ପୁରୀରେ ରଥ ନିର୍ମାଣ ଆରମ୍ଭ, ରାତି୧୦ ଯାଏ ଚାଲିବ ରଥକାମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।  କେନ୍ଦ୍ର ସରକାରଙ୍କ ଅନୁମତି ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ମହାରଣାମାନଙ୍କୁ ରଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବାକୁ କହିଥିଲେ। ଶୁକ୍ରବାର ସକାଳୁ ରଥଖଳାଠାରେ ରଥ ନିର୍ମାଣ କାର୍ଯ୍ୟକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଛି। ମହାରଣାମ ସେବକମାନେ ମୁହଁରେ ମୁଖା ବାନ୍ଧି ଉଦ୍ଦିଷ୍ଟ କୋଭିଡ୍‌-୧୯ ନିୟମାବଳୀକୁ ମାନି ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଏହି ନିର୍ମାଣ କାର୍ଯ୍ୟ ରାତି ୧୦ଟା ଯାଏ ଚାଲିବ।   ଭଉଁରୀ ଦିନ ଚକ ଡେରା କାର୍ଯ୍ୟ କରିବା ପାଇଁ ସେମାନେ ଉଦ୍ୟମ କରି‌ବେ ବୋଲି ତିନି ରଥର ମୁଖ୍ୟ ମହାରଣାମାନେ କହିଛନ୍ତି। ଏଥିଲାଗି ଅଧିକ ସଂଖ୍ୟାରେ ମହାରଣାଙ୍କ ଆବଶ୍ୟକ ପଡ଼ିବ ବୋଲି କୁହାଯାଇଛି।

ଗତ ୪ ତାରିଖ ଦିନ ଲକ୍‌ଡାଉନ୍‌-୩ ନିୟମାବଳୀ ବାବଦରେ ଆଲୋଚନା କରି ଶ୍ରୀମନ୍ଦିର ପ୍ରଶାସନ ରଥଖଳାରେ ରଥକାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ର ସରକାରଙ୍କୁ ଅନୁମତି ମାଗିଥିଲେ। ରାଜ୍ୟ ସରକାର ଏ ବାବଦରେ ନିଷ୍ପତ୍ତି ନେନେଇ କେନ୍ଦ୍ରକୁ ପଚାରିଥିଲେ। କେନ୍ଦ୍ର ସରକାର ଏହି ପରିସ୍ଥିତିରେ ରଥ ନିର୍ମାଣ ହୋଇପାରିବ ବୋଲି କହିବା ସହ ରଥ ଯାତ୍ରା ହେବ କି ନା ତାହା ସେହି ସମୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି କହିଥିଲେ।

ଏହାପରେ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସମ୍ପାଦକ ବଲୱନ୍ତ ସିଂହ ଓ ତିନି ରଥର ମହାରଣାଙ୍କ ମଧ୍ୟରେ  ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରଥ ନିର୍ମାଣ କାମ ଆରମ୍ଭ ଲାଗି ନିଷ୍ପତ୍ତି ନିଆଯାଇଥିଲା। ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲା।

 

Leave a Reply

Your email address will not be published.