ବଂଲାଦେଶ ଉପକୂଳରେ ଲଘୁଚାପ: ୧ରୁ ଓଡ଼ିଶାରେ ବର୍ଷା
ଭୁବନେଶ୍ଵର, (ଓଟି): ଏଥର ଗଣେଶପୂଜା ବର୍ଷାଦ୍ଵାରା ପ୍ରଭାବିତ ହୋଇପାରେ। ଏନେଇ ସେଆ ବିଶ୍ଵବିଦ୍ୟାଳୟର ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛନ୍ତି। ଏକ ବାର୍ତ୍ତାରେ କୁହାଯାଇଛି ଯେ, ସେପ୍ଟେମ୍ବର ୧ରୁ ୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ବା ଅତିପ୍ରବଳ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହେବକୁ ଥିବା ଲଘୁଚାପ ତଥା ସାମୁଦ୍ରିକ ଉପକୂଳରେ ପାଣିପାଗର ପରିବର୍ତ୍ତନ ହେତୁ ଏଭଳି ପରିସ୍ଥିତି ଦେଖାଦେବ।
ସୂଚନା ଅନୁସାରେ ୨ତାରିଖରେ ବାଂଲାଦେଶ ଉପକୂଳରେ ଏକ ଲଘୁଚାପ ଆଶଙ୍କା କରାଯାଇଛି। ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପକୂଳ ଅଞ୍ଚଳରେ ପଡ଼ିବ। ଏହିକ୍ରମରେ ସେପ୍ଟେମ୍ବର ୧ରୁ ୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବଡ଼ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ପୁରୀ, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ରହିଛି । ସେପ୍ଟେମ୍ବର ୧ ତାରିଖ ରାତିରୁ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଏଥିରେ ସୂଚନା ଦିଆଯାଇଛି ।