ଓଡ଼ିଶାରେ ବଢ଼ୁଛି ଦୁଷ୍କର୍ମ, ଯୌତୁକ ପାଇଁ ହତ୍ୟା

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ ବଢ଼ିବାରେ ଲାଗିଛି। ବିଶେଷକରି ମହିଳାଙ୍କ ଉପରେ ବଳାତ୍କାର ଅପରାଧ ଦିନକୁ ଦିନ ବଢ଼ୁଛି। ୨୦୧୭ ଜାତୀୟ ଅପରାଧ ନଥି ଆଧାରାରେ ପ୍ରକାଶିତ ରିପୋଟ;ରୁ ଏହା ସ୍ପଷ୍ଟ ହେଉଛି।  ଏଥିରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୨୦୧୭ ମସିହାରେ ସଂଘଟିତ ମୋଟ୍‌ ଅପରାଧର ୫.୬ ପ୍ରତିଶତ ଅପରାଧ ମାମଲାରେ ମହିଳାଙ୍କ ଉପରେ ହିଂସା ହୋଇଛି। ନାରୀ ହିଂସା କ୍ଷେତ୍ରରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା।

୨୦୧୨ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ଦୁଷ୍କର୍ମ ହାର (ପ୍ରତି ଲକ୍ଷେ ମହିଳାରେ) ୭.୨ରୁ ୯.୭କୁ ବୃଦ୍ଧି ପାଇଥିବା ବେଳେ ଯୌତୁକ ଜନିତ ହତ୍ୟାରେ ଆମ ରାଜ୍ୟର ସ୍ଥାନ ଚତୁର୍ଥରେ ରହିଛି । ଯୌତୁକ ମାମଲାରେ ୨୦୧୨ରୁ ୨୦୧୮ ମଧ୍ୟରେ ରାଜ୍ୟର ୨,୯୨୧ ମହିଳାଙ୍କୁ ହତ୍ୟା କରାଯାଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ (ନ୍ୟାସ୍‌ନାଲ୍‌ ଫାମିଲି ହେଲ୍‌ଥ ସର୍ଭେ) ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟର ପ୍ରାୟ ୩୫ ପ୍ରତିଶତ ମହିଳା ପତି-ପତ୍ନୀ କଳହରୁ ହିଂସାର ଶିକାର ହେଉଛନ୍ତି। ୨୦୧୨ରେ ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନର ହାର ପ୍ରତି ଲକ୍ଷେରେ ୨୦.୫ ଥିଲାବେଳେ ୨୦୧୬ରେ ତାହା ୩୯.୧ରେ ପହଞ୍ଚିଥିଲା।

ନାରୀ ହିଂସା ରୋକିବା ପାଇଁ ମିଳିତ ଜାତିସଂଘ ତରଫରୁ ୨୦୧୭ ମସିହାରେ କେତେକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା। ସେ ମଧ୍ୟରେ ରହିଛି ଲିଙ୍ଗଗତ ସମାନତା ସମ୍ପର୍କରେ ପିଲାଙ୍କୁ ଛୋଟବେଳୁ ସଚେତନ କରାଇବା, ମହିଳା ସଶକ୍ତୀକରଣ, ଅର୍ଥନୈତିକ ସ୍ୱାଧୀନତା, କାର୍ଯ୍ୟକ୍ଷେତ୍ରରେ ପୁରୁଷ ଓ ମହିଳା ମିଶି କାମ କରିବା, ଗଣମାଧ୍ୟମ ଜରିଆରେ ସଚେତନତା ସୃଷ୍ଟି କରିବା ଇତ୍ୟାଦି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଏଭଳି ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର ବ୍ୟାପାର।

Leave a Reply

Your email address will not be published.