ବିଶେଷ: ସ୍ନେହର ପର୍ବ ରାକ୍ଷୀ

ଗୁଜରାଟ, ମହାରାଷ୍ଟ, ଗୋଆ ଓ କର୍ଣ୍ଣାଟକ ପାଇଁ ନାରିକେଳ ପୂର୍ଣ୍ଣିମା । ଉତ୍ତର ଭାରତ ପାଇଁ କାଜରି ପୂର୍ଣ୍ଣିମା । ଦକ୍ଷିଣ ଭାରତ ପାଇଁ ଅବନୀ ଅୱିଟ୍ଟମ୍ ଏବଂ ଓଡ଼ିଶା ପାଇଁ ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା ବା ଭାଇଭଉଣୀର ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା । ଶ୍ରାବଣ ମାସର ଶେଷ ପୂର୍ଣ୍ଣିମାର ନାଁ ଆଞ୍ଚଳିକ ଭିତ୍ତିରେ ଭିନ୍ନ ହେଲେ ମଧ୍ୟ ଉଦ୍ଦେଶ୍ୟ ଏକ । ଭାଇ ଭଉଣୀର ସ୍ନେହଭରା ସମ୍ପର୍କ ହେଉ କିମ୍ବା ପ୍ରକୃତି ସହିତ ସମାଜର ସମ୍ପର୍କ, ସବୁଦିନ ପାଇଁ ରକ୍ଷା କରିବାର ପ୍ରତିଶ୍ରୁତିର ବନ୍ଧନ ଭାବେ ପାଳିତ ହୋଇଆସୁଛି ରାକ୍ଷୀ ପୂର୍ଣ୍ଣିମା । ଗୁଜରାଟ, ମହାରାଷ୍ଟ, ଗୋଆ ଓ କର୍ଣ୍ଣାଟକର ଲୋକମାନେ ସମୁଦ୍ର ଉପରେ ନିର୍ଭର କରଥାନ୍ତି । ତେଣୁ ସମୁଦ୍ର ଦେବତାଙ୍କୁ ନିଜର ଇଷ୍ଟ ଭାବେ ପୂଜା କରି ଏହି ଦିନ ନଡ଼ିଆ ଅର୍ପଣ କରାଯାଏ । କୃଷି ପ୍ରଧାନ ଓଡି଼ଶାରେ ବିଶେଷ ଭାବେ ଏହିଦିନ ବଳଦ ଓ ଗୋମାତାଙ୍କ ପୂଜା ବିଧି ପ୍ରଚଳିତ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର କେତେକ ସ୍ଥାନରେ ଭଲ ଫସଲ ପାଇଁ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ, ଯାହାକି ପବିତ୍ରୋପନ ନାମରେ ଖ୍ୟାତ । ଅତୀତରେ ବ୍ରାହ୍ମଣଶାସନରେ ଏହି ଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜେ୍ଞାପବୀତ ଧାରଣ କରାଯାଉଥିଲା । ଏହି ପରମ୍ପରା ଦେବଉପାକର୍ମ ଭାବେ ନାମରେ ନାମିତ । ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଉଥିବାରୁ ଏହାର ଅନ୍ୟ ଏକ ନାମ ଥିଲା ବ୍ରହ୍ମଯଜ୍ଞ । ଧୀରେ ଧୀରେ ସମୟ ଚକ୍ର ସହିତ ସବୁକିଛି ବଦଳିଯାଇଛି ଏବଂ ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଶ୍ରାବଣ ମାସର ପୂର୍ଣ୍ଣିମା ହେଉଛି ରାକ୍ଷୀ ପୂର୍ଣ୍ଣିମା । ସ୍ନେହର ପର୍ବ ରାକ୍ଷୀକୁ ନେଇ ଏକ ବିଶେଷ ପ୍ରସ୍ତୁତି –

 

ପୌରାଣିକ କଥାବସ୍ତୁରେ ରାକ୍ଷୀ –
ପଶ୍ଚିମ ଓଡ଼ିଶାରେ ଏକ ଲୋକକଥା ଅଛି – ‘ଗୁରସ୍ ପିଇବା ବଇଲେ ବାନ୍ଧିଥିବା ଗାଈ, ଯୁଦ୍ଧ କରବା ବେଲେ ସଙ୍ଗେ ଥିବ ଭାଇ’ । ସମାଜର ସବୁ ସମ୍ପର୍କ ମଧ୍ୟରେ ଭାଇ ଭଊଣୀର ସମ୍ପର୍କ ସବୁଠାରୁ ନିଆରା । ସେମାନେ ଜୀବନର ସବୁ ସୁଖଦୁଃଖକୁ ସାଥିରେ ନେଇ ଚାଲିଥାନ୍ତି । ନିଜ ହାତରେ ରାକ୍ଷୀଟିଏ ବାନ୍ଧି ଭଉଣୀକୁ ସବୁଦିନ ପାଇଁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇଥାଏ ଭାଇ । ପୁରାଣ ଯୁଗରେ ମଧ୍ୟ ଭାଇଭଉଣୀର ସମ୍ପର୍କ ଓ ତା’ ସହିତ ଜଡ଼ିତ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କଥା ରହିଛି । କିନ୍ତୁ ସେ ମଧ୍ୟରୁ ୨ଟି ମୁଖ୍ୟ କଥାବସ୍ତୁ ହେଉଛି –

୧- ଅସୁର ସମ୍ରାଟ ବଳି ଥିଲେ ବିଷ୍ଣୁଙ୍କର ପରମ ଭକ୍ତ । ତାଙ୍କ ଉପର କୌଣସି ବିପଦ ନ ଆସିବା ପାଇଁ ଶ୍ରୀବିଷ୍ଣୁ ବୈକୁଣ୍ଠ ତ୍ୟାଗ କରି ବଳିଙ୍କ ରାଜପ୍ରାସାଦରେ ଅବସ୍ଥାନ କରିଥିଲେ । ବିଷ୍ଣୁଙ୍କର ଏଭଳି କାର୍ଯ୍ୟରେ ବିଚଳିତ ହୋଇ ଉଠିଥିଲେ ମା’ ମହାଲକ୍ଷ୍ମୀ । ତେଣୁ ସେ ଜଣେ ବ୍ରାହ୍ମଣୀ ରୂପ ଧରି ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ । ସେଦିନ ଥିଲା ଶ୍ରାବଣ ପୂର୍ଣ୍ଣିମା । ଭଊଣୀର ସବୁ ଦୁଃଖସୁଖ ବୁଝିବାର ପ୍ରତିଶ୍ରୁତି ଦେବା ପରେ ମା’ ମହାଲକ୍ଷ୍ମୀ ତାଙ୍କର ମନକଥା ବଳିଙ୍କୁ ଜଣାଇଥିଲେ । ଏହାପରେ ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠ ଫେରିଯିବାକୁ ବଳି ଅନୁରୋଧ କରିଥିଲେ ଏବଂ ବଳିଙ୍କ ଅନୁରୋଧ ରକ୍ଷା କରି ବିଷ୍ଣୁ ବୈକୁଣ୍ଠ ଫେରିଯାଇଥିଲେ ।
୨- ଆଉ ଏକ ପୌରାଣିକ ଉପାଖ୍ୟାନ ହେଉଛି ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କର । ଶିଶୁପାଳଙ୍କ ସହିତ ଯୁଦ୍ଧ କରୁଥିବା ସମୟରେ ଶ୍ରୀକୃଷ୍ଣଙ୍କ ହାତରୁ ରକ୍ତ ବାହାରିଥିଲା । ଏହା ଦେଖି ଦ୍ରୌପଦୀ ନିଜ ପିନ୍ଧା ବସ୍ତ୍ରରୁ ଖଣ୍ଡେ ଚିରି ଦେଇ କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ । ଭାଇଭଊଣୀର ଏହି ଅତୁଟ ବନ୍ଧନ ପାଇଁ କୁରୁସଭାରେ ଦ୍ରୌପଦୀଙ୍କୁ ବିବସ୍ତ୍ର ହେବାରୁ ରକ୍ଷା କରିଥିଲେ ଶ୍ରୀକୃଷ୍ଣ ଏବଂ ଦ୍ରୌପଦୀଙ୍କ ସମ୍ମାନ ରକ୍ଷା ହୋଇପାରିଥିଲା ।

ଐତିହାସିକ ମତବାଦ – ଐତିହାସିକଙ୍କ ମତରେ ରାକ୍ଷୀର ଇତିହାସ ଖୁବ୍ ମହାନ୍ । ଭଉଣୀର ସୁରକ୍ଷା ପାଇଁ ଭାଇର ବଳିଦାନର କାହାଣୀ ଇତିହାସରେ ଲିପିବଦ୍ଧ । ରାକ୍ଷୀକୁ ନେଇ ପ୍ରସିଦ୍ଧ ଐତିହାସିକ କାହାଣୀ ହେଉଛି –
୧- ୩୦୦ରୁ ଉଦ୍ଧ୍ୱର୍ ବର୍ଷ ତଳର ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ – ରାଜପୁତ ବୀରାଙ୍ଗନା ଚିତୋରର ରାଣୀ କର୍ଣ୍ଣାବତୀ ସ୍ୱାମୀଙ୍କୁ ହରାଇବା ପରେ ଅନୁଭବ କଲେ ଯେ ସୁଲତାନ୍ ବାହାଦୂରଶାହଙ୍କୁ ଯୁଦ୍ଧରେ ପରାଜିତ କରିହେବ ନାହିଁ । ଏଥିପାଇଁ ସେ ଏକ ଉପାୟ ଚିନ୍ତା କରି ମୋଗଲ ସମ୍ରାଟ ହୁମାୟୁନଙ୍କ ପାଖକୁ ଏକ ରାକ୍ଷୀ ପଠାଇଥିଲେ । ଭଊଣୀ କର୍ଣ୍ଣାବତୀ ଓ ଚିତୋରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସେ ନିଜର ବିଶାଳ ସୈନ୍ୟବାହିନୀ ପଠାଇଥିଲେ ।

ଓଲିଉଡରେ ରାକ୍ଷୀ –
ଓଡ଼ିଶାର ପର୍ବ ରାକ୍ଷୀକୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବିଶେଷ ମହତ୍ୱ ପ୍ରଦାନ କରିଛି । ଫିଲ୍ମର କାହାଣୀ ଅନୁଯାୟୀ କେଉଁଠି ନା କେଉଁଠି ରାକ୍ଷୀ ବନ୍ଧନକୁ ନେଇ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଅନେକ ଓଡ଼ିଆ ଫିଲ୍ମର ଟାଇଟେଲ୍ ଓ ଗୀତ ରାକ୍ଷୀ ଆଧାରରେ ରଖାଯାଇଛି । ସେଗୁଡ଼ିକ ହେଉଛି –
୧- ରାକ୍ଷୀରେ ରାକ୍ଷୀ ତୁ ରହିଲୁ ସାକ୍ଷୀ… – ଫିଲ୍ମ (ଚକା ଆଖି ସବୁ ଦେଖୁଛି)
୨- ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ… – ଫିଲ୍ମ (ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ)
୩- ରାକ୍ଷୀ ଭିଜିଗଲା ଆଖିର ଲୁହରେ … – ଫିଲ୍ମ (ରାକ୍ଷୀ ଭିଜିଗଲା ଆଖି ଲୁହରେ)

ବଲିଉଡରେ ରାକ୍ଷୀ –
ଓଲିଉଡ୍ ଭଳି ବଲିଉଡର ଅନେକ ଫିଲ୍ମରେ ରାକ୍ଷୀ ଆଧାରିତ ଗୀତଗୁଡ଼ିକ ବେଶ୍ ଶ୍ରୁତିମଧୁର । ସେସବୁ ଗୀତ ଆଜିପର୍ଯ୍ୟନ୍ତ ତା’ର ଚମକ ବଜାୟ ରଖିପାରିଛି । ବଲିଉଡର ଏଭଳି କିଛି ଗୀତ ରହିଛି, ଯାହାକି ରାକ୍ଷୀ ପୂର୍ଣ୍ଣିମାରେ ଆପଣାଛାଏଁ ମନକୁ ଚାଲିଆସେ । ସେଭଳି କିଛି ଗୀତ ହେଉଛି –
୧- ଭାୟା ମେରେ ରାକ୍ଷୀ କେ ବନ୍ଧନ କୋ ନିଭାନା… – ଫିଲ୍ମ (ଛୋଟି ବେହେନ୍)
୨- ମେରେ ଭାୟା ମେରେ ଚନ୍ଦା… – ଫିଲ୍ମ (କାଜଲ୍)
୩- ବେହେନା ଭାଇ କେ କଲାଇ ପେ ପ୍ୟାର୍ ବାନ୍ଧା ହେ… – ଫିଲ୍ମ ( ରେଶମ୍ କି ଡୋରି)
୪- ୟେ ରାକ୍ଷୀ ବନ୍ଧନ ହେ ୟେସା… – ଫିଲ୍ମ (ବୈମାନ୍)
୫- ହମ୍ ବେହେନୋ କେ ଲିୟେ… – ଫିଲ୍ମ (ଅନଜାନା)
୬- ରାକ୍ଷୀ ଢାଗୋଁ କା ତ୍ୟୋହାର… – ଫିଲ୍ମ (ରାକ୍ଷୀ)
୭- ମେରି ବେହେନା ୟେ ରାକ୍ଷୀ କି ଲାଜ୍… – ଫିଲ୍ମ (ଘରଦ୍ୱାର)
୮- ଇସେ ସମଝୋ ନା ରେଶମ୍ କା ତାର୍… – ଫିଲ୍ମ (ତ୍ରିରଙ୍ଗା)
୯ – ଫୁଲୋଁ କା ତାରୋଁ କା ସବକା କେହେନା ହେ… – ଫିଲ୍ମ (ହରେ ରାମା ହରେ କ୍ରିଷ୍ଣା)

Leave a Reply

Your email address will not be published.