ରୋଷେଇ- କଦଳୀ ମାଲପୁଆ
ଆବଶ୍ୟକୀୟ ଜିନିଷ – ଗୋଟିଏ ବଡ଼ ପାଚିଲା କଦଳୀ, ୧ କପ୍ ମଇଦା, ୧ ବଡ଼ ଚାମଚ ସୁଜି, ୪ ଚାମଚ ଚିନି, ଦେଢ କପ୍ ସିଝା ଖିର, ଅଳ୍ପ ନଡ଼ିଆ କୋରା, ଗୋଟିଏ ଛୋଟ ଚାମଚ ପାନ ମଧୁରୀ, ୪ଟି ଗୁଜରାତିର ଗୁଣ୍ଡ, ୧ କପ୍ ପାଣି, ଦେଢ କପ୍ ଚିନି ଓ ଛାଣିବା ପାଇଁ ରିଫାଇନ୍ ତେଲ ।
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କଦଳୀକୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ ଓ ଚିନି ସହିତ ମିଶଶଇ ଗ୍ରାଇଣ୍ଡ୍ କରନ୍ତୁ । ଏହା ବହଳିଆ ହୋଇଯିବ । ଏହାପରେ ଗୋଟିଏ ବଡ଼ ବାଉଲରେ ମଇଦା, ସୁଜି, ଗ୍ରାଇଣ୍ଡିଙ୍ଗ୍ ହୋଇଥିବା କଦଳୀ, ୧ ଚାମଚ ନଡ଼ିଆ କୋରା, ପାନମଧୁରି, ଅଳ୍ପ ଗୁଜରାତି ଗୁଣ୍ଡ ଦେଇ ଭଲ ଭାବେ ଫେଣ୍ଟନ୍ତୁ । ଏହାପରେ ସେଥିରେ ଅଳ୍ପ ଅଳ୍ପ ଖିର ପକାଇ ଭଲ ଭାବେ ଗୋଳାନ୍ତୁ । ମନେ ରଖନ୍ତୁ ଅଧିକ ଖିର କିମ୍ବା କମ୍ ଖିର ଦିଅନ୍ତୁ ନାହିଁ । ଏହି ମିଶ୍ରଣକୁ ୩ରୁ ୪ ଘଣ୍ଟା ଢାଙ୍କୁଣୀ ଘୋଡ଼ାଇ ରଖିଦିଅନ୍ତୁ ।
ଏହା ପରେ ଚିନି ସିରା ବନାନ୍ତୁ । ଏହି ସିରା ସମ୍ପୁର୍ଣ୍ଣ ଅଠାଳିଆ ହେବା ଦରକାର । ଏହି ସିରାରେ ବଳକା ଥିବା ଗୁଜରାତି ଗୁଣ୍ଡ ପକାନ୍ତୁ ଓ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ । ଏହାପରେ ପ୍ୟାନରେ ତେଲ ଗରମ କରି କଦଳୀର ମିଶ୍ରଣକୁ ଗୋଟିଏ ବଡ଼ ଚାମଚରେ ନେଇ ତେଲରେ ପକାନ୍ତୁ । ଗ୍ୟାସ୍କୁ ଲୋ ଫ୍ଲେମରେ ହିଁ ରଖିବେ । କିଛି ସମୟ ପରେ ଏହା ଲାଲ୍ ହୋଇଆସିବ । ଏହାପରେ ଏହାକୁ ଓଲଟାଇ ଭଲ ଭାବେ ଛାଣନ୍ତୁ । ପରେ ଉଷୁମ ଥିବା ଚିନି ସିରାରେ ମାଲପୁଆକୁ ବୁଡ଼ାଇ ରଖନ୍ତୁ । ପ୍ରସ୍ତୁତ ହୋଇଗଲା କଦଳୀ ମାଲପୁଆ । ଏହା ଉପରେ ଆପଣ କାଜୁ କିମ୍ବା କିସମିସରେ ଡେକୋରେଟ୍ କରି ପରଷନ୍ତୁ ।











