ରୋଷେଇ – ବାଦାମ୍ କୁଲଫି
ଆବଶ୍ୟକୀୟ ଜିନିଷ – ୨ କପ୍ ଚୋପାଛଡ଼ା ବାଦାମ, ଫ୍ରେଶ୍ କ୍ରୀମ୍ ୮ ଚାମଚ, କଣ୍ଡେନ୍ସ ମିଲ୍କ ୨ କପ୍, ଏକ ଚୁଟକି କେଶର, ଖିର ଅଧା କପ ଓ ୬ଟି ପିସ୍ତା ।
ପ୍ରସ୍ତୁତି ପ୍ରଣାଳୀ – ବାଦାମକୁ କିଛି ସମୟ ବତୁରାଇ ରଖନ୍ତୁ । ତାହାକୁ ଛାଣି ଗୁଣ୍ଡ କରନ୍ତୁ ଏବଂ ସେଥିରେ କ୍ରୀମ୍ ଓ କଣ୍ଡେନ୍ସ ମିଲ୍କ ମିଶାଇ ଗାଢ଼ା ହେବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ । ଏହାପରେ ଖିରକୁ ଗରମ କରନ୍ତୁ । ଖିର ଫୁଟିବା ପରେ ସେଥିରେ କେଶର ପକାନ୍ତୁ । ତାହାକୁ ଭଲ ଭାବେ ଗୋଳାନ୍ତୁ ଏବଂ ସମ୍ପୂର୍ଣ୍ଣ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ । ଖିର ଥଣ୍ଡା ହେବା ପରେ ସେଥିରେ ବାଦାମ ପେଷ୍ଟକୁ ମିଶାଇ ଭଲ ଭାବେ ଗୋଳାନ୍ତୁ । ଏହି ମିକ୍ସର ଗାଢ଼ା ହେବା ଦରକାର । ଏହାପରେ ଆଉ ଏକ ପ୍ୟାନରେ ପିସ୍ତାକୁ ହାଲକା ଭାଜି ଦରଦରା ଗୁଣ୍ଡ କରନ୍ତୁ । ସେହି ଗୁଣ୍ଡରୁ ଅଧା ନେଇ ଖିରରେ ମିଶାନ୍ତୁ ଏବଂ ବଳକା ପସ୍ତାକୁ ସଜାଇବା ପାଇଁ ରଖନ୍ତୁ । ସେଥିରୁ ଅଳ୍ପ ଅଳ୍ପ ନେଇ କୁଲଫି ବାଉଳରେ ରଖି ଉପରୁ ଟାଇଟ୍ ଭାବେ ଘୋଡ଼ଣୀ ଦିଅନ୍ତୁ କିମ୍ବା ବଟର୍ ପେପର୍ ଲଗାନ୍ତୁ । ଏହା ଭଲ ଭାବେ ଜମିବା ପର୍ଯ୍ୟନ୍ତ ଫ୍ରିଜରରେ ରଖନ୍ତୁ । ସର୍ଭ କରିବା ସମୟରେ କୁଲଫି ଉପରେ ଆଉ କିଛି ପିସ୍ତା ଗୁଣ୍ଡ ପକାଇ ସଜାନ୍ତୁ ।