ରୋଷେଇ – ଖିର ଆରିସା
ଆବଶ୍ୟକୀୟ ଜିନିଷ – ଅଧା କିଲୋ ଫାଇନ୍ ଅରୁଆ ଚାଉଳ ଚୁନା, ଗୋଟିଏ କପ୍ ଫୁଟା ଖିର, ୨୫୦ ଗ୍ରାମ୍ ଗୁଡ଼, ୩ଚାମଚ ଗୁଜରାତି ଗୁଣ୍ଡ, ଗୋଟିଏ କପ୍ ଧଳା ରାଶି, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଖିର ଓ ଗୁଡ଼କୁ ଗୋଟିଏ ବାଉଲରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗୁଡ଼କୁ ହାତରେ ଭାଙ୍ଗି ଖିରରେ ଗୋଳାଇବା ଦ୍ୱାରା ଏହା ଶୀଘ୍ର ମେଲଟ୍ ହୋଇଥାଏ । ଏହାକୁ ପ୍ରାୟ ୧୦-୧୫ ମିନିଟ୍ ରଖିବା ପରେ ଗୋଟିଏ ଛଣା ସାହାଯ୍ୟରେ ଖିରକୁ ଗୋଟିଏ ବଡ଼ ବାଉଲରେ ଛାଣିନିଅନ୍ତୁ । ଏହା ଦ୍ୱାରା ଗୁଡ଼ରେ ଥିବା କିଛି ଖଦା ଅଂଶ ବାହାରି ଯାଇଥାଏ । ଏହାପରେ ସେଥିରେ ଅଳ୍ପ ଅଳ୍ପ ଚାଉଳ ଚୂନା ପକାଇ ଘାଣ୍ଟନ୍ତୁ । ଏହାକୁ ଅଧିକ ଗାଢ଼ା କିମ୍ବା ଅଧିକ ପତଳା କରନ୍ତୁ ନାହିଁ । ଯଦି ଅଧିକ ଗାଢ଼ା ଲାଗୁଛି, ତେବେ ସେଥିରେ ଅଧା କପ୍ ଖିର ମିଶାଇ ପାରିବେ । ଏହାକୁ ଭଲ ଭାବେ ମିଶିଯିବା ପରେ ସେଥିରେ ରାଶି, ଲୁଣ ଓ ଗୁଜରାତି ଗୁଣ୍ଡ ପକାଇ ଗୋଳାନ୍ତୁ ଏବଂ ତାହାକୁ ୪-୫ ଘଣ୍ଟା ଘୋଡ଼ଣୀ ଦେଇ ରଖିଦିଅନ୍ତୁ । ୪-୫ ଘଣ୍ଟା ପରେ ଘୋଡ଼ଣୀ ବାହାର କରି ତାହାକୁ ଆଉ ଥରେ ଏକ ବଡ଼ ଚାମଚ ସାହାଯ୍ୟରେ ଘାଣ୍ଟନ୍ତୁ । ଏହାପରେ ଲୋ ମିଡିୟମ୍ ଆଂଚରେ କରେଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଗୋଟିଏ ଚାମଚ ଚାଉଳଚୂନା ପେଷ୍ଟ ଆଣି ତେଲରେ ପକାନ୍ତୁ । କିଛି ସମୟ ପରେ ଏହା ଉପରକୁ ଉଠିଆସିବ । ଏହି ପିଠାର ଦୁଇପଟ ଭଲ ଭାବେ ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏଭଳି ଭାବେ ସବୁ ପିଠାକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଖିର ଆରିସା । ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବା ପରେ ସର୍ଭ କରନ୍ତୁ ।