ରତ୍ନ ଭଣ୍ଡାରର ତଦନ୍ତ କମିଶନ କଥା ସମସ୍ତେ ଭୁଲିଗଲେ
ଏବେ ପବିତ୍ର ଘୋଷ ଯାତ୍ରା ପାଇଁ ପୁରୀ ସହର ସମେତ ସମଗ୍ର ବିଶ୍ୱ କମ୍ପୁୁଛି। ସମସ୍ତେ ଜଗନ୍ନାଥ ଭାବନାରେ ଉଦ୍ବୁଦ୍ଧ। ସମସ୍ତଙ୍କ ଚିନ୍ତା ଓ ଚେତନାରେ କେବଳ ତିନି ଠାକୁର। ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ଅପୂର୍ବ ସାଜସଜ୍ଜାରେ ଜନମନ ହରଣ କରୁଛି। ସମସ୍ତେ ମନେ ପକାଉଛନ୍ତି ତିନିଠାକୁରଙ୍କୁ।
କିନ୍ତୁ ସମସ୍ତେ ଭୁଲି ଯାଇଛନ୍ତି ତାଙ୍କ ରତ୍ନଭଣ୍ଡାରକୁ। ଓଡ଼ିଆ ଜାତିର ଚିନ୍ତା କେତେ କ୍ଷଣସ୍ଥାୟୀ ତାହା ଏଥିରୁ ପ୍ରମାଣିତ ହେବାରେ ଲାଗିଛି। ଯେତେବଡ଼ କଥା ହେଉ, ଭୁଲିଯିବାକୁ ଏ ଜାତିକୁ ବେଶୀ ଡେରି ଲାଗେ ନାହିଁ। ଜଗନ୍ନାଥଙ୍କ ରଥଯାତ୍ରା ପ୍ରତିବର୍ଷ ହେଉ ନଥିଲେ, ତାଙ୍କୁ ମଧ୍ୟ ଲୋକେ ଭୁଲି ସାରନ୍ତେଣି। ନହେଲେ ବର୍ଷକ ତଳେ ରତ୍ନଭଣ୍ଡାରର ହଜିଲା ଚାବିକୁ ନେଇ ଏ ରାଜ୍ୟ ଉଠୁଥିଲା ଓ ପଡ଼ୁଥିଲା। ଆଜି କିନ୍ତୁ ସମସ୍ତେ ଚୁପ। ସରକାର ସ୍ୱାଭାବିକ ଭାବେ ନୀରବ।
କିନ୍ତୁ ବିରୋଧୀ ଦଳ ଓ କିଛି ଜଗନ୍ନାଥପ୍ରେମୀ ସଂଗଠନ କାହିଁକି ଚୁପ୍ ହୋଇଯାଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ରତ୍ନଭଣ୍ଡାରର ନକଲି ଚାବି ମିଳିଛି। ଭିତରେ ସ୍ୱର୍ଣ୍ଣାଦି ଅଳଙ୍କାର ଅଛି କି ନାହିଁ, କେହି ଜାଣନ୍ତି ନାହିଁ। ଆଉ ଥରେ ପରଖି ନେବାକୁ ସରକାରଙ୍କର ସାହସ ହେଉନାହିଁ। ସବୁକିଛି ନୀରବ ।
୨୦୧୮ ଏପ୍ରିଲ ୪ ତାରିଖ। ହାଇକୋର୍ଟଙ୍କ ନିଦ୍ଦେର୍ଶକ୍ରମେ ରତ୍ନଭଣ୍ଡାରର ଅବସ୍ଥା ପରଖିବା ନିମନ୍ତେ ଏକ ୧୬ଜଣିଆ ଦଳ ଯାଇଥିଲେ। ବାହାରକୋଠରୀ ଦେଖିବା ପରେ ଭିତର ଭଣ୍ଡାର ଭିତରକୁ ଯାଇପାରିଲେ ନାହିଁ ଏହି ୧୬ଜଣିଆ ଟିମ । କାରଣ ଭିତର ଭଣ୍ଡାରର ଚାବିକାଠି ନଥିଲା। ସେଠାରେ ଗୋଟିଏ ବଦଳରେ ଦୁଇଟି ତାଲା ପଡ଼ିଥିଲା। ଗୋଟିଏ ତାଲାରେ ଦିଆଯାଇଥିଲା ଜଉମୁଦ।
ଏହି ଘଟଣାକୁ ଗୋପନ ରଖିବା ପାଇଁ ଚେଷ୍ଟା କରାଯାଇଥିଲା। ସେହିଦିନ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଭିତର ଭଣ୍ଡାର ଚାବିକାଠି ମିଳୁ ନଥିବା ଆଲୋଚନା ହୋଇଥିଲା। କିନ୍ତୁ ଗଜପତି ଏହା ଉପରେ ଅଧିକ ତର୍କବିତର୍କର ସୁଯୋଗ ନଦେଇ ବାର୍ଷିକ ବଜେଟ ଉପରେ ଆଲୋଚନା କରାଇଥିଲେ।
୨୦୧୮ ଜୁନ ୩। ଭିତର ରତ୍ନଭଣ୍ଡାର ଚାବି ମିଳୁ ନାହିଁ ବୋଲି ପ୍ରଘଟ ହେଲା। ଏହାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକାର ମଧ୍ୟ କଲେ। ଚାବି ଖୋଜାଖୋଜି ଆରମ୍ଭ ହେଲା। ସାରା ରାଜ୍ୟରେ ରତ୍ନଭଣ୍ଡାରର ଚାବି ହଜିବା ଘଟଣା ଘୋର ଆଲୋଡ଼ନ ସୃଷ୍ଟି କରିଥିଲା। ବିପଦ ଟାଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବହୁ ପରୀକ୍ଷିତ କୌଶଳ ସ୍ୱରୂପ ଜୁନ ୪ ତାରିଖରେ ଜଷ୍ଟିସ ରଘୁବୀର ଦାସଙ୍କୁ ହଜିଲା ଚାବିର ରହସ୍ୟ ବାହାର କରିବା ପାଇଁ ତଦନ୍ତ କମିଶନ ଭାବେ ନିଯୁକ୍ତି ଦେଲେ।
ଜୁନ ୬ ତାରିଖରେ କମିଶନ କାର୍ଯ୍ୟଭାର ଗ୍ରହଣ କଲେ। ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ କମିଶନଙ୍କୁ କୁହାଗଲା। ଆଶ୍ଚର୍ଯ୍ୟଜନକ ଭାବେ ଜୁନ ୧୩ ତାରିଖରେ ଜିଲାପାଳଙ୍କ ଲକର ରୁମରେ ଲଫାପା ଭିତରେ ମିଳିଲା ଡୁପ୍ଲିକେଟ୍ ଚାବି। ଡୁପ୍ଲିକେଟ୍ ଚାବି କାହିଁକି ଏବଂ କେବେ ତିଆରି କରାଯାଇଥିଲା, ଏହା ରତ୍ନଭଣ୍ଡାରର ସ୍ଥିତିକୁ ଅଧିକ ସନ୍ଦେହ ଭିତରକୁ ଠେଲିଦେଲା। ଭିତର ଭଣ୍ଡାରଘରେ ଦୁଇଟି ତାଲା ପଡ଼ିବା, ଲଫାପା ଭିତରୁ ଡୁପ୍ଲିକେଟ୍ ଚାବି ମିଳିବା ଏବଂ ସେଥିରେ ଯେଉଁ ଲେଖା ଥିଲା, ତାହା ଅଧିକ ସନ୍ଦେହ ବଢ଼ାଇ ଦେଇଥିଲା ପୁରା ଘଟଣାକ୍ରମକୁ।
ଡୁପ୍ଲିକେଟ ଚାବି ମିଳିବା ପରେ ଏହାକୁ ପରୀକ୍ଷା କରିବା ପାଇଁ କିମ୍ୱା ରତ୍ନଭଣ୍ଡାର ଖୋଲି ସବୁ ତନଖିବା ଲାଗି କୌଣସି ନିଷ୍ପତ୍ତି ନେଲେ ନାହିଁ ମୁଖ୍ୟମନ୍ତ୍ରୀ। ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା ରତ୍ନଭଣ୍ଡାରର ହଜିଲା ଚାବିକୁ ନେଇ। ଜଣେ େସ୍ୱଚ୍ଛାସେବୀ ଦିଲୀପ କୁମାର ମହାପାତ୍ର ଏବଂ ବିଜେପି ଉପସଭାପତି ସମୀର ମହାନ୍ତି ପୃଥକ ପୃଥକ ପିଟିସନ ଦାଖଲ କରିଥିଲେ।
ସିଂହଦ୍ୱାର ଆଗରେ ଜଗନ୍ନାଥ ସେନା ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜବରଦସ୍ତ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ବିଜେପି ସିଂହଦ୍ୱାର ଥାନାରେ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ମନ୍ଦିର ପ୍ରଶାସକଙ୍କୁ ପକ୍ଷଭୁକ୍ତ କରି ଏକ ଏତଲା ଦେଇଥିଲା। ପୁଲିସ୍ ଏଭଳି ଏତଲା ରଖିବାକୁ ଅନେକ ଫନ୍ଦିଫିକର କରିଥିଲା। ପରେ ଉଚ୍ଚ ପୁଲିସ୍ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଏତଲା ହୋଇଥିଲା ପଞ୍ଜୀକୃତ।
ଡିସେମ୍ୱର ପହିଲା ୨୦୧୮। ଜଷ୍ଟିସ ରଘୁବୀର ଦାସ ସରକାରଙ୍କୁ ୩୨୪ ପୃଷ୍ଠାର ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ୭ମାସ ବିତି ଯାଇଥିଲେ ହେଁ, ଏହି ରିପୋର୍ଟ କ୍ୟାବିନେଟରେ ଉପସ୍ଥାପିତ ହୋଇନାହିଁ କି ବିଧାନସଭାରେ ଏହାକୁ ଉପସ୍ଥାପନ କରିନାହାନ୍ତି ସରକାର।
ରିପୋର୍ଟରେ କ’ଣ ଅଛି ବା ନାହିଁ, ତାହା ଜାଣିବାର ଉପାୟ ନାହିଁ। ନୀଳାଦ୍ରିବିଜେ ପୂର୍ବରୁ ତିନିଠାକୁରଙ୍କର ସୁନା ବେଶ ହେବ। ସେତେବେଳେ ହୁଏତ ଭିତର ରତ୍ନଭଣ୍ଡାର ଓ ହଜିଲା ଚାବି କଥା ଉଠାଇ ପାରନ୍ତି ବିରୋଧୀ ଦଳ। ଏବେ ବିଜେପି ଆଉ ଏ ପ୍ରସଙ୍ଗ ଉଠାଇବ କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ। ଦଳ ଦେଇଥିବା ଏତଲା ଓ ହାଇକୋର୍ଟ ମାମଲାର ସ୍ଥିତି କ’ଣ, ତାହା ମଧ୍ୟ ବିଜେପି ଭୁଲିଯାଇ ସାରିବଣି। କଂଗ୍ରେସ ଅବସ୍ଥା ନକହିଲେ ଭଲ। ସରକାର ନିଦାବିଷ୍ଣୁ। ତେଣୁ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ କରିବେ ବୋଲି ମନେ ହେଉନାହିଁ। ଭିତର ରତ୍ନଭଣ୍ଡାରରେ ସୁନା-ରୁପା ଅଳଙ୍କାର ଅଛି କି ନାହିଁ, ସେକଥା କିଏ କହିପାରିବ?
ଭିତର ରତ୍ନ ଭଣ୍ଡାରରେ ତିନିଟି ସିନ୍ଧୁକ ମଧ୍ୟରୁ ଦୁଇଟିରେ ଆଦୌ ତାଲା ହିଁ ନାହିଁ। ରତ୍ନ ଅଳଙ୍କାର ଥିବ ବୋଲି ବିଶ୍ୱାସ ହେଉ ନାହିଁ। ସରକାର ବି ଗଣତି କରିବାକୁ ଚାହୁଁ ନାହାଁନ୍ତି। ଲୋକେ ଭୁଲିଯାଇ ସାରିଲେଣି, ଜଗନ୍ନାଥଙ୍କ ସହ ନିବିଡ଼ ସମ୍ପର୍କ ଥିବା ଏକ ରତ୍ନଭଣ୍ଡାର ଅଛି। ଭିତର ରତ୍ନଭଣ୍ଡାରରେ ବହୁ ସ୍ୱର୍ଣ୍ଣ ଅଳଙ୍କାର ରହିଥିବା କଥା ଲୋକେ ବି ଭୁଲିଗଲେଣି। କାହିଁକି ଚାବି ହଜିଲା, ନକଲି ଚାବି କିଏ ଓ କାହିଁକି ତିଆରି କଲା, ଏଥିରେ ମୁଣ୍ଡ ପୁରେଇବା ପାଇଁ ଚାହୁଁନାହାନ୍ତି ଓଡ଼ିଶାର ଲୋକେ।
ନବୀନ ସରକାର ତାହାହିଁ ଚାହାଁନ୍ତି। ଏବେ ଜଗନ୍ନାଥଙ୍କ ଘୋଷ ଯାତ୍ରାରେ ଅନ୍ତତଃ ଲୋକେ ରତ୍ନଭଣ୍ଡାରର ହଜିଲା ଚାବି କଥା ମନେପକେଇବେ ବୋଲି କେଉଁ ଗ୍ୟାରେଣ୍ଟି ଅଛି?