ରୋଷେଇ- ରୁଟିଆଳୁ ଟିକିୟା
ଆବଶ୍ୟକୀୟ ଜିନିଷ – ୩ଟି ରୁଟି, ବଡ଼ ପିଆଜ କଟା, ଅଧାକପ୍ ମଟର୍, ଦୁଇଟି ବଡ଼ ସିଝା ଆଳୁ ଚକଟା, ୨ଟି ବଡ଼ ଚାମଚ ଧନିଆ ପାଉଡର୍, ସ୍ୱାଦ ଅନୁଯାୟୀ ଲୁଣ, ୧/୪ ଚାମଚ ହଳଦୀ ପାଉଡର୍, ଅଳ୍ପ ଧନିଆପତ୍ର କଟା, କଟା କଞ୍ଚା ଳଙ୍କା ।
ପ୍ରସ୍ତୁତି ପ୍ରଣାଳୀ – ଆପଣ ଏହି ରେସିପିକୁ ରାତିରେ ବଳକା ଥିବା ବାସି ରୁଟିରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଆପଣ ପ୍ରଥମେ ରୁଟିକୁ ଟିକେ ଭଲ ଭାବେ ତାୱାରେ ଭାଜିଦିଅନ୍ତୁ । ଏହାପରେ ରୁଟିକୁ ଛୋଟଛୋଟ ଖଣ୍ଡ କରି ଗ୍ରାଇଣ୍ଡିଙ୍ଗ୍ କରନ୍ତୁ । ଏହା ଖଦଡ଼ିଆ ଗୁଣ୍ଡ ହୋଇଯିବା ପରେ ତାହାକୁ ଏକ ବାଉଲରେ ପକାଇ ସେଥିରେ ସିଝା ଆଳୁ, କଟା ପିଆଜ, ମଟର, ଲଙ୍କା, ଧନିଆପତ୍ର, ଧନିଆ ପାଉଡର୍, ହଳଦି ପାଉଡର୍ ଓ ସ୍ୱାଦ ଅନୁଯାୟୀ ଲୁଣ ମିଶାଇ ଚକଟନ୍ତୁ । ଚକଟିବା ପରେ ଛୋଟ ଛୋଟ ଗୁଳା କରି ତାହାକୁ ବରା ଭଳି ଗଢନ୍ତୁ । କିନ୍ତୁ ମନେ ରଖନ୍ତୁ ଅଧିକ ପତଳା କରିବେ ନାହିଁ । (ରୁଟି ଓ ଆଳୁ ସହିତ ଆପଣ ଛୋଟ ପନିର୍, ବନ୍ଧା କୋବି, ଫୁଲ କୋବି କିମ୍ବା ବିନ୍ସ ମିଶାଇ ପାରିବେ) । ଏଥିରେ ପାଣି ଦେବା ଆବଶ୍ୟକ ନାହିଁ । କିନ୍ତୁ ଯଦି ଗୁଳା କରିବା ସମୟରେ ଭାଙ୍ଗି ଯାଉଛି ତେବେ ହାଲକା ପାଣି ଉପରେ ଛିଞ୍ଚି ଦିଅନ୍ତୁ । ଏହାପରେ ତାୱାରେ ତେଲ ଦେଇ ଧିମା ଆଂଚରେ ଟିକିୟାଗୁଡ଼ିକୁ ପକାଇ ଭାଜନ୍ତୁ । ପ୍ରାୟ ୫ ମିନିଟ୍ ଭାଜିବା ପରେ ପୁଣି ଓଲଟାଇବା ସହିତ ଆଉ ଟିକେ ତେଲ ଦେଇ ଭାଜନ୍ତୁ । ଏହା ବାଦାମୀ ରଙ୍ଗ ହେବା ପରେ ତାୱାରୁ ବାହାର କରନ୍ତୁ । ଏହାକୁ ଟମାଟ ଓ ଚିଲି ଶଶ୍ ସହିତ ଗରମ ଗରମ ପରଷନ୍ତୁ ।











