୧୧ ତାରିଖ ଯାଏଁ ୧୧ ଜିଲ୍ଲାରେ ବର୍ଷା କଲବଲ

ଭୁବନେଶ୍ୱର(ଓଟି): ଚଳିତବର୍ଷ ରାଜ୍ୟର ଜଳବାୟୁରେ ବ୍ୟାପକ ବ୍ୟତିକ୍ରମ ଦେଖାଦେଇଛି । ବିଳମ୍ବିତ ବର୍ଷାଠାରୁ ଆରମ୍ଭ କରି ଶୀତର ଡେରିରେ ଆସି ହାଡ଼ ଥରାଇବା ଭଳି ଆଦି ଅବସ୍ଥା ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଶୀତ ମଧ୍ୟରେ ଅଦିନିଆ ବର୍ଷା ପୁଣି ରାଜ୍ୟରେ ବିପୁଳ କ୍ଷୟକ୍ଷତି କରି ନିକଟରେ ଚାଲିଯାଇଥିଲା । ତେବେ ପୁଣି ବର୍ଷାର ଲେଉଟାଣିକୁ ନେଇ ଚାଷୀକୁଳ ସମେତ ସାଧାରଣରେ ଚିନ୍ତା ବଢ଼ିଗଲାଣି । ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାରେ ବର୍ଷା ହେବାର ସୂଚନା ମିଳିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସଂକେତ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଓ ଆବଶ୍ୟକ ପରାମର୍ଶ ଦିଆଯାଇଛି ।


ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । କେତେକ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ହୋଇପାରେ ବୋଲି କୁହାଯାଇଛି । ସେହିପରି ୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶା ପାଇଁ ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶା ପାଇଁ ବର୍ଷା ସମ୍ଭାବନା ଓ ସତର୍କ ସୂଚନା ଦିଆଯାଇଛି । ଅନୁରୂପ ଭାବେ ୧୧ ତାରିଖରେ ପ୍ରାୟତଃ ପାଗ ଶୁଖିଲା ରହିବ ବୋଲି ଜଣାପଡ଼ିଥିବା ବେଳେ ଘନ କୁହୁଡ଼ି ଓ ହାଡ଼ଭଙ୍ଗା ଜାଡ଼ରେ ଅନେକ ଅଞ୍ଚଳ ଥରହର ହୋଇପାରେ । ତେଣୁ କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି ।


।।ା ରିପୋର୍ଟ: ଏସପି

Leave a Reply

Your email address will not be published. Required fields are marked *