ଆରପାରିରେ ରାଜକୁମାର ବଡ଼ଜାତ୍ୟା, ସଲ୍ଲୁକୁ ସୁପର୍ ଷ୍ଟାର କରାଇଥଲେ ରାଜକୁମାର
ବଲିଉଡ୍ର ଲୋକପ୍ରିୟ ଫିଲ୍ମ ନିର୍ମାତା ରାଜକୁମାର ବଡ଼ଜାତ୍ୟା ଆଉ ନାହାନ୍ତି । ଗୁରୁବାର ସକାଳେ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ବଡ଼ଜାତ୍ୟା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ କୋମଲ୍ ମେହେତା ଟ୍ୱିଟ୍ ମାଧ୍ୟମରେ ଏହି ଖବର ଦେଇଛନ୍ତି । କିନ୍ତୁ ରାଜକୁମାରଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ ।
ବଡ଼ଜାତ୍ୟା ନିଜର ରାଜଶ୍ରୀ ପ୍ରଡକ୍ସନ୍ ହାଉସ୍ ପକ୍ଷରୁ ବଲିଉଡ୍କୁ ଅନେକ ସୁପର୍ହିଟ୍ ଫିଲ୍ମ ଦେଇଛନ୍ତି । ପାରିବାରିକ ଓ ଆଦର୍ଶ ଫିଲ୍ମ ନିର୍ମାଣ କ୍ଷେତ୍ରରେ ସେ ଥିଲେ ସିଦ୍ଧହସ୍ତ । ସଲ୍ଲୁ ଭାଇଜାନ୍ଙ୍କୁ ସୁପରଷ୍ଟାର କରାଇବା ପଛରେ ବଡ଼ଜାତ୍ୟାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ‘ହମ୍ ଆପ୍କେ ହେ କୌନ୍’, ‘ପ୍ରେମ୍ ରତନ୍ ଧନ୍ ପାୟୋ’, ‘ହମ୍ ସାଥ୍ ସାଥ୍ ହେ’, ଓ ‘ବିବାହ’ ଭଳି ଅନେକ ସୁପର୍ହିଟ୍ ଫିଲ୍ମ ରାଜଶ୍ରୀ ପ୍ରଡକ୍ସନ୍ ପକ୍ଷରୁ ନିର୍ମିତ । ରାଜକୁମାରଙ୍କ ଫିଲ୍ମର ବିଶେଷତା ହେଉଛି ପ୍ରତ୍ୟେକ ଫିଲ୍ମରେ ‘ପ୍ରେମ୍’ ନାମକ ଜଣେ ଚରିତ୍ର ରହିଥିବ । ତାଙ୍କର ପ୍ରଡକ୍ସନ୍ ହାଉସ୍ର ଶେଷ ଫିଲ୍ମ ଥିଲା ‘ହମ୍ ଚାର୍’ । ସୂଚନାଯୋଗ୍ୟ ରାଜକୁମାର ବଡ଼ଜାତ୍ୟାଙ୍କ ପୁଅ ହେଉଛନ୍ତି ସୂରଜ ବଡ଼ଜାତ୍ୟା ।