୨୮ରୁ ପୁଣି ‘ରାମାୟଣ’

ନୂଆଦିଲ୍ଲୀ (ଓଟି): ଟିଭିର ବହୁଳ ପ୍ରସାର ନଥିବା ବେଳେ ଏକଦା ଜନମାନସକୁ ଆନ୍ଦୋଳିତ କରିଥିବା ଓ ସାଧାରଣରେ ଖୁବ୍‌ ଲୋକପ୍ରିୟ ହୋଇପାରିଥିଲା ପୌରାଣିକ ଧାରାବାହିକ ‘ମହାଭାରତ’ ଓ ‘ରାମାୟଣ’। ରାମାନନ୍ଦ ସାଗରଙ୍କ ଉଦ୍ୟମ ଏକ ନୂଆ ଦିଶା ଦେଇଥିଲା ଟେଲିଭିଜନ ଶୋ’କୁ। ଲୋକେ ସବୁ କାମକୁ ପଛରେ ପକାଇ ଟିଭିକୁ ଅନାଇ ବସୁଥିଲେ ଆଉ ଶୋ’ ସମୟକୁ ଅପେକ୍ଷା କରୁଥିଲେ। ସମ୍ପ୍ରତି ମହାମାରୀ କରୋନା କାରଣରୁ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଲୋକଙ୍କୁ ଘରେ ସମୟ ବିତାଇବାକୁ ପୁଣି ଏକ ସୁନ୍ଦର ସୁଯୋଗ ମିଳିବ। ୨୮ ତାରିଖ ଅର୍ଥାତ୍‌ ଶନିବାର ପୂର୍ବାହ୍ଣ ୯ଟାରୁ ଦୂରଦର୍ଶନରେ ପୁଣି ପ୍ରସାରିତ ହେବ ‘ରାମାୟଣ’ ଧାରାବାହିକ।

ସୂଚନା ଅନୁସାରେ ଲକ୍‌ଡାଉନ୍‌ ପରିସ୍ଥିତି ଲୋକଙ୍କ ପାଇଁ ସମୟ ଅତିବାହିତ କରିବା କଷ୍ଟକର ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ସୁନ୍ଦର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ, ପୁଣିଥରେ ଦୂରଦର୍ଶନରେ ରାମନନ୍ଦ ସାଗରଙ୍କ ରାମାୟଣ ପ୍ରସାରିତ ହେବ । ସେ ଟ୍ୱିଟ୍ ଜରିଆରେ ପ୍ରକାଶ କରିଛନ୍ତି ଯେ ମାର୍ଚ୍ଚ ୨୮ରୁ ଦୂରଦର୍ଶନ ଚ୍ୟାନେଲରେ ‘ରାମାୟଣ’ ପୁଣିଥରେ ପ୍ରସାରତ ହେବ। ପ୍ରଥମ ଏପିସୋଡ୍ ସକାଳ ୯ଟା ଏବଂ ଦ୍ୱିତୀୟ ଏପିସୋଡ ରାତି ୯ଟାରେ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published.