ରୋଷେଇ – ଖଟାମିଠା ମାଛ
ଆବଶ୍ୟକୀୟ ଜିନିଷ – ରୋହିମାଛ ୪ ପିସ୍, ତେନ୍ତୁଳି ୫-୬ ପିସ୍, ୧/୨ ଚାମଚ ହଳଦି ଗୁଣ୍ଡ, ଅଳ୍ପ ଗୁଡ଼, ୩ଟି କଂଚା ଲଙ୍କା, ୫-୬ଟି ରସୁଣ କୋଲା, ୧/୨ କପ୍ ଭୃସଙ୍ଗ ପତ୍ର, ଏକ ଚୁଟକି ହେଙ୍ଗୁ, ୧ ଚାମଚ ପଞ୍ଚ ଫୁଟଣ, ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ କାଟି ଲୁଣ ଓ ହଳଦି ଗୋଳାଇ ୧୦ ମିନିଟ୍ ରଖିଦିଅନ୍ତୁ । ଗୁଡ଼ ଓ ତେନ୍ତୁଳିରେ ପାଣି ଦେଇ ଭଲ ଭାବେ ଚକଟି ମଣ୍ଡ ବାହାର କରି ରଖନ୍ତୁ । କରେଇରେ ତେଲ ଗରମ କରି ଭଲ ଭାବେ ମାଛକୁ ଭାଜି ରଖନ୍ତୁ । ଏହାପରେ ତେଲରେ ପଞ୍ଚ ଫୁଟଣ, ରସୁଣ, ଲଙ୍କା, ହେଙ୍ଗୁ, ଭୃସଙ୍ଗ ପତ୍ର ପକାଇ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏଥିରେ ହଳଦି ଓ ଲୁଣ ଦେଇ କିଛି ସମୟ ଗୋଳାଇବା ପରେ ତେନ୍ତୁଳି ମଣ୍ଡ ଓ ଗୁଡ଼ ପାଣି ସହିତ ଆଉ ୩ କପ୍ ପାଣି ଦେଇ ଫୁଟିବାକୁ ଛାଡ଼ନ୍ତୁ । (ଅଧିକ ପାଣି ଦେବେ ନାହିଁ ।) ଏହା ଭଲ ଭାବେ ଫୁଟିବା ପରେ ସେଥିରେ ଭଜା ମାଛକୁ ପକାନ୍ତୁ । ଗ୍ୟାସର ଆଂଚକୁ ଧିମା ରଖି ପ୍ରାୟ ୧୦ -୧୫ ମିନିଟ୍ ପର୍ଯ୍ୟନ୍ତ ସିଝିବାକୁ ଦିଅନ୍ତୁ । ୧୫ ମିନିଟ୍ ପରେ ଆପଣ ଦେଖିବେ ଯେ ତେନ୍ତୁଳି ଓ ଗୁଡ଼ ପାଣି ସିଝିବା ପରେ ଟିକେ କମିଯିବ ଏବଂ ଭଜା ମାଛଗୁଡ଼ିକ ସମ୍ପୂର୍ଣ୍ଣ ଫୁଲିଯାଇଥିବ । ପ୍ରସ୍ତୁତ ହୋଇଗଲା ଖଟାମିଠା ମାଛ ଛୁଙ୍କା । ଏହାକୁ ଗୋଟିଏ ସର୍ଭିଙ୍ଗ୍ ପ୍ଲେଟରେ ବାହାର କରିଦିଅନ୍ତୁ ଏବଂ ଏହା ଉପରେ କିଛି ଧନିଆ ପତ୍ର ପକାଇ ପରଷନ୍ତୁ ।