୫୦୦କୋଟି ବଜେଟରେ ପ୍ରସ୍ତୁତ ହେବ ରାମାୟଣ, ୩ ଭାଗରେ ପରଦା ଉପରକୁ ଆସିବ ଫିଲ୍ମ
ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ପୌରାଣିକ ଧାରାବାହିକ ‘ରାମାୟଣ’ ଟେଲି ଶୋ’ର ମାଇଲଷ୍ଟୋନ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଛୋଟ ପରଦାର ଏହି ପ୍ରିୟ ଶୋ’ ଏବେ ବଡ଼ ପରଦାର ଇତିହାସରେ ସାମିଲ୍ ହେବାକୁ ଯାଉଛି । ‘ଦଙ୍ଗଲ’ର ନିର୍ଦ୍ଦେଶକ ନିତେଶ ତିୱାରୀ ଓ ରବି ଉଦୟାୱରଙ୍କ ମିଳିତ ଉଦ୍ୟମରେ ‘ରାମାୟଣ’ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ଏହାକୁ ୩ଟି ଭାଗରେ ପ୍ରସ୍ତୁତ କରାଯିବ ଏବଂ ଏହାର ବଜେଟ୍ ରଖାଯାଇଛି ୫୦୦କୋଟି ଟଙ୍କା । ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ଏହି ସୂଚନା ଦେଇଛନ୍ତି ।
ଏହାର ସମ୍ପୂର୍ଣ୍ଣ ସୁଟିଂ ୩ଡିରେ କରାଯିବ ଏବଂ ଏହାକୁ ୱାର୍ଲଡ଼୍ ୱାଇଡ୍ ରିଲିଜ୍ କରାଯିବାର ଯୋଜନା ରହିଛି । ଏହାର ପ୍ରଯୋଜକ ଦାୟିତ୍ୱରେ ଅଛନ୍ତି ଅଲୁ ଅରବିନ୍ଦ, ମଧୁ ମଂତେନା ଓ ନମିତ୍ ମହ୍ଲୋତ୍ରା । ତେବେ ଫିଲ୍ମର କାଷ୍ଟିଙ୍ଗ୍ ଭାବେ କେବଳ ବଲିଉଡ୍ ନୁହେଁ, ବରଂ ସମସ୍ତ ଇଣ୍ଡଷ୍ଟ୍ରୀର ଦକ୍ଷ କଳାକାରଙ୍କୁ ଚୟନ କରାଯିବ ବୋଲି ସୂଚନା ମିଳିଛି । ସବୁ ଇଣ୍ଡଷ୍ଟ୍ରୀର କଳାକାର ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବେ, ଯାହାକି ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ । ଫିଲ୍ମର ପ୍ରଥମ ଭାଗ ୨୦୨୧ ରେ ରିଲିଜ୍ କରାଯିବ ବୋଲି ଖବର ମିଳିଛି ।