ନିର୍ବାଚନୀ ମଇଦାନରେ ଚାରି ରାଜ୍ୟସଭା ସାଂସଦ
ବିଜେଡି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନୀ ମଇଦାନକୁ ଚାରିଜଣ ରାଜ୍ୟସଭା ସାଂସଦ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଜଣଙ୍କୁ ବିଧାନସଭା ଟିକଟ ମିଳିଛି।ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଓ ପ୍ରସନ୍ନ ଆଚାର୍ଯ୍ୟ ସ୍ଥାନ ପାଇଥିଲେ। ଅଚ୍ୟୁତଙ୍କୁ ବିଜେଡି କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ ପ୍ରସନ୍ନଙ୍କୁ ବରଗଡ ଲୋକସଭା ଆସନ ପାଇଁ ଟିକଟ ପ୍ରଦାନ କରିଛି।
ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ମଧ୍ୟ ଦୁଇଜଣ ରାଜ୍ୟସଭା ସାଂସଦ ଅଛନ୍ତି। ଏମାନେ ହେଲେ ସାଂସଦ ଅନୁଭବ ମହାନ୍ତି ଓ ପ୍ରତାପ କେଶରୀ ଦେବ। ଚଳଚିତ୍ର ଅଭିନେତା ଅନୁଭବଙ୍କୁ ବିଜେଡି କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଟିକଟ ପ୍ରଦାନ କରିଥିବାବେଳେ ପ୍ରତାପ ଦେବଙ୍କୁ ଆଳି ବିଧାନସଭାରୁ ପ୍ରାର୍ଥୀ କରିଛି। ବିଜେଡିର ଏହି ଚାରିଜଣ ସାଂସଦ ନିର୍ବାଚନରେ ବିଜୟୀ ହେଲେ ରାଜ୍ୟ ସଭାରେ ଦଳର ଚାରିଟି ଆନ ଖାଲି ହେବ ଏବଂ ସେମାନଙ୍କ ସ୍ଥାନରେ ଦଳ ନୂତନ ସଦସ୍ୟଙ୍କୁ ପଠାଇବାର ସୁଯୋଗ ପାଇବ।
୨୦୧୪ ରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ବିଜେଡି ଅନୁରୂପ ଭାବେ ଶଶୀଭୂଷଣ ବେହେରା ଓ ରବି ମହାପାତ୍ରଙ୍କୁ ରାଜ୍ୟସଭାରୁ ଫେରାଇ ଆଣି ନିର୍ବାଚନ ଲଢାଇ ସଫଳ ହୋଇଥିଲା। ଶ୍ରୀ ବେହେରା ଏବେ ରାଜ୍ୟ ଅର୍ଥମନ୍ତ୍ରୀ ଥିବାବେଳେ ଶ୍ରୀ ମହାପାତ୍ର ମଧ୍ୟ ବିଧାୟକ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଅନେକ ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ଥିବାରୁ ଆଗାମୀ ଦିନରେ ଦଳ ଆଉ କେଉଁ ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରିବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର।