ସ୍ମୃତିରେ ରଥଯାତ୍ରା: ସୁଆରଙ୍କୁ କବାଟ କିଳିଲେ ପୂଜାପଣ୍ଡା ଆଉ ପୂଜାପଣ୍ଡାଙ୍କୁ ଗୋଡ଼ାଇଲେ ସୁଆର
ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟ୍ପିଟ୍ ଲାଗିବା କିଛି ନୂଆ କଥା ନୁହେଁ । ଦଇତା ମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍ କରନ୍ତି । ଆଉ ବେଳେ ବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ ଗଣ୍ଡଗୋଳ ଲାଗେ; ଯେତେବେଳେ କାହାର ସ୍ୱାର୍ଥ ହାନୀ ହୋଇଥାଏ । ୧୮୭୦ ରଥଯାତ୍ରାରେ ସେମିତି କିଛି ଘଟଣା ଘଟିଥିଲା; ଯାହାକୁ ଆଜି ପଢ଼ିଲେ ମନରେ କୌତୁହଳ ସୃଷ୍ଟି ହୁଏ । ଏହି ସମୟରେ ସୁଆର ସେବକ ଓ ପୂଜା ପଣ୍ଡାଙ୍କ ଭିତରେ ବ୍ୟକ୍ତିଗତ ବିଦ୍ଵେଷ ଏତେ ଉପରକୁ ଉଠିଥିଲା ଯେ, ପୂଜାପଣ୍ଡା ସେବକ ଦୁଇ ସୁଆର ସେବକଙ୍କୁ କବାଟ କିଳିଦେଲେ। ଆଉ ଏଥିରେ ରାଗ ତମତମ ହୋଇ ସୁଆର ପିଲାମାନେ ସମ୍ପୃକ୍ତ ପୂଜାପଣ୍ଡା ସେବକଙ୍କୁ କାଠଫାଳିଆଧରି ଗୋଡ଼ାଇଥିଲେ।
…ସେଦିନ ଭୋଗ ବୁାରେ ବ୍ୟସ୍ତ ଥିଲେ ସୁଆର ସେବାୟତ । ଏହି ଗୋଷ୍ଠୀର ସେବାୟତଙ୍କ ଦାୟିତ୍ୱ ହେଲା ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିବା । କିନ୍ତୁ ତାଙ୍କ ପ୍ରସ୍ତୁତ ବ୍ୟଞ୍ଜନ ସେତେବେଳେ ମହାପ୍ରସାଦ ବା ଭୋଗ ପଦବାଚ୍ୟ ହେବ ଯେତେବେଳେ ପୂଜାପଣ୍ଡା ରୀତିନୀତି ଅନୁସାରେ ତାହାକୁ ମହାପ୍ରଭୁଙ୍କୁ ଅର୍ପଣ କରିବେ । ଏସବୁ ପରସ୍ପର ସମ୍ପର୍କ ରଖୁଥିବା ସେବାପାଇଁ ପୂର୍ବରୁ ସମୟ ନିର୍ଘଣ୍ଟ ହୋଇଥାଏ । ମହାପ୍ରଭୁ ଯେହେତୁ ସେଦିନଠୁ ଗୁଣ୍ଡିଚା ଯାତ୍ରାରେ ଯିବେ ସେଥିଲାଗି ବିଧି ଅନୁସାରେ ଭୋଗ ପାଇଁ ପ୍ରସ୍ତୁତି ହେଲା । ସୁଆରମାନେ ଭୋଗ ବୋହିବାରେ ଲୋଗିଲେ । ବେଳ ୧୦ଟାରୁ ଏହି ପର୍ବ ଆରମ୍ଭ ହେଲା । କିନ୍ତୁ ୨ଘଣ୍ଟିଆ ଯାଏ ଶେଷ ହେଲା ନାହିଁ । କାରଣ ବୁଝୁ ବୁଝୁ ଜଣାପଡ଼ିଲା ଯେ, ଭକ୍ତଙ୍କ ସମାଗମକୁ ଆଖିରେ ରଖି ସୁଆରମାନେ ପ୍ରଚୁର ମହାପ୍ରସାଦର ବ୍ୟବସ୍ଥା କରିଛନ୍ତି । ଠାକୁର ଯେତେଦିନ ବାହାରେ ରହିବେ ସେତିକି ଦିନଯାଏଁ ଏହା ଭକ୍ତଙ୍କ ଚାହିଦାକୁ ପୁରଣ କରିବ… । ସୁଆରମାନଙ୍କ ଲୋଭରେ ସିନା ଭୋଗ ପରିମାଣ ବଢ଼ୁଥିଲା ହେଲେ ତାହା ପୂଜାପଣ୍ଡାଙ୍କୁ ଅସହ୍ୟ ହେଲା । ଏତେ ସମୟ ଗରମ ଭୋଗ ପାଖରେ ବସିବା ତାଙ୍କ ପକ୍ଷେ ସମ୍ଭବ ହେଲାନାହିଁ । ପୂଜକ ପଣ୍ଡାର ଶରୀର କମ୍ପିଲା । ଆଉ ସେ କବାଟ ଲଗାଇ ପୂଜା ଆରମ୍ଭ କଲା । ସେ ଭିତରେ ଦୁଇଜଣ ସୁଆର ଘର ମଧ୍ୟରେ ରହିଗଲେ । ଯାହାଙ୍କୁ ପୂଜା ପଣ୍ଡା କବାଟ କିଳିଦେଲେ । ସେମାନେ ଗରମରେ ଆଉଟୁ ପାଉଟୁ ହୋଇ ଚିତ୍କାର କଲେ । ପାଣି ପାଣି ବୋଲି ହଲା ପକାଇବାରୁ ଜଳାପଟେ କେହି ଜଣେ ତାଙ୍କ ଭାଇଆଳି ପାଣି ଦେଲେ। ଫଳରେ କଷ୍ଟେ ମଷ୍ଟେ ତାଙ୍କ ପ୍ରାଣ ବଞ୍ଚିଗଲା । ଯେତେବେଳେ ଘଟଣାର ପ୍ରକୃତ ରହସ୍ୟ ଜଣାପଡ଼ିଲା ସେତବେଳେ ସୁଆର ଭାଇମାନେ ଏକାଠି ହେଲା । କାଠ ଫାଳିଆ ଧରି ଗୋଡ଼ାଇଲେ ସମ୍ପୃକ୍ତ ପୂଜା ପଣ୍ଡାକୁ ପିଟିବାକୁ । ପରିସ୍ଥିତି ଏମିତି ହୋଇଥିଲାଯେ, ପୁଲିସ ବାବୁଙ୍କୁ ସେଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଏହାଦ୍ୱାରା ତାଙ୍କ ପ୍ରାଣ ବଞ୍ଚିଗଲା ।
ଏବର୍ଷ ରଥଯାତ୍ରା ପାଗ ବେଶ୍ ଅନୁକୁଳ ଥିଲା । ଅଳ୍ପ ମେଘ ଓ କମ୍ ତାପମାତ୍ରା ହେତୁ ଲୋକେ ବେଶ୍ ଆନନ୍ଦିତ ହୋଇଥିଲେ । ଗହଳି ମଧ୍ୟ ସେତେ ନଥିଲା । ଫଳରେ ଅଘଟଣ ଘଟିନଥିଲା । ପଣ୍ଡାଙ୍କ ଗଣନା ଅନୁସାରେ ସମୁଦାୟ ଯାତ୍ରୀଙ୍କ ସଂଖ୍ୟା ୩୫ ହଜାର ଥିଲା । ସେଥିରୁ ୧୦ହଜାର ଦେଶୀୟ । ରଥଦାଣ୍ଡରେ ସିନା କହାର ପ୍ରାଣ ଯାଇନଥିଲା । କିନ୍ତୁ ସମୁଦ୍ରରେ କେତେ ଲୋକଙ୍କ ଜୀବନ ଯାଇଥିଲା । କଲିକତାର ତେଲିପରିବାର ଷ୍ଟିମର୍ରେ ଆସିଥିଲେ । ଫେରିଲାବେଳେ ନୋଳିଆମାନଙ୍କ ବାରଣ ସତ୍ତ୍ୱେ ସେମାନେ ସମୁଦ୍ର ଯାତ୍ରା କରିବାରୁ କିଛି ବାଟ ପରେ ଡଙ୍ଗାଟି ଭାଙ୍ଗିଗଲା । ସମ୍ପୃକ୍ତ ତେଲି ଓ ତାଙ୍କ ସ୍ତ୍ରୀ ବଞ୍ଚିଯାଇଥିଲେ ସୁଦ୍ଧା ଅନ୍ୟ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିଲା ।