ଫେବ୍ରୁଆରୀରେ ଆରବିଆଇ ବୈଠକ
ନୂଆଦିଲ୍ଲୀ(ଓଟି): ବିତ୍ତୀୟ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ବାବଦରେ ଅର୍ଥ ମାଗିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଫେବ୍ରୁଆରୀରେ ହେବାକୁ ଯାଉଥିବା ରିଜର୍ଭ ବ୍ୟାଙ୍କ ମୁଦ୍ରା ସମୀକ୍ଷା ବୈଠକରେ ଏହି ବିଷୟ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ସୂଚନା ମିଳିଛି । ଚଳିତ ଆର୍ଥିକ ବର୍ଷର ବଜେଟ୍ ଆକଳନ ଅନୁସାରେ କେନ୍ଦ୍ର ସରକାର ଦେଶର ବିତ୍ତୀୟ ନିଅଣ୍ଟ ହାର ମୋଟ ଜିଡିପିର ୩.୩ ପ୍ରତିଶତ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବର୍ତ୍ତମାନ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିଲା ବେଳେ ବିଭିନ୍ନ କ୍ଷେତ୍ରର ରାଜସ୍ୱ ସଂଗ୍ରହ ହ୍ରାସ ପାଇଥିବାରୁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ପୂରଣ କରିବାରେ ସରକାର ଅସମର୍ଥ ହେବେ । ଏହାକୁ ଦୃଷ୍ଟିରେ ରଖି ସରକାର ରିଜର୍ଭ ବ୍ୟାଙ୍କ ନିକଟରୁ ବଳକା ଅର୍ଥ ମାଗିବାକୁ ଯୋଜନା କରିଛନ୍ତି । ତେବେ ବର୍ତ୍ତମାନ ମୁଦ୍ରାସ୍ଫୀତି ବୃଦ୍ଧିକୁ ନେଇ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଏକପ୍ରକାର ଚିନ୍ତିତ ରହିଥିବା ବେଳେ କେନ୍ଦ୍ର ସରକାରଙ୍କୁ ଡିଭିଡେଣ୍ଡ ବାବଦରେ କେତେ ପରିମାଣର ଅର୍ଥ ଦେବେ ତାହାକୁ ନେଇ ଆଗାମୀ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମଳିଛି।