀ ଲୁଣ, ୨-୩ ଚାମଚ ସୋରିଷ ତେଲ ଓ ଆବଶ୍ୟକ ଅନୁଯାୟୀ ପାଣି ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୋଇ ପତ୍ରଗୁଡ଼ିକୁ ଭଲ ଭାବେ ଧୋଇ ଖୁବ୍ ଛୋଟ ଛୋଟ ଖଣ୍ଡ କରି କାଟିଦିଅନ୍ତୁ । ଏହାପରେ ଗୋଟିଏ ବଡ଼ ବାଉଲରେ ପତ୍ରଗୁଡ଼ିକୁ ରଖନ୍ତୁ । ସେଥିରେ ତେଲ ବ୍ୟତୀତ ଅନ୍ୟସବୁ ଆବଶ୍ୟକୀୟ ସାମଗ୍ରୀ ପକାଇ ଅଳ୍ପ ପାଣି ଦିଅନ୍ତୁ । ଏହା ଯେପରି ଗୋଟିଏ ଗୁଳା କରିହେବ ସେହି ଅନୁପାତରେ ପାଣି ଦିଅନ୍ତୁ । ଏହାକୁ ଗୋଳାଇ ୧୦-୧୫ ମିନିଟ୍ ଛାଡ଼ିଦିଅନ୍ତୁ । ଏହାପରେ ତାୱା ବସାଇ ୨ ଚାମଚ ସୋରିଷ ତେଲ ପକାନ୍ତୁ । ତେଲ ସମ୍ପୂର୍ଣ୍ଣ ଗରମ ହେବା ପରେ ପୋଇପତ୍ରରେ ଛୋଟ ଛୋଟ ଗୁଳା କରି କାକରା ଆକାରର ଚେପଟା କରି ତାୱାରେ ରଖି ଭାଜନ୍ତୁ । ଅଧିକ ବଡ଼ ଗୁଳା କରନ୍ତୁ ନାହିଁ । ଗୋଟିଏ ସାଇଡ୍ ଭଲ ଭାବେ ଭାଜି ହୋଇଯିବା ପରେ ଆରପଟ ଓଲଟାଇ ହାଲକା ଦବାଇ ଦବାଇ ଭାଜନ୍ତୁ । ଓଲଟାଇବା ପରେ ଆପଣ ଆଉ ୧/୨ ଚାମଚ ତେଲ ଦେଇପାରିବେ । ଏହିପରି ତାୱାରେ ଏହାକୁ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ପୋଇପତ୍ର ବରା । ଏହାକୁ କୌଣସି ଚଟଣୀ କିମ୍ବା ସସ୍ ସହିତ ଗରମ ଗରମ ପରଷନ୍ତୁ ।