ରଜ ପାଇଁ ବିଶେଷ ମେହେନ୍ଦି ଡିଜାଇନ୍
ଆସିଗଲା ରଜ । ମଉଜ ସହିତ ସଜବାଜ । ଆଜିକାଲିର ମଡର୍ଣ୍ଣ ସଜବାଜର ମୁଖ୍ୟ ଆକର୍ଷଣ ହେଉଛି ମେହେନ୍ଦି । ଝିଅମାନଙ୍କ ମେହେନ୍ଦିକୁ ଦେଖିଲେ ଲାଗେ ସତେ ଯେମିତି କୌଣସି ପ୍ରତିଯୋଗିତା ହେଉଛି । ଆରବିକ୍ ଷ୍ଟାଇଲ୍ ମେହେନ୍ଦି ସବୁ ସମୟରେ ସୁପରହିଟ୍ ଫର୍ମୁଲା ଭାବେ ରହିଥିବାବେଳେ ଫ୍ୟାଶନ୍ ଅପଡେଟକୁ ଆଖିରେ ରଖି ବିୟୁଟିସିଆନ୍ ମାନେ ରଜପାଇଁ ଆଉ କିଛି ବିଶେଷ ପ୍ରକାରର ମେହେନ୍ଦି ଡିଜାଇନକୁ ପସନ୍ଦ କରିଛନ୍ତି । ତେବେ ଆସନ୍ତୁ ଜାଣିବା –
ବ୍ରେସଲେଟ୍ ମେହେନ୍ଦି –
ବ୍ରେସଲେଟ୍ ମେହେନ୍ଦି ଲଗାଇବା ଯେତିକି ସହଜ ସେତିକି ଆକର୍ଷଣୀୟ ମଧ୍ୟ । ଏହାକୁ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଝିଅମାନେ ଲଗାଇ ପାରିବେ । ଏଥିରେ ବିଭିନ୍ନ ପ୍ରକାର ଗହଣା କିମ୍ବା ଫ୍ଲାୱାର୍ ଡିଜାଇନ୍ କରିହେବ ।
ଜୋମେଟ୍ରି ଡିଜାଇନ୍ ମେହେନ୍ଦି –
କେବଳ ସିଧା ଗାର ଓ ତ୍ରିଭୂଜ ଦ୍ୱାରା ଆପଣ ଖୁବ୍ ସହଜରେ ଏହି ମେହେନ୍ଦି ବନାଇପାରିବେ । ଦେଖିବାକୁ ସିମ୍ପୁଲ୍ ଲାଗୁଥିଲେ ମଧ୍ୟ ଏହା ଆପଣଙ୍କ ହାତକୁ ଏକ ନିଆରା ଲୁକ୍ ଦେଇଥାଏ । ହାତଠାରୁ କହୁଣୀ ପର୍ଯ୍ୟନ୍ତ ଜୋମୋଟ୍ରିକ୍ ଷ୍ଟାଇଲ୍ ମେହେନ୍ଦି ଲଗାଇ ଦେଖନ୍ତୁ ।
ଫ୍ଲାୱାର ଡିଜାଇନ୍ ମେହେନ୍ଦି –
ଗୋଟିଏ କିମ୍ବା ଦୁଇଟି ଫୁଲ ମେହେନ୍ଦିରେ କରିବା ସହିତ ସମ୍ପୂର୍ଣ୍ଣ ହାତକୁ ଗାଢା ମେହେନ୍ଦିରେ ସଜାଇବା ଭଳି ଏକ ନୂଆ ଧାରା ଆରମ୍ଭ ହୋଇଛି । ଏଭଳି ନକଲେ ମଧ୍ୟ ହାତର ପାପୁଲିରେ ଏକ ବଡ଼ ଫୁଲ କରାଯାଉଛି, ଯାହାକୁ ଝିଅମାନେ ଖୁବ୍ ପସନ୍ଦ କରୁଛନ୍ତି । ଏହି ରଜରେ ଆପଣ ଏହାକୁ ନିଶ୍ଚିତ ଟ୍ରାଏ କରନ୍ତୁ ।
ରିଙ୍ଗ୍ କିମ୍ବା ନେଟ୍ ଷ୍ଟାଇଲ୍ ମେହେନ୍ଦି – ଯଦି ଆପଣଙ୍କୁ ଅଧିକ ମେହେନ୍ଦି ଡିଜାଇନ୍ ପସନ୍ଦ ନୁହେଁ କିମ୍ବା କୌଣସି ସ୍କିନ୍ ସମସ୍ୟା ପାଇଁ ଆପଣ ମେହେନ୍ଦି ଲଗାଇ ପାରୁନାହାନ୍ତି, ତେବେ ଆପଣଙ୍କ ପାଇଁ ରିଙ୍ଗ୍ ମେହେନ୍ଦି ଏକ ଭଲ ବିକଳ୍ପ । ଯଦି ଆପଣ ହାତ ସହିତ ପାଦରେ ମଧ୍ୟ ମେହେନ୍ଦି କରିବାକୁ ଚାହୁଁଛନ୍ତି, ତେବେ ନେଟ୍ ଡିଜାଇନ୍ ମେହେନ୍ଦିକୁ ନିଶ୍ଚିତ ଭାବେ ଏହି ରଜରେ ଲଗାନ୍ତୁ ।